ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ : ‘ଉତ୍ପାଦନ ବୃଦ୍ଧି କରି ଖାଦ୍ୟାଭାବ ଦୂର କର’

ଭୁବନେଶ୍ବର : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ରେ ୧୯ତମ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଏମ୍ଏସ୍‌ଏମ୍ଇ ଓ ମତ୍ସ୍ୟ, ପଶୁ ପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉପସ୍ଥିତ ଚାଷୀ ତଥା ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ମନ୍ତ୍ରୀ ତାଙ୍କ ଭାଷଣରେ ବୈଜ୍ଞାନିକମାନଙ୍କୁ ପରିବର୍ତିତ ଜଳବାୟୁ ଦ୍ବାରା ପ୍ରଭାବିତ ଜଳରାଶିରେ କ୍ଷୁଦ୍ର ମତ୍ସ୍ୟଚାଷୀ ଜୀବନଧାରଣ ମାନରେ ପରିବର୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ଗବେଷଣା ଉପରେ ଜୋର୍ ଦେବାପାଇଁ ପରାମର୍ଶ ଦେଇଥିଲେ। ଜୈବିକ ଜଳକୃଷିକୁ ଆପଣେଇବା ସହ ପରିବେଶକୁ ସୁହାଇଲା ଭଳି ଜ୍ଞାନକୌଶଳରେ ଅଧିକ ଉତ୍ପାଦନ କରି ଦେଶର ଖାଦ୍ୟାଭାବ ଦୂର କରିବା ପାଇଁ ମନ୍ତ୍ରୀ ମତ୍ସ୍ୟ ପାଳକଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ଚାଷୀମାନେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଫାଇଦା ନେବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହ ନୀଳ ବିପ୍ଳବକୁ  ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାର ବଦ୍ଧ ପରିକର ବୋଲି ଦର୍ଶାଇଥିଲେ। ଏହି ଉତ୍ସବରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିବନ୍ଧୁ ପଣ୍ତା ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ଅନୁସନ୍ଧାନ ସଂସ୍ଥା ପରସ୍ପର ହାତ ମିଳାଇ ମତ୍ସ୍ୟଜୀବୀଙ୍କ ପାଇଁ ଗବେଷଣା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେବା ଉଚିତ୍ ବୋଲି ମତ ରଖିଥିଲେ।  ଫାଲ୍‌କନ ଏକ୍ସପୋର୍ଟ ଲିମିଟେଡର ନିର୍ଦେଶିକା ପ୍ରିୟଙ୍କା ମହାନ୍ତି ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ପରିବର୍ତନଶୀଳ ମତ୍ସ୍ୟ ବ୍ୟବସାୟ ସ୍ଥିତି ବିଷୟରେ ଉପସ୍ଥିତ କ୍ଷୁଦ୍ର ମତ୍ସ୍ୟଜୀବୀମାନଙ୍କୁ ଅବଗତ କରାଇଥିଲେ। କିପରି ମତ୍ସ୍ୟ ଉତ୍ପାଦନ ଓ ବିକ୍ରିବଟାରେ ସାମିଲ ହୋଇ ଅଧିକ ଲାଭବାନ ହୋଇପାରିବେ ଏହା ଉପରେ ଆଲୋକପାତ କରିଥିଲେ। ସିଫାର ନିର୍ଦେଶିକା ଡ. ବିନ୍ଦୁ ଆର୍. ପିଲାଇ ସ୍ବାଗତ ଭାଷଣ ଦେଇ ବିଗତ ତିନି ଦଶନ୍ଧିରେ ସଂସ୍ଥାର ସଫଳତମ ଗବେଷଣା ଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମାରୋହରେ ଭାରତର ବିଭିନ୍ନ ରାଜ୍ୟରୁ ୯୦ରୁ ଅଧିକ ଚାଷୀ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ଅଗ୍ରଣୀ ମତ୍ସ୍ୟପାଳକଙ୍କୁ ସମ୍ବର୍ଧିତ କରାଯାଇଥିଲା। ସଂସ୍ଥା ପକ୍ଷରୁ ମତ୍ସ୍ୟ ବିଜ୍ଞାନ ସମ୍ବନ୍ଧିତ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରଧାନ ବୈଜ୍ଞାନିକ ଡ. ଜି.ଏସ୍‌. ସାହା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର