ଦଶପଲ୍ଲା ହାଜତ ମୃତ୍ୟୁ ଘଟଣା : ୪ ସପ୍ତାହ ମଧ୍ୟରେ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ନିର୍ଦେଶ

ଭୁବନେଶ୍ୱର : ଦଶପଲ୍ଲା ଥାନା ଅଧୀନ ମଧ୍ୟଖଣ୍ଡ ଫାଣ୍ଡି ହାଜତ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ପ୍ରବୀର ଦାସ ଓ ମନୋଜ ଜେନାଙ୍କ ଆବେଦନକୁ ଗ୍ରହଣ କରି ମାନବାଧିକାର କମିସନ ମାମଲାରେ ହସ୍ତକ୍ଷେପ କରିଛନ୍ତି। ପୁଲିସ ଦର୍ଶାଇଥିବା ହାଜତ ମୃତ୍ୟୁର କାରଣକୁ ନେଇ ସନ୍ଦେହ ଥିବାରୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କମିସନ ଏଚ୍‌ଆରପିସି ଅତିରିକ୍ତ ଡିଜି ଓ କଟକ ସେଣ୍ଟ୍ରାଲ ରେଞ୍ଜ ପୁଲିସ୍‌ ଆଇଜିଙ୍କୁ ନିର୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି, ତାହା ୪ ସପ୍ତାହ ବା ମେ’୨୧ ତାରିଖ ମଧ୍ୟରେ ଜଣାଇବା ସହ ଜୁଡିସିଆଲ ମ୍ୟାଜିଷ୍ଟ୍ରେଟ୍‌ କରିଥିବା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ରହିଛି। ଏହାର ପରବର୍ତୀ ଶୁଣାଣି ମେ’ ୨୫ ତାରିଖରେ ରହିଛି।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ସିମିଳିସାହିର କାଳିଆ ଖଟୁଆ ଏକ ହତ୍ୟାକାଣ୍ଡରେ ଧରା ପଡ଼ିଥିଲେ। ତାଙ୍କୁ ମଧ୍ୟଖଣ୍ଡ ଫାଣ୍ଡିରେ ରଖି ପଚରାଉଚରା କରାଯାଉଥିଲା। ଗତ ଏପ୍ରିଲ ୧୭ ତାରିଖରେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲରେ ଭର୍ତି କରାଯାଇଥିଲା। ୩ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। କିରାସିନି ଢାଳି କାଳିଆ ଆତ୍ମହତ୍ୟା କରିଥିବା ପୁଲିସ୍‌ କହୁଥିବା ବେଳେ ତାଙ୍କ ପତ୍ନୀ କିନ୍ତୁ ହତ୍ୟା ଅଭିଯୋଗ ଆଣିଥିଲେ। ପୁଲିସ୍‌ ଅଧିକାରୀମାନେ ପଚରାଉଚରା ବେଳେ ଆକ୍ରୋଶମୂଳକ ଭାବେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଥିଲେ। ପୁଲିସ୍‌ ହେପାଜତରେ ଥିବା ବେଳେ ସେ କିରାସିନି କେଉଁଠୁ ପାଇଲେ, ସେତେବେଳେ ସେଠାରେ ଡ୍ୟୁଟିରେ ଥିବା ପୁଲିସ୍‌ କର୍ମଚାରୀ (ସେଣ୍ଟ୍ରି) କୁଆଡ଼େ ଯାଇଥିଲେ, ଏଭଳି ଅନେକ ପ୍ରଶ୍ନ କାଳିଆଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରୁଛି ବୋଲି ମୃତକଙ୍କ ପତ୍ନୀ ଅଭିଯୋଗ ଫର୍ଦରେ ଦର୍ଶାଇଥିଲେ। ଏଭଳି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚା ହେବା ପରେ ଉପରୋକ୍ତ ଅଭିଯୋଗକାରୀ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଘଟଣାର ନିରପେକ୍ଷ ତଦନ୍ତ ସହ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଓ କର୍ତବ୍ୟରେ ଅବହେଳା କରିଥିବା ପୁଲିସ୍‌ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କମିସନ୍‌ ଆବେଦନକୁ ଗ୍ରହଣ କରିବା ସହ ଉପରୋକ୍ତ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର