ଅଳିଆ ଗଦାରେ ନବଜାତ ଶିଶୁକନ୍ୟା

ଗୁରୁତର ଅବସ୍ଥାରେ ଶିଶୁ ଭବନରେ ଭର୍ତି, ଚିକିତ୍ସା ପାଇଁ ସ୍ବତନ୍ତ୍ର ଟିମ୍‌

ଚନ୍ଦ୍ରଶେଖରପୁର: କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଢ଼ୁ ନଥିବା ଦେଖାଯାଇଛି। ଏବେ ବି କନ୍ୟା ସନ୍ତାନ ଅନେକଙ୍କ ପାଇଁ ଅଲୋଡ଼ା ହୋଇ ରହିଛି। ତାହା ପୁଣି ସଭ୍ୟ ଓ ଶିକ୍ଷିତ ଲୋକ ବାସ କରୁଥିବା ଖୋଦ୍‌ ରାଜଧାନୀରେ। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତିବିହାର ଅଞ୍ଚଳରେ ଥିବା ବିଏମ୍‌ସିର ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଏକ ଖବରକାଗଜ ଉପରେ ଶିଶୁକନ୍ୟାଟି କାନ୍ଦୁଥିବା ବେ‌େ‌ଳ ତା’ ମୁହଁରେ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା। ଏପରି କ୍ଷତଚିହ୍ନ କିପରି ହେଲା ତାହା ସ୍ପଷ୍ଟ ଜଣାପଡ଼ି ନଥିଲେହେଁ କୌଣସି ଜଙ୍ଗଲୀ ଜନ୍ତୁ ତା ମୁହଁକୁ କାମୁଡ଼ି ଏପରି କ୍ଷତ ସୃଷ୍ଟି କରିଥିବା କୁହାଯାଉଛି। ଶିଶୁଟିକୁ ରକ୍ତାକ୍ତ ଅବସ୍ଥାରେ ‌ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରାଇ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲା। ପରେ ସେଠାରୁ କଟକ ଶିଶୁ ଭବନକୁ ପଠାଯାଇଛି। ତା’ର ସ୍ବାସ୍ଥ୍ୟାବସ୍ଥା ସ˚କଟାପନ୍ନ ଥିବାରୁ ଶିଶୁଭବନର ସର୍ଜରି ଵାର୍ଡରେ ଭର୍ତ୍ତି କରାଯାଇଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା କରୁଥିବା ବେଳେ ଆଇସିୟୁକୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଉଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ଚାଇଲ୍ଡ ଲାଇନ୍‌ର ସ˚ଯୋଜକ ନାରାୟଣ ସାହୁ ଓ ତାଙ୍କ ଟିମ୍‌କୁ ଗୁରୁତର ଶିଶୁର ଯତ୍ନ ପାଇଁ ନିୟୋଜିତ କରାଯାଇଛି। ଡିସିପିଓ ପ୍ରଗତି ମହାନ୍ତି କହିଛନ୍ତି, ଶିଶୁର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ଖୋର୍ଧା ଡିସିପିଓ ଏବ˚ ସିଡବ୍ଲୁସିଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇ ସ୍ଥାନୀୟ ଥାନାରେ ଏତଲା ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି। ସୂଚନା ଅନୁଯାୟୀ ଶିଶୁଟିକୁ କେହି ଶନିବାର ବିଳମ୍ବିତ ରାତିରେ ପ୍ରଶାନ୍ତି ବିହାର ମୁଖ୍ୟ ଲେନ୍ ଡଷ୍ଟ୍‌ବିନ୍ ନିକଟରେ ଛାଡ଼ି ପଳାଇଥିବା ଅନୁମାନ କରାଯାଇଛି। କିଏ ଏପରି ଅସହାୟ ଭାବେ ଶିଶୁଟିକୁ ଛାଡ଼ି ପଳାଇଛି ତାହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମଧ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ଆଖପାଖ ବିଭିନ୍ନ ଘରୋଇ ହସ୍ପିଟାଲ୍‌ରେ ଜନ୍ମ ନେଇଥିବା ନବଜାତ ଶିଶୁମାନଙ୍କ ଅଭିଭାବକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଛି। ଅନ୍ୟପକ୍ଷରେ ଶିଶୁଟିର ମୁହଁ ଓ ଡାହାଣ ଆଣ୍ଠୁକୁ କୌଣସି ଜଙ୍ଗଲୀ ପଶୁ କିମ୍ବା କୁକୁର କାମୁଡ଼ି ରକ୍ତାକ୍ତ କରିଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର