ଜାତୀୟ ପ୍ରେସ୍‌ ଦିବସ, ‘ସାମ୍ବାଦିକ ନ ଥିଲେ ଅରାଜକତା ବୃଦ୍ଧି ପାଇଥାନ୍ତା’

ଭୁବନେଶ୍ୱର: ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ବେ ସାମ୍ବାଦିକମାନେ ଜନସ୍ୱାର୍ଥ ପାଇଁ ଲଢ଼େଇ କରୁଛନ୍ତି। ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମ୍ବାଦିକମାନେ ନ ଥିଲେ ସମ୍ଭବତଃ ସମାଜରେ ଅରାଜକତା ବୃଦ୍ଧି ପାଉଥାନ୍ତା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜାତୀୟ ପ୍ରେସ୍‌ ଦିବସ ଅବସରରେ ଆଜି ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ବରିଷ୍ଠ ସାମ୍ବାଦିକମାନଙ୍କୁ ଉତ୍ତରପିଢ଼ିର ଆଦର୍ଶ ବୋଲି କହିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ବାଦ ସରବରାହ ସଂସ୍ଥାମାନଙ୍କର ବ୍ୟାବସାୟିକ ମଡେଲ ପ୍ରସ୍ତୁତ ଉପରେ ଗୁରୁତ୍ୱାରୋପ କରିଥିଲେ। ସାହାରା ନ୍ୟୁଜ୍‌ର ମୁଖ୍ୟ ଉପେନ୍ଦ୍ର ରାୟ, ଲୋକସେବକ ମଣ୍ଡଳର ସଚିବ ତଥା ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ ଏଥିରେ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଉପସ୍ଥିତ ଥିଲେ। ସେହିପରି ପ୍ରଥମ ଅଧିବେଶନରେ ‘ରିପୋର୍ଟିଂ ଇଣ୍ଟରପ୍ରିଟେସନ-ଏ ଜର୍ଣ୍ଣି’ ଶୀର୍ଷକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଯୋଗ ଦେଇ କଲମର ଦୁରୁପଯୋଗ ହେବା ଅନୁଚିତ ବୋଲି କହିଥିଲେ। ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରେସ୍ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ। ‘ସମାଜ’ର ସଂଯୋଜକ ସୁରେଶ ମନ୍ତ୍ରୀ, ଆକାଶବାଣୀର ପୂର୍ବତନ ରାଜ୍ୟ ସମ୍ବାଦଦାତା ସୁଧାଂଶୁ ଶେଖର ଧଡା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି କର, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ରମେଶ ମହାନ୍ତି, ଦିଲ୍ଲୀପ ବିଶୋୟୀ, ଗୁରୁକଲ୍ୟାଣ ମହାପାତ୍ର, ସନ୍ତୋଷ ପାଣ୍ଡେ, ଅଶୋକ ପଣ୍ଡା, ଅମିତ୍ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ପ୍ରଫେସର୍‌ ଦୁର୍ଗାଶଙ୍କର ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ସଭାପତିତ୍ୱ କରିଥିଲେ।

ଉତ୍ସବରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ସାରଦା ପ୍ରସନ୍ନ ନନ୍ଦଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ ଏବଂ ଜାତୀୟସ୍ତରରେ ଉପେନ୍ଦ୍ର ରାୟ, ପ୍ରଶାନ୍ତ ଏମ୍. ଆକେରେ, ମହମ୍ମଦ ଆଲାମ ଆଜାମ ଅଲ୍ଲୀ ମନ୍‌ସୁରୀ, ନରେନ୍ଦ୍ର ବି. ଆହିରି, ବିନୋଦ ପୋଦ୍ଦାର, ଭୀମ୍ ଶର୍ମା, ବ୍ରିଜେଶ ସିଂ, ରାଣା ଘୋଷ ପ୍ରମୁଖ ୮ଟି ସମ୍ବାଦପତ୍ରର ସଂପାଦକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ପଦ୍ମାବତୀ କୁଣ୍ଡୁ, ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରୀ କବିତା ଦାଶ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ସୋହିନୀ ବିଶ୍ୱାସ, ଢେଙ୍କାନାଳ ସ୍ଥିତ ଆଇଆଇଏମସିର ଛାତ୍ର ଆଲୋକ ଚନ୍ଦ୍ର ବାରିକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ବିଦୂଷୀ ରୟଙ୍କୁ ସମ୍ମାନିତ କରାଯାଇଥିଲା। ସିଏସ୍‌ଆର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜେଏସ୍‌ପିଏଲ୍‌ର ବରିଷ୍ଠ ଅଧିକାରୀ ସଞ୍ଜୟ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ୬୫ବର୍ଷରୁ ଊର୍ଦ୍ଧ୍ବ ୨୭ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍‌ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର