ନୂଆ ହୋଲ୍‌ଡିଂ ଟିକସ ନିଷ୍ପତ୍ତି ସ୍ଥଗିତ, ନୂଆ ଘରୁ ନୂଆ ନିୟମରେ ଆଦାୟ ହେବନି

ଭୁବନେଶ୍ବର : ନୂଆ ହୋଲଡିଂ ଟିକସ ଲାଗୁ ନିଷ୍ପତ୍ତିକୁ ସ୍ଥଗିତ ରଖିଲା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ଲୋକଙ୍କ ବିରୋଧ ସାଙ୍ଗକୁ ବିଭିନ୍ନ ରାଜ‌ନୈତିକ ଦଳର ଆନ୍ଦୋଳନ ଚେତାବନୀ ପରେ ବିଏମ୍‌ସି ଏଭଳି ନିଷ୍ପତ୍ତି ନେଇଛି। ଭୁବନେଶ୍ବରରେ ନୂଆ ଘର ଓ ଆପାର୍ଟମେଣ୍ଟ କିଣୁଥିବା ଲୋକଙ୍କ ହୋଲଡିଂ ଟିକସ ଏବେ ଆଉ ବଢ଼ିବ ନାହିଁ। କେବଳ ଜମିର ବର୍ତ୍ତମାନର ବେଞ୍ଚ ମାର୍କ ମୂଲ୍ୟ ଉପରେ ହୋଲଡିଂ ଟିକସ ଦେବାକୁ ପଡ଼ିବ। ଏନେଇ ଗତ ୧୯ ତାରିଖରେ ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରବର୍ତୀ ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ନିଷ୍ପତ୍ତି ସ୍ଥଗିତ ରହିବ ‌ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ବିଏମ୍‌ସି ପକ୍ଷରୁ ଅକ୍ଟୋବର ୧ରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ସାଧାରଣ ପ୍ରଶାସନ ବିଭାଗ ଜମିର ବେଞ୍ଚ ମାର୍କ ମୂଲ୍ୟ ବଢ଼ାଇ ଥିବାରୁ ସେହି ଅନୁଯାୟୀ ହୋଲଡିଂ ଟିକସ ବଢ଼ା ଯାଉଛି। ୧୯୯୮ ମସିହାରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପାଇଁ ଧାର୍ଯ୍ୟ ହୋଇଥିବା ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ବିଏମ୍‌ସି ହୋଲଡିଂ ଟିକସ ଆଦାୟ କରୁଛି। ୨୧ ବର୍ଷ ହେଲା ହୋଲଡିଂ ଟିକସ ବଢ଼ି ନ ଥିବାରୁ ଏବେ ରାଜସ୍ବ ବୃଦ୍ଧି ପାଇଁ ନୂଆ ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ନୂଆ ନିୟମରେ ଆବାସିକ ଘର ପିଛା ହୋଲଡିଂ ଟିକସ ପ୍ରାୟ ୩ରୁ ୪ ଗୁଣ ବଢ଼ା‌ଯାଇଥିବା ‌ବେଳେ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଭଡ଼ା ଲଗାଉଥିବା ଘର ପାଇଁ ଏହା ବହୁଗୁଣ ବଢ଼ି ଯାଇଛି।

ଆପାର୍ଟମେଣ୍ଟଗୁଡ଼ିକରୁ ହୋ‌ଲଡିଂ ଟିକସ ଆଦାୟ ପାଇଁ ଯେଉଁ ନିୟମ ହୋଇଥିଲା ସେଥିରେ କୁହାଯାଇଥିଲା ଯେ ଯେତିକି ଟଙ୍କାରେ ଘର କିଣା ହୋଇଥିବ ତାହାର ମୂଲ୍ୟ ହିସାବକୁ ନିଆଯିବ। ଫ୍ଲାଟ୍ ବାବଦକୁ ଯେତିକି ଜମି ପଞ୍ଜୀକୃତ ହୋଇଥିବ ତାହାକୁ ହିସାବକୁ ନେଇ ହୋଲଡିଂ ଟିକସ ହିସାବ ହେବ। ସେହିପରି ଯେଉଁମାନେ ନୂଆ ଘର ନିର୍ମାଣ କରିବେ ସେମାନଙ୍କ ଠାରୁ ଘରର ମୂଲ୍ୟ ହିସାବରେ ବି ହୋଲଡିଂ ଟିକସ ଆଦାୟ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା ବର୍ଗଫୁଟ ପିଛା ଘର ନିର୍ମାଣ ଖର୍ଚ୍ଚକୁ ହିସାବକୁ ନେଇ ଏହି ଟିକସ ଧାର୍ଯ୍ୟ ହେବ। ଫଳରେ ଆପାର୍ଟମେଣ୍ଟ କିଣୁଥିବା ଏବଂ ନୂଆ ଘର ନିର୍ମାଣ କରିବାକୁ ଥିବା ଲୋକେ ବିଏମ୍‌ସିକୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଟିକସ ଗଣିବେ। ସେହିପରି ନିର୍ମାଣ ହେଉଥିବା ଘର ଯେତିକି ଦାମିକିଆ ହେବ ଟିକସ ବି ସେତେ ଅଧିକ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା।

ବର୍ତ୍ତମାନ ଆବାସିକ ‌ହୋଲଡିଂ ଟିକସ ଆଦାୟ ପାଇଁ ଜମି ଓ ଘରର ମୂଲ୍ୟକୁ ହିସାବକୁ ନେଇ ୧୭.୫% ଟିକସ ଆଦାୟ ହେଉଛି। ଏଥିରେ ହୋଲଡିଂ ଟିକସ ବାବଦକୁ ୧୦%, ଲାର୍ଟିନ୍ ଟ୍ୟାକ୍ସ ବାବଦକୁ ୨.୫% ଏବଂ ଷ୍ଟ୍ରିଟଲାଇଟ୍‌ ବାବଦକୁ ୫% ହିସାବରେ ଆଦାୟ ହେଉଛି।

ବିଏମ୍‌ସି ୨୫% ହୋଲଡିଂ ଟିକସ ଆଦାୟ କରିପାରିବାର ନିୟମ ଥିଲେ ହେଁ ସେହି ୧୭.୫% ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଏମ୍‌ସିର ହୋଲଡିଂ ଟିକସ ନିୟମ ଅନୁଯାୟୀ, ଘର ଯେତିକି ଅଞ୍ଚଳ (ବର୍ଗମିଟର)ରେ ନିର୍ମାଣ ହୋଇଥିବ ସେଥିରେ ୧୩.୬୫ ଟଙ୍କା ଗୁଣି ହିସାବ ହେବ। ଏଥିରୁ ୧୫% ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ କଟିବ। ପୁଣି ଏଥିରେ ହୋଲଡିଂ ଟିକସ ଆଦାୟ ହେଉଥିବା ଜମିର ବେଞ୍ଚ ମାର୍କ ମୂଲ୍ୟର ୦.୫% ମିଶାଯିବ। ଯେତିକି ‌ଟଙ୍କା ହେବ, ତାହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଜଣେ ବର୍ଷକୁଏହି ମୂଲ୍ୟର ୧୭.୫% ହୋଲଡିଂ ଟିକସ ବାବଦକୁ ଦେବ ‌ବୋଲି କୁହାଯାଇଥିଲା।

ନୂଆ ହୋଲଡିଂ ଟିକସ ନିୟମକୁ ସବୁ ସ୍ତରରେ ବିରୋଧ କରାଯାଇଥିଲା। ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ସାଧାରଣ ଲୋକେ ବି ଅସନ୍ତୋଷ ପ୍ରକାଶ କରିଥିଲେ। ଏକ ମାସ ଧରି ବିରୋଧ ଜାରି ରହିବା ପରେ ବିଏମ୍‌ସି ପକ୍ଷରୁ ନୂତନ ହୋଲଡିଂ ଟିକସ ନିୟମକୁ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର