ଏବେ ଫୋକସ୍‌ ରୋଡ୍‌ ସୋ’, ଆଜିଠୁ ନବୀନଙ୍କ ମାରାଥନ୍‌ ପ୍ରଚାର

ଭୁବନେଶ୍ବର : ଭୁବନେଶ୍ବରରେ ନିର୍ବାଚନ ପ୍ରଚାର ସରିବାକୁ ଆଉ ମାତ୍ର ୪ଦିନ ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଏବେ ରୋଡ୍‌ ସୋ’ ଉପରେ ଗୁରୁତ୍ବ ଦେଇଛନ୍ତି। ନାମାଙ୍କନ ଦାଖଲ ପରେ ପ୍ରାର୍ଥୀମାନେ ବିଭିନ୍ନ ‌କଲୋନି, ବସ୍ତି, ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ପଦଯାତ୍ରା କରିବା ସହ ଘରକୁ ଘର ବୁଲି ଭୋଟ୍‌ ଦେବାକୁ ଅନୁରୋଧ କରୁଥିଲେ। ମତଦାତାଙ୍କୁ ଭେଟି ସେମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ କ’ଣ କ’ଣ କରିବେ ତା’ର ଲମ୍ବା ଚଉଡା ତାଲିକା ଥିବା ଲିଫ୍‌ଲେଟ୍‌ ବାଣ୍ଟୁଥିଲେ। ପଦଯାତ୍ରା କରି ସବୁ ଅଞ୍ଚଳ ବୁଲିବା ପରେ ପ୍ରାର୍ଥୀ ଏବେ ରୋଡ୍‌ ସୋ’ କରି ସବୁ ଅଞ୍ଚଳକୁ ନିଜେ ଯାଉଛନ୍ତି।

ଦ୍ବିତୀୟ ପର୍ଯ୍ୟାୟରେ ଷ୍ଟାର ପ୍ରଚାରକ, ସିନେ ତାରକାଙ୍କୁ ନେଇ ରୋଡ୍‌ ସୋ’ କରୁଛନ୍ତି। ପ୍ରାର୍ଥୀଙ୍କ ଟାର୍ଗେଟ୍‌ କମ୍‌ ସମୟରେ ଅଧିକରୁ ଅଧିକ ସ୍ଥାନରେ ନିଜର ପ୍ରଚାର କରିବା‌। ୨୧ତାରିଖ ସଂଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବାରୁ ଏହା ପୂର୍ବରୁ ନିର୍ବାଚନମଣ୍ଡଳୀ ସ୍ତରରେ ବାରମ୍ବାର ରୋଡ୍‌ ସୋ’ କରି ଭୋଟରଙ୍କ ମଧ୍ୟରେ ଦଳୀୟ ହାୱା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁବନେଶ୍ବରରେ ରୋଡ୍‌ ସୋ’ କରିଥିବାବେଳେ ଆଜି ବିଜେପି ପ୍ରାର୍ଥୀମାନେ ସେମାନଙ୍କ ଅଞ୍ଚଳରେ ରୋଡ୍‌ ସୋ’ କରିଛନ୍ତି। ଆଗକୁ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ବରିଷ୍ଠ ନେତା ‌ଏବଂ ବିଭିନ୍ନ ଷ୍ଟାର ପ୍ରଚାରକଙ୍କୁ ନେଇ ରୋଡ୍‌ ସୋ’ କରିବାକୁ ଲକ୍ଷ୍ୟ ରଖିଛି।

କେବଳ ବିଜେପି ନୁହେଁ ବିଜେଡି ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ସେମାନଙ୍କ ନିର୍ବାଚନ ମଣ୍ଡଳୀ ସ୍ତରରେ ରୋଡ୍‌ ସୋ’ କରିବାକୁ ଯୋଜନା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କଟକରେ ରୋଡ୍‌ ସୋ’ କରି ଫେରିବା ସମୟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ମୁଖ୍ୟମନ୍ତ୍ରୀ କଟକରୁ ନବୀନ ନିବାସ ଫେରିବା ସମୟରେ ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା ହୋଇ ଯାଇଥିଲେ। ତେଣୁ ରାସ୍ତାରେ ଶତାଧିକ ଲୋକ ନବୀନ ବସିଥିବା ହାଇଟେକ୍ ବସ୍‌କୁ ଘେରି ଶୁଭେଚ୍ଛା ଜଣାଇଥିଲେ। ନବୀନ ବି ନମସ୍କାର କରି, ହାତ ହଲାଇ ପ୍ରତି ଅଭିବାଦନ ଜଣାଇଥିଲେ।

ଆଜିଠୁ ନବୀନଙ୍କ ମାରାଥନ୍‌ ପ୍ରଚାର

ଭୁବନେଶ୍ବର : ନବୀନଙ୍କ ରୋଡ୍‌ ସୋ’ ଅନ୍ୟ ନେତାମାନଙ୍କ ଠାରୁ ଭିନ୍ନ ତାହା କଟକ‌ରେ ଆୟୋଜିତ ରୋଡ୍‌ ସୋ’ ଏବଂ କଟକ-ଭୁବନେଶ୍ବର ରାସ୍ତାରେ ଜଣାପଡ଼ିଯାଇଛି। ନବୀନଙ୍କୁ ପାଖରୁ ଦେଖିବାକୁ, ତାଙ୍କ କଥା‌ ଶୁଣିବାକୁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ୍ ଆଜି ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ନବୀନ ଆଜି ଭୁବନେଶ୍ବରର କିଛି ଅଞ୍ଚଳରେ ରୋଡ୍‌ ସୋ’ କରିବାର ଥିଲେ ହେଁ କଟକ-ଭୁବନେଶ୍ବର ରାସ୍ତା ମଝିରେ ତାଙ୍କ ଗାଡ଼ିକୁ ସମର୍ଥକମାନେ ଘେରି ଯିବାରୁ ଗାଡ଼ି ଆଗକୁ ଗଡ଼ିବା କଷ୍ଟକର ହୋଇପଡ଼ିଥିଲା। ଏପରିକି ପୁଲିସ କର୍ମଚାରୀମାନେ ବହୁ କଷ୍ଟରେ ଲୋକଙ୍କୁ ହଟାଇବା ପରେ ନବୀନ ଆଗକୁ ବଢ଼ିଥିଲେ।

ମୁଖ୍ୟମନ୍ତ୍ରୀ ଗୁରୁବାର ଓ ଶୁକ୍ରବାର ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରେ ରୋଡ୍‌ ସୋ’ କରିବେ ବୋଲି ଜଣାପଡ଼ିଛି। ଦୁଇ ଦିନରେ ବିଭିନ୍ନ ଅଞ୍ଚଳରେ ରୋଡ୍‌ ସୋ’ କରିବା ସହ ପ୍ରତି ନିର୍ବାଚନ ମଣ୍ଡଳୀରେ ତିନିରୁ ଚାରୋଟି ସ୍ଥାନରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ରୋଡ୍‌ ସୋ’ ପାଇଁ ପ୍ରାର୍ଥୀ ଓ କର୍ମୀମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି।

ନବୀନଙ୍କ ଆଗରେ ଏକ ବାଇକ୍ ‌େଶାଭାଯାତ୍ରା ଯିବ। ଏହାସହ ତିନି ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ବି ମୁଖ୍ୟମନ୍ତ୍ରୀଙ୍କ ଆଗ ପଛ ହୋଇ ଯିବେ। କେଉଁ ନିର୍ବାଚନ ମଣ୍ଡଳୀର କେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି କେତେ ସମୟ ଅଟକିବ ଓ ସେ ସମ୍ବୋଧନ କରିବେ ତାହା ଚୂଡ଼ାନ୍ତ ହୋ‌ଇଯାଇଛି। ଦିନବେଳା ପ୍ରବଳ ଖରା ଯୋଗୁଁ ନବୀନ ପ୍ରାର୍ଥୀମାନଙ୍କ ସହ ଅପରାହ୍‌ଣରେ ଓ ସଂଧ୍ୟାରେ ରୋଡ୍‌ ସୋ’ କରିବେ।

ସମ୍ବନ୍ଧିତ ଖବର