ବରମୁଣ୍ଡାରେ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍‌

ଖର୍ଚ୍ଚ ହେବ ୧୮୦କୋଟି, ଜୁନ୍‌ରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ, ୧୫ ମାସରେ କାମ ସରିବ

ଭୁବନେଶ୍ୱର: ରାଜ୍ୟର ସବୁଠୁ ଅଧିକ ବସ୍‌ ଚଳାଚଳ କରୁଥିବା ବରମୁଣ୍ଡା ବସଷ୍ଟାଣ୍ଡକୁ ନୂଆ ରୂପ ଦିଆଯିବ। ଏଠାରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବଶ୍ୟକୀୟ ପ୍ରଶାସନିକ ଏବଂ ବୈଷୟିକ ନିଷ୍ପତ୍ତି ନିଆଯାଇଛି। ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ଏହି ପ୍ରକଳ୍ପ କାର୍ଯ୍ୟନ୍ଵୟନ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ପ୍ରକଳ୍ପର ବର୍ତମାନ ସ୍ଥିତ ଅନୁଧ୍ୟାନ କରି ଜୁନ୍‌ ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ସହ କଣ୍ଟ୍ରାକ୍ଟ ଏଗ୍ରିମେଣ୍ଟ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାଦେଶ ଦିଆଯିବାର ୧୫ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ନୂଆ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ୧୮୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଇପିସି କଣ୍ଟ୍ରାକ୍ଟ ଭିତ୍ତିରେ ପ୍ରକଳ୍ପ ନିର୍ମାଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆବଶ୍ୟକୀୟ ଅର୍ଥର ୪୦% ରାଜ୍ୟ ସରକାର ଦେବାକୁ ଥିବାବେଳେ ୪୦% ଅର୍ଥ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଓୟୁଆଇଡିଏଫ୍‌) ପାଣ୍ଠିରୁ ଋଣ ଆକାରରେ ଅଣାଯିବ। ଅବଶିଷ୍ଟ ୨୦% ଅର୍ଥ ବିଡିଏ ରାଜଧାନୀ ଅଞ୍ଚଳ ସମନ୍ଵିତ ଉନ୍ନୟନ ପାଣ୍ଠି (ସିଆଇଡିଏଫ୍‌)ରୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରୁ ଜଣାପଡ଼ିଛି ଯେ, ବରମୁଣ୍ଡା ବସଷ୍ଟାଣ୍ଡ ନିର୍ମାଣ ସମୟରେ ବି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଠାରୁ ଯାତ୍ରୀ ବସ୍‌ରେ ଚଢ଼ିବେ ଓ ଓହ୍ଲାଇବେ। କେବଳ ରାତ୍ରି ରହଣି କରୁଥିବା ବସ୍‌ଗୁଡ଼ିକ ଖଣ୍ଡଗିରି ନିକଟସ୍ଥ ଅସ୍ଥାୟୀ ପାର୍କିଂ ଷ୍ଟାଣ୍ଡରେ ପାର୍କିଂ କରିବେ। ବର୍ତମାନ ବରମୁଣ୍ଡାରେ କାମ କରୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଗ୍ୟାରେଜ୍‌ ଏବଂ ଓ୍ଵାର୍କସପ୍‌କୁ ଅସ୍ଥାୟୀ ଭାବେ ଖଣ୍ଡଗିରି ପାର୍କିଂସ୍ଥଳୀ ସାମ୍ନାକୁ ସ୍ଥାନାନ୍ତର କରାଯିବ। ଗ୍ୟାରେଜ୍‌ ଏବଂ ପାର୍କିଂସ୍ଥଳ ନିର୍ମାଣ ଖର୍ଚ୍ଚ ପ୍ରକଳ୍ପ ଖର୍ଚ୍ଚ ସହିତ ସାମିଲ୍‌ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ବସ୍‌ଷ୍ଟାଣ୍ଡର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ବିଦ୍ୟୁତ, ଟେଲିଫୋନ୍‌ ଓ ଜଳଯୋଗାଣ ଆଦି ବ୍ୟବସ୍ଥାର ସ୍ଥାନାନ୍ତର, ଟେଲ୍‌କୋ ପାର୍ଶ୍ୱ ରାସ୍ତାର ପ୍ରଶସ୍ତିକରଣ, ବସ୍‌ର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ରାସ୍ତା ନିର୍ମାଣ, ଯାତ୍ରୀଙ୍କ ଯିବା ଆସିବା ଏବଂ କାର୍‌, ଅଟୋ, ଟାଉନ୍‌ ବସ୍‌ ଆଦିର ଯାତାୟାତ ପାଇଁ ଅଲଗା ରାସ୍ତାର ବ୍ୟବହାର, ବସ୍‌ଷ୍ଟାଣ୍ଡର ନିର୍ମାଣ ଏବଂ କାର୍ଯ୍ୟକାରିତା ପାଇଁ ସଂପୃକ୍ତ କର୍ତ୍ତୃପକ୍ଷ ଓ ସଂସ୍ଥାଗୁଡ଼ିକରୁ ସ୍ୱୀକୃତିପତ୍ର ଓ ଅନୁମତି ଆଦି ବିଷୟରେ ସବିଶେଷ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.ବାଲକ୍ରିଷ୍ଣନ, ଓଡିଶା ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ କେ.ବି ସିଂହ, ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନ୍‌ କାନ୍ତ ପାଣ୍ଡେ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି.ଶ୍ରୀନିବାସ୍‌, ସ୍ୱତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର, ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌, ସ୍ୱତନ୍ତ୍ର ଶାସନ ସଚିବ ପ୍ରେମ୍‌ କୁମାର ଝା, ପୁଲିସ କମିସନର ଓ୍ଵାଇ.ବି ଖୁରାନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମିଳିବ ଅନଲାଇନ୍‌ ବୁକିଂ, ପ୍ରିପେଡ୍‌ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବରମୁଣ୍ଡାରେ ରାଜ୍ୟର ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ହେବ। ୧୫.୫ ଏକର ଜମିରେ ପରିବ୍ୟାପ୍ତ ଏହି ବସ୍‌୍‌ଷ୍ଟାଣ୍ଡ୍‌ରେ ବହୁ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ। ଯାତ୍ରୀଙ୍କ ସୁବିଧା ସୁଯୋଗ ପାଇଁ କେତେକ ସମନ୍ଵିତ ଯୋଜନା ସ୍ୱରୂପ ପ୍ରିପେଡ୍‌ ଅଟୋ ଓ ଟ୍ୟାକ୍ସିଂ ବୁକିଂ ଏବଂ ଡ୍ରପିଂ ବ୍ୟବସ୍ଥା ରହିବ। ଅନ୍‌ଲାଇନ୍‌ରେ ବସ୍‌ ଟିକେଟ ବୁକିଂଠାରୁ ଅଟୋ ବୁକିଂ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ। ବହୁତଳ ବସ୍‌ ଓ କାର୍‌ ପାର୍କିଂ ସୁବିଧା ରହିବ। ଯାତ୍ରୀଙ୍କ ପାଇଁ ଏସି ଏବଂ ସାଧାରଣ ପ୍ରତୀକ୍ଷାଳୟ ରହିବ। ଏହାବ୍ୟତୀତ ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ ହେବ।

ସିସିଟିଭି ନଜରରେ ରହିବ ବସ୍‌ଷ୍ଟାଣ୍ଡ
ବସ୍‌ଷ୍ଟାଣ୍ଡ୍‌ ନିର୍ମାଣରେ ସହରର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳିବ। ଏହାସହ ଆଧୁନିକ ସହରର ଛାପ ଦେଖିବାକୁ ମିଳିବ। ଯାତ୍ରୀଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧା ସୁଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବସ୍‌ଷ୍ଟାଣ୍ଡ୍‌ ପରିସରରେ ପ୍ରତି କୋଣ ଅନୁକୋଣରେ ସିସିଟିଭି ଲାଗିବ। ଏହାକୁ ପରିଚାଳନା କରିବାକୁ କଣ୍ଟ୍ରୋଲ ରୁମ୍‌ ରହିବ। ଭବିଷ୍ୟତରେ ଏଠାରେ ଏକ ପୁଲିସ ଫାଣ୍ଡି ନିର୍ମାଣ କରାଯିବ। ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ। ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌କୁ ସଂପୂର୍ଣ୍ଣ ଭାବେ ଭିନ୍ନକ୍ଷମ ଏବଂ ଶିଶୁଙ୍କ ଅନୁକୂଳ ଭଳି ବନାଯିବ। ଭିନ୍ନକ୍ଷମାନଙ୍କୁ ସୁବିଧାରେ ଚଳପ୍ରଚଳ, ଯାତାୟାତ ପାଇଁ ର‍୍ୟାମ୍ପ୍‌ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଏହି ପ୍ରକଳ୍ପରେ ଅନ୍ତର୍ଜାତୀୟ ତଥା ଦେଶରେ ରହିଥିବା ସମସ୍ତ ନିୟମକୁ ପାଳନ କରାଯିବ।

କେମିତି ହେବ ନୂଆ ବସଷ୍ଟାଣ୍ଡ
ବରମୁଣ୍ଡା ବସଷ୍ଟାଣ୍ଡ ନେଇ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟି ମୋଡାଲ ଟ୍ରାନଜିଟ୍‌ ସିଷ୍ଟମ ଲିମିଟେଡ୍‌ (ଡିଆଇଏମ୍‌ଟିଏସ୍‌) ଡିଜାଇନ୍‌ ପ୍ରସ୍ତୁତ କରିଛି। ଏଥିରେ ବସଷ୍ଟାଣ୍ଡକୁ ଟର୍ମିନାଲ ଅଞ୍ଚଳ ଏବଂ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରିବାକୁ ଯୋଜନା ହୋଇଛି। ଡିଜାଇନ୍‌ ଅନୁଯାୟୀ, ପ୍ରାୟ ୧୫.୫ଏକର ଅଞ୍ଚଳରେ ଥିବା ବରମୁଣ୍ଡା ବସଷ୍ଟାଣ୍ଡର ୧୧ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସଂରକ୍ଷିତ ରହିବ। ପ୍ରସ୍ତୁତ ହୋଇଥିବା ଡିଜାଇନ୍‌ ଅନୁଯାୟୀ, ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍‌ ଚଳାଚଳ କରିବ। ଏହି ବସଷ୍ଟାଣ୍ଡ୍‌ରେ ସିଟି ବସଷ୍ଟାଣ୍ଡ୍‌ ରହିବ। ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକୀୟ ପାର୍କିଂ, ଏଲିଭେଟର ଓ ଏସ୍‌କ୍ଲାଭେଟର୍‌ ରହିବ। ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ୍‌ ଧୋଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ପୂରା ବସଷ୍ଟାଣ୍ଡରେ ଓ୍ଵାଇଫାଇ ସେବା ଉପଲବ୍ଧ ହେବ। ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସଂଯୋଗ ହେବ। ଏହି ବସଷ୍ଟାଣ୍ଡର ସ୍ୱତନ୍ତ୍ରତା ହେବ ଏଠାରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକତା, ବେଙ୍ଗାଲୁର ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆରଟିସି ଏହି ବସ୍‌ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଛି।

ସାଧାରଣ ପରିବହନ ଓ ବାଇସାଇକେଲ୍‌ ବ୍ୟବସ୍ଥା ଉପଲବ୍ଧ ହେବ
ବସଷ୍ଟାଣ୍ଡକୁ ଯେପରି ସହଜରେ ଲୋକ ଯାତାୟାତ କରପାରିବେ ସେଥିପାଇଁ ସମନ୍ଵିତ ପରିବହନ ବ୍ୟବସ୍ଥା ଉପଲବ୍ଧ ହେବ। ସିଟି ବସ୍‌, ବାଇସାଇକେଲ୍‌, ଅଟୋ ରିକ୍‌ସା, ଇ-ରିକ୍‌ସା ଭଳି ସମସ୍ତ ପ୍ରକାର ଯାନବାହନ ପାଇଁ ଏଠାରେ ଭିତ୍ତିଭୂମି ଉପଲବ୍ଧ ହେବ। ଏଠାରେ ଯାତ୍ରୀମାନେ ସାଧାରଣ ପରିବହନ ବ୍ୟବସ୍ଥାକୁ କିପରି ଗୁରୁତ୍ୱ ଦେବେ ସେନେଇ ଏଠାରେ ଆକର୍ଷଣୀୟ ବ୍ୟବସ୍ଥା ଉପଲବ୍ଧ ହେବ। ରେଳଯାତ୍ରା ସହ ବସ୍‌ ଯାତ୍ରା, ପିକ୍‌ ଅପ୍‌ ଆଣ୍ଡ୍‌ ଡ୍ରପ୍‌ ପ୍ରଭୃତି ସୁପରିକଳ୍ପିତ ସମନ୍ଵୟ ବ୍ୟବସ୍ଥା ରହିବ ଏହି ପ୍ରକଳ୍ପରେ।

ଟର୍ମିନାଲ ୪ମହଲା, ବାଣିଜ୍ୟିକ ଅଞ୍ଚଳ ୬ମହଲା ବିଶିଷ୍ଟ ହେବ
ବସ୍‌ ଟର୍ମିନାଲ୍‌ ୯,୮୩୯ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବାକୁ ଥିବାବେଳେ ତଳ ମହଲା ୪,୩୪୩ ବର୍ଗମିଟର, ପ୍ରଥମରୁ ତୃତୀୟ ମହଲା ପର୍ଯ୍ୟନ୍ତ ପ୍ରତ୍ୟେକ ମହଲା ୧୮୩୨ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ସେହିପରି ବାଣିଜ୍ୟିକ ଅଞ୍ଚଳ ୨୧,୩୫୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ତଳ ମହଲା ୧୮୫୦ବର୍ଗମିଟରର ହେବାକୁ ଥିବାବେଳେ ପ୍ରଥମରୁ ୫ମ ମହଲା ପର୍ଯ୍ୟନ୍ତ ପ୍ରତ୍ୟେକ ମହଲା ୩,୯୦୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ବେସ୍‌ମେଣ୍ଟ ପାର୍କିଂ ପାଇଁ ୯୦୦୦ ବର୍ଗମିଟର ରହିବ। ଏଠାରେ ଏକସଙ୍ଗେ ୩୦୦ଟି କାର୍‌ ପାର୍କିଂ କରିପାରିବ।

ସମ୍ବନ୍ଧିତ ଖବର