ଖେଳ ସରିଲା, ଭୁଲିଗଲେ

ଜାତୀୟ ପତାକାକୁ ସମ୍ମାନ ଏମିତି...

ଭୁବନେଶ୍ୱର : ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଲାଗି ଏକ ମାସ ହେଲା ଉତ୍ସବମୁଖର ହୋଇ ଉଠିଥିଲା ରାଜଧାନୀ। ବିମାନବନ୍ଦରଠାରୁ ତାରକା ହୋଟେଲ ପର୍ଯ୍ୟନ୍ତ। ସବୁଠି ଭରପୂର ସାଜସଜ୍ଜା ହୋଇଥିଲା। ରାସ୍ତାପାର୍ଶ୍ୱ ଡିଭାଇଡ୍‌ରେ ଫରଫର ହୋଇ ଉଡ଼ୁଥିଲା ୮ଟି ଦେଶର ଜାତୀୟ ପତାକା। ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର ଛକ ରାସ୍ତା, କଳିଙ୍ଗ ଷ୍ଟାଡିୟମ୍‌ ସମ୍ମୁଖ ଭାଗ ରାସ୍ତାରେ ବି ପତାକା ଲଗାଯାଇଥିଲା, ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଅନ୍ତର୍ଜାତୀୟ ଖେଳ ସରିଯାଇଥିଲେ ମଧ୍ୟ ରାସ୍ତାରେ ଉଡ଼ୁଥିବା ପତାକା କଥାକୁ ଏବେ ସମସ୍ତେ ଯେପରି ଭୁଲି ଯାଇଛନ୍ତି।

ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ ଲାଗିଥିବା ପତାକାଗୁଡ଼ିକ ମଧ୍ୟରୁ ଅର୍ଧାଧିକ ଉଡ଼ିଗଲାଣି। ଯେତିକି ବି ରହିଛି ତା’ ଅବସ୍ଥା ନ କହିବା ଭଲ। ଭାରତର ତ୍ରିରଙ୍ଗା କେବୁଲ୍‌ ତାରରେ ଗୁଡ଼ାଇ ହୋଇଛି। ଆଉ କିଛି ପତାକା ଅଳ୍ପ ଝୁଲି ରହିଛି। କେବେ ଗଳିବ ତାହା ବି କେହି କହିପାରିବେ ନାହିଁ। କେବଳ ଏହି ସ୍ଥାନ ନୁହେଁ। କଳିଙ୍ଗ ଷ୍ଟାଡିୟମ୍‌ ସମ୍ମୁଖ ରାସ୍ତାରେ ଲଗାଯାଇଥିବା ପତାକା ଅବସ୍ଥା ବି ତଦୃପ। ପ୍ରତ୍ୟେକ ଦେଶର ୧୦ଟି ପତାକା କଳିଙ୍ଗ ଷ୍ଟାଡିୟମ୍‌ ଛକରୁ ଜୟଦେବ ବିହାର ଛକ ମଧ୍ୟରେ ଲଗାଯାଇଥିଲା। ସେଥିରୁ କେତେକ ଦେଶର ପତାକା ଚିରି ଗଳି ପଡ଼ିଲାଣି। ତଥାପି ପତାକାକୁ ଖୋଲିବାକୁ କାହାରି ହାତ ଯାଉନି।

ପତାକାର ଏଭଳି ସ୍ଥିତିକୁ ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖେଳ ପୂର୍ବରୁ ସହରକୁ ସାଜସଜ୍ଜା କରାଯାଇଥିବା ବେଳେ ସରିଲା ପରେ ସରକାରୀ ବାବୁମାନେ କିଭଳି ଜାତୀୟ ପତାକାକୁ ସମ୍ମାନ ଦେବାକୁ ଭୁଲିଗଲେ। ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ କରି ଯେତେ ବାହାଦୂରୀ ନେଲେ କ’ଣ ହେବ। ଯଦି ପ୍ରଶାସନିକ ଅଧିକାରୀମାନେ ଜାତୀୟ ପତାକାକୁ ସମ୍ମାନ ଦେଇ ଶିଖିନାହାନ୍ତି ତେବେ ସେମାନେ ଲୋକଙ୍କ ସମସ୍ୟା କ’ଣ ବୁଝିବେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର