ସର୍ବଭାରତୀୟ ଆଇନ ପ୍ରବେଶିକାରେ ଓଡ଼ିଆ ଛାତ୍ରଙ୍କ କୃତିତ୍ୱ

ଚନ୍ଦ୍ରଶେଖରପୁର: ସର୍ବଭାରତୀୟ ଆଇନ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାରେ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରର ଦ୍ୱାଦଶ ଶ୍ରେଣୀ ଛାତ୍ର ରିତେଶ ପଟ୍ଟନାୟକ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ବିଦ୍ୟାଳୟ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରିତେଶ ସମୁଦାୟ ୭୯.୨୫ ପ୍ରତିଶତ ନମ୍ବର ରଖିବା ସହ ଜାତୀୟସ୍ତରରେ ନବମ ସ୍ଥାନ ହାସଲ କରି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରେ ଅଧ୍ୟୟନ କରିବା ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ମୋଟ ୫୦ଟି ସିଟ୍‌ ବିଶିଷ୍ଟ ଏହି ବିଶ୍ୱବିଦ୍ୟାଳୟରେ ପଢ଼ିବା ନିମନ୍ତେ ଚଳିତ ମାସ ୬ ତାରିଖରେ ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷାରେ ପ୍ରାୟ ୨୦ ହଜାର ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ରିତେଶଙ୍କ ପିତା ଚଣ୍ଡୀପ୍ରସାଦ ପଟ୍ଟନାୟକ ଆୟକର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ମିନାର୍ଭା ମହାନ୍ତି ସିଡିଏ ଡିଏଭିରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ତାଙ୍କର ଏହି ସଫଳତାରେ ଚନ୍ଦ୍ରଶେଖରପୁର ଡିଏଭି ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି।

ସମ୍ବନ୍ଧିତ ଖବର