ଜାତୀୟ ଜନଜାତି କଳାବସ୍ତୁ ମେଳା ଆରମ୍ଭ

ଭୁବନେଶ୍ୱର: ଘର, କାର୍ଯ୍ୟାଳୟ ହେଉ କିମ୍ବା ରେସ୍ତୋଁରା। ସାଜସଜ୍ଜା ପାଇଁ ବର୍ତ୍ତମାନ ଚାହିଦାରେ ରହିଛି ଅନୁସୂଚିତ ଜାତି ଓ ଜନଜାତି ହାତ ତିଆରି ଉତ୍ପାଦ। ଖାସ ସେଇଥି ପାଇଁ ତ ପ୍ରତି ବର୍ଷ ସ୍ଥାନୀୟ ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ ପରିସରରେ ଆୟୋଜିତ ହେଉଥିବା ‘ଜାତୀୟ ଜନଜାତି କଳାବସ୍ତୁ ମେଳା’ରେ ସହରିଆଙ୍କ ନାହିଁ ନଥିବା ଭିଡ଼ ଜମେ। ଜନଜାତିମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ, ବିକାଶ ଏବଂ ସେଗୁଡ଼ିକୁ ଅଧିକ ଲୋକପ୍ରିୟ କରାଇବା ସହ ଜନଜାତି କାରିଗରମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରି ନିଜ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ‘ଜାତୀୟ ଜନଜାତି କଳାବସ୍ତୁ ମେଳା-୨୦୧୭’ ଆଜି ଉଦ୍‌ଘାଟିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ କମିସନର୍‌ ସୁରେନ୍ଦ୍ର କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ଆର୍‌. ରଘୁପ୍ରସାଦ ଓ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ଏ ବି ଓତା ପ୍ରମୁଖ ଏଥିରେ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ମେଳାରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, କେରଳ, ମହାରାଷ୍ଟ୍ର, ସିକିମ୍‌, ତ୍ରିପୁରା, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ୧୦ ରାଜ୍ୟର ଶହେରୁ ଊର୍ଧ୍ୱ ଜନଜାତି କାରିଗର ଅଂଶଗ୍ରହଣ କରିଛନ୍ତି। ମେଳା ପରିସରରେ ପ୍ରାୟ ୪୫ଟି ଷ୍ଟଲ୍‌ ଖୋଲିଛି। ଏଥିରେ କାରୁକାର୍ଯ୍ୟ, ତନ୍ତବୁଣା ସାମଗ୍ରୀ, ଲୌହ, ବାଉଁଶ, କଣ୍ଢେଇ, ଲାଖ, ଜନଜାତି ଅଳଙ୍କାର, ଡୋକ୍‌ରା ଶିଳ୍ପ, ଜନଜାତି ବସ୍ତ୍ର ଓ ଚିତ୍ରକଳା ଆଦି ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ହେଉଛି। ଆସନ୍ତା ୭ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ସାନ୍ତାଳ, ଗଣ୍ଡ ଓ ବାଥୁଡ଼ିମାନଙ୍କର ଲାଖ ଶିଳ୍ପ, ମାଙ୍କଡ଼ିଆମାନଙ୍କ ଶିଆଳି ଶିଳ୍ପ, ଭୋତଡ଼ାମାନଙ୍କ ଧାନ୍ୟକଳା, ଡଙ୍କରିଆ କନ୍ଧମାନଙ୍କ ଏମ୍ବ୍ରୋଡୋରି କାମ, କନ୍ଧମାନଙ୍କ ଡୋକ୍‌ରା ଶିଳ୍ପ ସହ ଝାଡ଼ଖଣ୍ଡର ବୟନଶିଳ୍ପ, ବାଉଁଶ ଓ ଧାତୁ ଶିଳ୍ପ, ଜନଜାତି ଅଳଙ୍କାର, କେରଳର କଣ୍ଢେଇ ଶିଳ୍ପ, ଛତିଶଗଡ଼ର ଲୌହ ଶିଳ୍ପ ଆଦି ମେଳାର ମୁଖ୍ୟ ଆକର୍ଷଣ। ମେଳା ଆସନ୍ତା ୩୦ ତାରିଖ ଯାଏଁ ଦିନ ୨ଟାରୁ ରାତି ୮.୩୦ ଯାଏଁ ଚାଲିବ।

ଟସର ସୂତା ତିଆରି ପ୍ରକ୍ରିୟାର ନିଆରା ଝଲକ

ଆଜିର ଫ୍ୟାସନ୍‌ରେ ଟସର ପୋଷାକର ଚାହିଦା ସ୍ୱତନ୍ତ୍ର ରହିଛି। ଫ୍ୟାସନ୍‌ ସୋ’ ହେଉ କି ବିବାହ ପାର୍ଟି, ଏହି ବସ୍ତ୍ର ଆଜି ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି। ଏହି ସବୁ ବସ୍ତ୍ରର ଦାମ୍‌ ମଧ୍ୟ ଆକଶଛୁଆଁ। ତେବେ ଏହି ଟସର ସୂତା କିଭଳି ତିଆରି ହୁଏ, ଏହାର ଏକ ଝଲକ ଆଜି ମେଳା ପରିସରରେ ଦେଖିବାକୁ ମିଳିଥିଲା। ଛତିଶଗଡ଼ ଜଗଦଲ୍‌ପୁରରୁ ଆସିଥିବା ଜାନକୀ ମହାନ୍ତି ନିଜ ସହଯୋଗୀଙ୍କ ସହ ପ୍ରଦର୍ଶନ କରିଥିଲେ ଟସର୍‌ ସୂତା ତିଆରିର ପ୍ରକ୍ରିୟା ସବୁକୁ। ଜାନକୀ କୁହନ୍ତି, ପ୍ରଥମେ ଟସର କୋଷାକୁ ୩-୪ ଘଣ୍ଟା ପର୍ଯ୍ୟନ୍ତ ମାଟି ଖାର ଦେଇ ସିଝା ଯାଇଥାଏ। ଗରମ ହେବା ଫଳରେ ଏହା କୋମଳ ହୋଇଯାଏ। ଥଣ୍ଡା ହେବା ପରେ ସେଗୁଡ଼ିକୁ ଭଲ ଭାବେ ଧୋଇ ସୂତା କଢ଼ା ଯାଇଥାଏ। ସେହି ସୂତା ପିଣ୍ଡୁଳାରୁ ସରୁ ସରୁ ଭାଗ କାଢ଼ି ତାକୁ ପାଣିରେ ମଳି ଅରଟରେ ସଂଗଠିତ ଉପାୟରେ ରଖାଯାଇ ବୁଣାକାରଙ୍କୁ ବିକ୍ରି କରାଯାଇଥାଏ। ତେବେ ଜାନକୀଙ୍କୁ ଦିନକୁ ୨୦୦ ଟଙ୍କା ପାରିଶ୍ରମିକ ମିଳୁଥିବା ସେ କହିଛନ୍ତି। ଗତ ୩୦ ବର୍ଷ ଧରି ଏହି ବୃତ୍ତିରେ ସେ ଥିବାରୁ ଧୀରେ ଧୀରେ ଟସର ପୋଷାକର ଚାହିଦା ବଢ଼ିବାର ସେ ମୂକସାକ୍ଷୀ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର