ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସରେ ମାନବଶୃଙ୍ଖଳ

ଭୁବନେଶ୍ୱର : ଜାତୀୟ ଶିଶୁଶ୍ରମ ନିରୋଧ ଦିବସ ଅବସରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ସିଏସିଏଲ୍‌, ସିସିଡବ୍ଲୁଡି, ରୁଚିକା ଓ ସାକାର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ମାନବଶୃଙ୍ଖଳ ଆୟୋଜନ କରାଯାଇଛି। ଶିଶୁ ଶ୍ରମ ଉଚ୍ଛେଦକୁ ସାକାର କରିବା ପାଇଁ ସ୍ଳୋଗାନ ଦେବା ସହ କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଏହି ମାନବ ଶୃଙ୍ଖଳ ପ୍ରସ୍ତୁତ କରିଛନ୍ତି। ସଂଗଠନ ପକ୍ଷରୁ ଆଜିଠାରୁ ଏକ ୪୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ୧୪ ବର୍ଷରୁ କମ୍‌ ଶିଶୁଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଅପରାଧ। ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଙ୍କୁଳ କାମରେ ନିୟୋଜନ ମଧ୍ୟ ଅପରାଧ। ଭାରତରେ ୧ କୋଟି ଶିଶୁଶ୍ରମିକ ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୮ ଲକ୍ଷରୁ ଊର୍ଧ୍ୱ ବୋଲି ସରକାରୀ ରିପୋର୍ଟ କହୁଛି। ଏମାନଙ୍କ ମଧ୍ୟରୁ ୮୨ ଭାଗ ଖଣିଖାଦାନ ସହ ସହରାଞ୍ଚଳ ଉଦ୍‌ଯୋଗ ଓ ଘରୋଇ ଶିଶୁ ଶ୍ରମିକ ଭାବେ କାମ କରୁଥିବା ବେଳେ ୧୮ ଭାଗ ଗ୍ରାମାଞ୍ଚଳ କୃଷି କ୍ଷେତ୍ରରେ କାମ କରୁଛନ୍ତି। ଶିଶୁ ଶ୍ରମିକଙ୍କ ଉନ୍ନତି ପାଇଁ ଦେଶରେ ୧୩ଟି ବିଭାଗ କାମ କରୁଥିବା ବେଳେ ୬୮ ଟି ସରକାରୀ ଯୋଜନା କାର୍ଯ୍ୟକ୍ଷମ ହେଉଛି। ତା ସତ୍ୱେ ଶିଶୁ ଶ୍ରମିକଙ୍କର ଏଭଳି ସ୍ଥିତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସିଏସିଏଲ୍‌ର ରାଜ୍ୟ ଆବାହକ ସୁଧୀର ସାବତ। ଅନ୍ୟମାନଙ୍କ ମଧ୍ୟରେ ସିସିଡବ୍ଲୁଡି ସମ୍ପାଦକ ସଦାଶିବ ସ୍ୱାଇଁ, ସାକାର ଅନୁଷ୍ଠାନର ସ୍ୱରୂପାରାଣୀ, ରୁଚିକାର ବେଣୁଧର ସେନାପତି, ରାଜ୍ୟ ଶ୍ରମ କର୍ମଚାରୀ ରାଜ୍ୟ ବୀମା ଆୟୋଗର ପଦାଧିକାରୀ ପ୍ରମୁଖ ଏହି ମାନବ ଶୃଙ୍ଖଳରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର