ଜୟଦେବରେ ହେଭିୱେଟ୍‌ଙ୍କ ପ୍ରଚାର, ୧୭ରେ ନବୀନଙ୍କ ରୋଡ୍‌ ସୋ’

ବାଲିଅନ୍ତା : ଆସନ୍ତା ୨୩ତାରିଖରେ ଜୟଦେବ ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ଏଠାରେ ହେଭିୱେଟ୍‌ଙ୍କ ପ୍ରଚାର ଜମୁଛି। କଂଗ୍ରେସ ପ୍ରଥମରୁ ଲଢ଼େଇରୁ ବାଦ୍‌ ପଡ଼ିଥିବାରୁ ଏବେ ବିଜେଡି-ବିଜେପି ଏବଂ ଆମସଂଗଠନ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୩ ତାରିଖରେ ବାଲିପାଟଣା ଗୋରୁହାଟ ପଡ଼ିଆରେ ବିଜୟ ସଂକଳ୍ପ ସଭାରେ ଉଦ୍‌ବୋଧନ ଦେଇଥିବାବେଳେ ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ନରେନ୍ଦ୍ରନାଥ ନାୟକଙ୍କ ପାଇଁ ପ୍ରଚାର କରିଥିଲେ। ଅପରାଜିତା ଏବଂ ନରେନ୍ଦ୍ର ଇତି ମଧ୍ୟରେ ଲଗାତାର ଶୋଭାଯାତ୍ରା କରିଚାଲିଥିବାରୁ ବିଜେପି ସମର୍ଥକମାନେ ଉତ୍ସାହିତ ହୋଇପଡ଼ିଛନ୍ତି।

ଅପରପକ୍ଷେ ବିଜେଡି ପ୍ରାର୍ଥୀ ଅରବିନ୍ଦ ଢାଲି ବିଳମ୍ବରେ ପ୍ରଚାର ଆରମ୍ଭ କରିବା ଏବଂ ଏକାକୀ ପ୍ରଚାର କରିବା ଦ୍ବାରା ବିଜେଡି ପ୍ରଚାର ଏପର୍ଯ୍ୟନ୍ତ ଜୋର୍‌ ଧରିନି। ତେଣୁ ବିଜେଡି ପ୍ରାର୍ଥୀଙ୍କୁ ଅଧିକ ଶକ୍ତିଶାଳୀ କରିବା ଓ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ୧୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟଦେବରେ ରୋଡ୍‌ ସୋ’ କରିବେ। ନବୀନ ହାଇଟେକ୍ ପ୍ରଚାର ବସ୍‌ରେ ଅପରାହ୍ନରେ ବାଲିଅନ୍ତା ନିକୁଞ୍ଜ ବିହାରୀ ମନ୍ଦିର ନିକଟରୁ ରୋଡ୍‌ ସୋ’ରେ ବାହାରିବେ। ବେଣୁପୁର ପୂର୍ତ୍ତ ବିଭାଗ ଗୋପ ବ୍ରାଞ୍ଚ୍‌ କେନାଲ ବନ୍ଧ ରାସ୍ତା‌ରେ ବେଣୁପୁର, ଭିଙ୍ଗାରପୁର, ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତ ଅଞ୍ଚଳ ଦେଇ ବନମାଳିପୁର ବଜାରରେ ପହଞ୍ଚିବେ। ସେଠାରୁ ଅଠ‌ାନ୍ତର ବାଲିପାଟଣା ଛକ ରାସ୍ତା ଦେଇ ବାଳକାଟି ମୁଖ୍ୟ ରାସ୍ତାରେ ଭୁବନେଶ୍ବର ଫେରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଆସୁଥିବା ଜାଣିବା ପରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମସ୍ତ ଅସନ୍ତୁଷ୍ଟ ନେତାଙ୍କୁ ବି ଏକାଠି କରିବାକୁ ଦଳ ପକ୍ଷରୁ ଉଦ୍ୟମ ଚାଲିଛି।

ଅପରପକ୍ଷେ ଶ୍ରୀ ଢାଲି ଆଜି ଭାପୁର, ଆମଣାକୁଦ, ଦେଉଳିଧରପୁର, ନରିଶୋ ଆଦି ପଞ୍ଚାୟତ ପରିକ୍ରମା କରିଥିଲେ। ବିଭିନ୍ନ ସ୍ଥାନରେ ଶ୍ରୀ ଢାଲିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଢାଲିଙ୍କ ସହ ବହୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କ ସହ ପଞ୍ଚାୟତ ଜନ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ସହ ଯୁବନେତା ଦୁର୍ଗାନନ୍ଦନ ମିଶ୍ର ଓ ଲକ୍ଷ୍ମଣ ପଟ୍ଟନାୟକ ସାମିଲ ହୋଇଥିଲେ।

ଅନ୍ୟ ପକ୍ଷରେ ‘ଆମ ସଂଗଠନ’ର ଗଡ଼ଶ୍ରୀରାମପୁରସ୍ଥିତ କାର୍ଯ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପିର ହଜାର ହଜାର ଅସନ୍ତୁଷ୍ଟ କର୍ମୀ ଓ ସମର୍ଥକ ସାମିଲ ହୋଇଛନ୍ତି। ‘ଆମ ସଂଗଠନ’ର ଅଧ୍ୟକ୍ଷ ଚନ୍ଦନ କୁମାର ପାତ୍ର ଓ ସଂପାଦକ ଚୌଧୁରୀ ଦ୍ବାରିକା ନାଥ ଦାଶଙ୍କ ସମେତ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ଓ ଉପାଧ୍ୟକ୍ଷ ଦୀପକ ସ୍ବାଇଁ , ଖୋର୍ଧା ଜିଲ୍ଲା ନାରୀ ନେତ୍ରୀ ପଦ୍ମିନୀ ଦାଶ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଗତକାଲି ଚଢ଼େଇଗୁଆଁ ଭୋଇ ସାହି, ଝିଣ୍ଟି, ପୂରଣ ପ୍ରଧାନ, ସରକଣା, ଭିଙ୍ଗାରପୁର, ବେଣ୍ଟପୁର, ପ୍ରତାପରୁଦ୍ରପୁର, ବାଲିପାଟଣା ବ୍ଲକର ଭାକର ସାହି, ଧାନହରା, ମଝିହରା, ବସନ୍ତମାଳ, ନରଦା ଆଦି ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୋଲି ପ୍ରଚାର କରିବା ସହିତ ଅଟୋରିକ୍ସା ଚିହ୍ନରେ ଭୋଟ୍‌ ଦେବାକୁ କହିଥିଲେ। ଆଜି ନବ କିଶୋର ତୁରିନ୍ତିରା ଓ ଗୁଆପୁରରେ ପ୍ରଚାର କରିଥିଲେ। ଆମ ସଂଗଠନ ପ୍ରାର୍ଥୀ ସ୍ଥାନୀୟ ନେତାଙ୍କ ପ୍ରଚାର ମାଧ୍ୟମରେ ବିଜେପି ଓ ବିଜେଡିର ହେଭିୱେଟ୍‌ ନେତାଙ୍କୁ କଡା ଟକ୍କର ଦେବାକୁ ଉଦ୍ୟମ ଚଳାଇଛନ୍ତି।

ସେହିପରି ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ରାଘବ ସେଠୀ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ସହିତ ତାଙ୍କୁ ଭୋଟ୍‌ ‌େଦବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ପ୍ରାର୍ଥିପତ୍ର ନାକଚ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡି ଚଳିତ ନିର୍ବା‌ଚନରେ ରାଘବଙ୍କୁ ସମର୍ଥନ କରିବେ। କିନ୍ତୁ ସୁକାନ୍ତ କି ତାଙ୍କ ସମର୍ଥକ ଏପର୍ଯ୍ୟନ୍ତ ରାଘବଙ୍କ ପ୍ରଚାରରେ ବାହାରିନାହାନ୍ତି।

ସମ୍ବନ୍ଧିତ ଖବର