ଜାତୀୟ କୁକୁର ପ୍ରଦର୍ଶନୀ : ଟାଟା ଷ୍ଟିଲ୍‌ ଡଗ୍‌ ସ୍କ୍ବାଡ୍‌ ‘ଆଜ୍ଞାଧୀନ’ରେ ଚାମ୍ପିଅନ୍‌

ଭୁବନେଶ୍ବର : ‌ମିଲି.. ଲେ ଡାଉନ୍‌…। ମିଲି..କମ୍‌…। ସତେ ଯେମିତି ମାଲିକର ଏଇ ନିର୍ଦେଶକୁ କାନ ପାତି ଅପେକ୍ଷା କରିଥିଲେ। ଟ୍ରେନରଙ୍କ ପାଟିରୁ ଏଇ ନିର୍ଦେଶ(କମାଣ୍ଡ୍‌) ଶୁଣିବା ମାତ୍ରେ ସେମାନେ ଦୌଡ଼ୁଥିଲେ, ବସି ପଡ଼ୁଥିଲେ, ପୁଣି ଲୋଟି ଯାଉଥିଲେ। ପଶୁମାନେ ଯେ ଏତେ ଆଜ୍ଞାଧୀନ ହୋଇପାରନ୍ତି, ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରୁଥିଲେ ମିଲି ଓ ଗବ୍ବର ଭଳି କୁକୁରମାନେ। ଖେଳୁଥିଲେ ଏକଦମ ଖେଳୁଆଡ଼ ମନୋଭାବ ନେଇ। ଜିତିବା ପାଇଁ ପ୍ରତିଯୋଗିତାରେ ଚାମ୍ପିୟନ ଭଳି କସରତ କରୁଥିଲେ। ବିଚାରକଙ୍କ ପାଟିରୁ ସ୍ଲୋ ୱାକ୍‌..ଶୁଣିବା ମାତ୍ରେ ତାଙ୍କର ମନ ମତାଣିଆ ଚାଲି ଦେଖେଣାହାରୀଙ୍କ ମନ ଚୋରି କରି ନେଉଥିଲା। ମନେଇ ପାରିଲେ କୁକୁରମାନେ ବି ଯେ ଧୈର୍ଯ୍ୟ ଓ ସ୍ଥିରତା ପ୍ରଦର୍ଶନ କରିପାରନ୍ତି ତା’ର ନିଦର୍ଶନ ବାରି ହୋଇପଡ଼ୁଥିଲା ୟୁନିଟ୍‌ ୬ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପଡ଼ିଆ ପରିସରରେ ଆୟୋଜିତ ଜାତୀୟ ଶ୍ବାନ ତଥା କୁକୁର ପ୍ରଦର୍ଶନୀରେ। ଓଡ଼ିଶା କେନେଲ୍‌ କ୍ଲବ୍‌ ଭେଟି ଦେଇଥିଲା ଏମିତି ଏକ ନିଆରା ଅବସର।

ଆଜିର ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ ୭୪ଟି ଜର୍ମାନ ସେଫର୍ଡ, ୨୬ଟି ଲାବ୍ରାଡର ଓ ୨୧ଟି ବିଗଲ୍‌। ସୋ’ର ଆଜିର ଆକର୍ଷଣ ଥିଲା ଓବେଡିଏନ୍‌ସ ଟ୍ରାଏଲ୍‌। ହିଲ୍‌ ୱାକ୍‌, ଡିଷ୍ଟାନ୍‌ସ କଣ୍ଟ୍ରୋଲ୍‌ ଭଳି ପର୍ଯ୍ୟାୟରେ ସିଟ୍‌, ଡାଉନ୍‌, ଷ୍ଟେ, କମ୍‌ ଓ ହିଲ୍‌ ଭଳି କମାଣ୍ଡ୍‌ ଶୁଣି କୁକୁରମାନେ ସେମାନଙ୍କ ଖେଳ ପ୍ରଦର୍ଶନ କରୁଥିଲେ। ଏକକାଳୀନ ଧାଡ଼ି ହୋଇ ମୁହଁ ମାଡ଼ି ବସିଥିବା ବେଳେ ଲୋକଙ୍କୁ କଣେଇ ଚାହିଁବାର ଦୃଶ୍ୟ କୌତୁହଳ ସୃଷ୍ଟି କରିଥିଲା। ‌କୁଖ୍ୟାତ ଆତଙ୍କବାଦୀକୁ ଧରିବା ପାଇଁ ନିୟୋଜିତ ହୋଇଥିବା ବେଲ୍‌ଜିଆନ୍‌ ମେଲିନଏସ୍‌ ଭଳି ପ୍ରଜାତିର କୁକୁରଙ୍କର ଆଜି ଏତାଦୃଶ ପରୀକ୍ଷା ଦେଖୁଥିବା ଲୋକଙ୍କ ପାଟିରୁ ବାହାରି ଆସୁଥିଲା ୱାଃ ୱାଃ ୱାଃ…। ଓବେଡିଏନ୍‌ସ ଟ୍ରାଏଲ୍‌ ସହ ଜର୍ମାନ ସେଫର୍ଡ ସ୍ପେସାଲିଟି ଓ ଲାବ୍ରାଡର ସ୍ପେସାଲିଟି ସୋ ଅନୁଷ୍ଠିତ ହୋଇଥିଲା।

ଓବେ‌ଡିଏନ୍‌ସ ଟ୍ରାଏଲ୍‌ରେ ଟାଟା ଷ୍ଟିଲ୍‌ ଡଗ୍‌ ସ୍କ୍ବାର୍ଡର ବେଲ୍‌ଜିୟାନ ମାଲିନଏସ୍‌ ପ୍ରଜାତିର କାଞ୍ଚୋ, ଜିନା, ରାଇଡର, ଷ୍ଟ୍ରାଇକର, ଏଣ୍ଡୋ, ୩ଶହରୁ ୩ଶହ ମାର୍କ ରଖି ମିଳିତ ଚାମ୍ପିୟନ ହୋଇଛନ୍ତି। ରବି ସାନ୍ତ୍ରାଙ୍କ ‘ବ୍ରେଣ୍ଡନ’ ମେଲ୍‌ ଶ୍ରେଣୀରେ ଏବଂ ଡ.ଆକାଶ ରୟଙ୍କ ‘ଗେବି’ ‌ଫିମେଲ୍‌ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରବୀନ୍ଦ୍ରନାଥ ସାହୁଙ୍କ ‘ଏଞ୍ଜୋ’ ଭାରତୀୟ ବ୍ରିଡ୍‌ ଭାବେ ବିଜୟୀ ହୋଇଥିଲେ। ଅମିତ କୁମାର ରାୟଙ୍କ ‘ଥଣ୍ଡର’ ବିଗଲ୍‌ ପ୍ରଜାତିରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜର୍ମାନିର ହରାଲ୍‌ଡ ହୋହମାନ୍ନ, ରାଜେନ୍ଦ୍ର ଏମ୍‌ ସାଲ୍‌ଭି ଓ ଯଶୋଧାରା ହେମଚନ୍ଦ୍ର ବିଚାରକ ଭାବେ ଯୋଗଦେଇ କୁକୁରଙ୍କ ଖେଳର ମୂଲ୍ୟାଙ୍କନ କରିଥିଲେ। ଓଡ଼ିଶା ‌କେନେଲ୍‌ କ୍ଲବ୍‌ର ସୁବ୍ରତ ପୃଷ୍ଟି ଓ ଅନ୍ୟ ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।

ଚାମ୍ପିଅନ୍‌ ମିଲି
ମିଲି। ଦେଖିବାକୁ ଧୋବ ଫରଫର। ଚେହେରା ବି ବେଶ୍‌ ଡଉଲଡାଉଲ। ପାଖକୁ ଯାଇ ଆଉଁଷି ଦେଲେ କୋଳକୁ ଜକେଇ ଆସିବ। ଆଜ୍ଞାଧୀନ ଭାବେ ତିନି ଥର ଚାମ୍ପିୟନ୍‌ ମୁକୁଟ ପିନ୍ଧିଛି। କୁକୁରପ୍ରେମୀଙ୍କ ମଧ୍ୟରେ ବେଶ୍‌ ପ୍ରସିଦ୍ଧ ଲାବ୍ରାଡର୍‌ ପ୍ରଜାତିର ଏହି ମାଈ କୁକୁର ‘ମିଲି’କୁ ଯିଏ ଦେଖିବ ନିହାତି ଭାବେ ଘଡ଼ିଏ ଠିଆ ହୋଇଯିବ। ମାତ୍ର ୪ ବର୍ଷର ମିଲି ବିଭିନ୍ନ କୁକୁର ପ୍ରଦର୍ଶନୀରେ ଭାଗ ନେଇ ୩ ଥର ଚାମ୍ପିୟନ୍ ହୋଇସାରିଛି। ୮ ମାସ ବୟସରୁ ସେ ତାଲିମ୍‌ ନେବା ଆରମ୍ଭ କରିଥିବା ବେଳେ ୧୬ ମାସ ବୟସରୁ ସେ ବିଭିନ୍ନ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ବିଜୟ ମୁକୁଟ ପିନ୍ଧି ଚାଲିଛି। ଖଡ଼ଗପୁରର ବିବେକ କୁମାରଙ୍କ ଏହି କୁକୁର ମିଲି ତାଙ୍କ ନିଜର ହୋମ୍‌ ବ୍ରିଡ୍‌। ଦିନକୁ ପ୍ରାୟ ୧୦-୧୨ ଘଣ୍ଟା ସମୟ ଦେଇ ସେ ମିଲିକୁ ଆଜ୍ଞାଧୀନ କୁକୁର ଭାବେ ପ୍ରସ୍ତୁତ କରିଛନ୍ତି।

ମୂଲ୍ୟ ବଢ଼ାଏ ସି-୬, ସି-୭ ପ୍ରତିଯୋଗିତା
କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତା ସେମାନଙ୍କ ବୟସକୁ ଦୃଷ୍ଟିରେ ରଖି କରାଯାଏ। ତେବେ ଓବେଡିଏନ୍‌ସ ଟ୍ରାଏଲ୍‌ର ୭ଟି ପର୍ଯ୍ୟାୟ ମଧ୍ୟରୁ ସି-୬ ଓ ସି-୭ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ବିଚାରକ ରାଜେନ୍ଦ୍ର ଏମ୍‌ ସାଲ୍‌ଭିଙ୍କ କହିବା ମୁତାବକ, ସି-୭ ପ୍ରତିଯୋଗିତାରେ ୩୦୦ ମାର୍କର ପ୍ରତିଯୋଗିତା କରାଯାଏ। ଏଥିମଧ୍ୟରୁ ଯଦି ଜଣେ ୨୯୦ ମାର୍କ ରଖେ ତେବେ ସେ ଚ୍ୟାଲେଞ୍ଜ ସାର୍ଟିଫିକେଟ୍‌ ପାଏ। ଯଦି ନିର୍ଦିଷ୍ଟ କୁକୁରଟି ଏହିଭଳି ୩ଟି ଡଗ୍‌ ସୋ’ରେ ୨୯୦ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୁଏ ତେବେ କେନେଲ୍‌ କ୍ଲବ୍‌ ଅଫ୍ ଇଣ୍ଡିଆ ତାକୁ ଚାମ୍ପିଅନ୍‌ସିପ୍‌ ଓବେଡିଏନ୍‌ସ ଟାଇଟଲ୍‌ ପ୍ରଦାନ କରେ। ସେହିଭଳି ସି-୬ ପର୍ଯ୍ୟାୟରେ ଯେଉଁ କୁକୁର ୨୦୦ରୁ ୧୭୦ ମାର୍କ ରଖେ ସେ କମ୍ପାନିୟନ ଡଗ୍‌ ସାର୍ଟିଫିକେଟ୍‌ ପାଏ। ଏହିଭଳି ୩ଟି ପ୍ରତିଯୋଗିତାରେ ଏହି ପ୍ରମାଣପତ୍ର ପାଇପାରିଲେ ସେ କେନେଲ୍‌ କ୍ଲବ୍‌ ଅଫ୍ ଇଣ୍ଡିଆ ପକ୍ଷରୁ କମ୍ପାନିୟନ ଡଗ୍‌ ଟାଇଟଲ୍‌ ସାର୍ଟିଫିକେଟ୍‌ ପାଇବାକୁ ଯୋଗ୍ୟ ହୁଏ ବୋଲି ଶ୍ରୀ ସାଲ୍‌ଭି କହିଛନ୍ତି।

ଆଜି ଆସିବେ ୩୦ ପ୍ରଜାତି
ରବିବାର ଆହୁରି ଆକର୍ଷଣ ସାଜିବ ଜାତୀୟ କୁକୁର ପ୍ରଦର୍ଶନୀ। ୩୦ ପ୍ରଜାତିର ପ୍ରାୟ ୩ଶହ କୁକୁର ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଦକ୍ଷତା ପ୍ରଦର୍ଶନ କରିବେ। ଲାଟ୍‌ଭିଆର ରୀତା କାଡିକେ ସ୍କାଣ୍ଡିଆ ଓ ସ୍ବେଡେନ୍‌ର ଏଭା ଲିଲ୍‌ଜେକ୍‌ଭିଷ୍ଟ ବର୍ଗ ବିଚାରକ ଭାବେ ଯୋଗଦେବେ।

ଶିକାରୀ କୁକୁର କେରାଭିନ୍‌ ହାଉଣ୍ଡ

ଦେଖିବାକୁ ଡେଙ୍ଗା ପତଳା ଓ ଦେଶୀ କୁକୁରଙ୍କ ଭଳି ଧୂସରିଆ ରଙ୍ଗର। କିନ୍ତୁ ପାଖକୁ ଯିବାକୁ ସାହସ ହେବନି। କାରଣ ଏହା ଏକ ଶିକାରୀ କୁକୁର। ଆଜି ପ୍ରଦର୍ଶନୀକୁ ଆସିଥିବା କେରାଭିନ୍‌ ହାଉଣ୍ଡ୍‌ ପ୍ରଜାତିର ମାଈ କୁକୁର ‘ଶ୍ରୀ’ ମାତ୍ର ୧୧ ମାସ ବୟସରେ ୨ ଥର ‘ଶ୍ରେଷ୍ଠ ପ୍ରଜାତି’ ଓ ୨ ଥର ଚାମ୍ପିଅନ୍‌ ଟ୍ରଫି ପାଇସାରିଛି। ନିଜ ହିଂସ୍ର ସ୍ବଭାବ ସହ ଏହା ଘର ଜଗିବାରେ ମାହିର। ମାଲିକର ବେଶ୍‌ ଆଜ୍ଞାକାରୀ। ଏହାର ଉଚ୍ଚତା ୨ ଫୁଟ ୮ ଇଞ୍ଚ ହୋଇଥିବା ବେଳେ ପ୍ରାୟ ସାଢ଼େ ୩ ଫୁଟ ଯାଏ ସେ ବଢ଼ିବ। ମହାରାଷ୍ଟ୍ରର ଏହି ପ୍ରଜାତିର କୁକୁରଙ୍କୁ ପୂର୍ବରୁ ରାଜା ମହାରାଜାମାନେ ପୋଷୁଥିବା ବେଳେ ଏହି କୁକୁରମାନଙ୍କୁ ଶିକାର ସମୟରେ ବ୍ୟବହାର କରାଯାଉଥିଲା। ସାଧାରଣତଃ ଏହି କୁକୁର ଜଙ୍ଗଲୀ ପ୍ରଜାତିର। ଜଙ୍ଗଲରେ ଶିକାର କରୁଥିବା ଏହି ପ୍ରଜାତିର କୁକୁର ହିଂସ୍ର ପ୍ରକୃତିର। ଏହି ପ୍ରଜାତିର କୁକୁର କଞ୍ଚା ମାଂସ ଭକ୍ଷଣ କରନ୍ତି। ଏମାନେ ଖୁବ୍‌ କ୍ଷୀପ୍ର ଓ ବୁଦ୍ଧିଆ।

ଡରେଇଲା ବେଲ୍‌ଜିୟାନ ମେଲିନଏସ୍‌
କୁକୁର ପ୍ରଦର୍ଶନୀରେ ଆଜି ଆକର୍ଷଣର କେନ୍ଦ୍ର ପାଲଟିଥିଲା ବେଲ୍‌ଜିୟାନ ମେଲିନଏସ୍‌। ଦିନେ ଏହି ପ୍ରଜାତିର କୁକୁରକୁ କୁଖ୍ୟାତ ଆତଙ୍କବାଦୀ ଲାଡେନ୍‌କୁ ଧରିବା ପାଇଁ ନିୟୋଜିତ କରାଯାଇଥିବା ବେଳେ ଆଜି ସେମାନଙ୍କୁ କାର୍‌ନାମା ଦେଖିବା ପାଇଁ ଲୋକେ ଉତ୍ସୁକ ହୋଇ ଅପେକ୍ଷା କରିଥିଲେ। ଟାଟା ଷ୍ଟିଲ୍‌ କମ୍ପାନିରେ ୱାଚ୍‌ ଡଗ୍‌ ଭାବେ କାର୍ଯ୍ୟରତ ‌ଏହି ବେଲ୍‌ଜିୟାନ ମେଲିନଏସ୍‌ ଏକାଠି ବସିଥିବା ବେଳେ ଯେଉଁମାନେ ବି ତାଙ୍କ ସମ୍ମୁଖ ଦେଇ ଯାଆସ କରୁଥିଲେ ସେମାନେ ଗର୍ଜି ଉଠୁଥିଲେ। ତେବେ ଯେତେବେଳେ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇଲେ, ଏକଦମ ଖେଳାଳି ପାଲଟି ଯାଇଥିଲେ। ହିଂସ୍ର ପ୍ରକୃତିର ହୋଇଥିଲେ ହେଁ ପଡ଼ିଆରେ ସେମାନଙ୍କ ଶାନ୍ତ ସ୍ବଭାବ ଓ ସ୍ଥିର ଖେଳ ପ୍ରଦର୍ଶନ ମନ ଜିଣି ନେଇଥିଲା। କୁକୁର ଟ୍ରେନର ସିଦ୍ଧାର୍ଥ ଆଚାର୍ଜିଙ୍କ କହିବା ମୁତାବକ, ଟାଟା ଷ୍ଟିଲ୍‌ ପ୍ଲାଣ୍ଟ୍‌ମାନଙ୍କରେ ଅନେକ ସଂଖ୍ୟାରେ ବେଲ୍‌ଜିୟାନ ମେଲିନଏସ୍‌ଙ୍କୁ ନିୟୋଜିତ କରାଯାଇଛି। ଆବଶ୍ୟକସ୍ଥଳେ ପୁଲିସ୍‌ ବି ଏମାନଙ୍କୁ ନେଇ ଅନୁସନ୍ଧାନ କରେ। ଏମାନଙ୍କୁ ତାଲିମ୍‌ ଦେବା ପାଇଁ ନିୟୋଜିତ ଟ୍ରେନରମାନଙ୍କୁ ମାସିକ ପାଖାପାଖି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ମିଳେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର