ନୂଆ ରୂପ ନେଉଛି ବସ୍ତି: କଥା କହୁଛି କାନ୍ଥ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି। ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ ବସ୍ତି ଅଞ୍ଚଳକୁ ସଫାସୁତରା ରଖିବା ଓ ଲୋକଙ୍କୁ ସଚେତନ କରିବା ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଟିସିଡି) ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ପଦକ୍ଷେପ ସ୍ୱରୂପ ସ୍ମାର୍ଟ ସିଟି ଅଧୀନରେ ଥିବା ବସ୍ତି ଅଞ୍ଚଳକୁ ନୂଆ ରୂପ ଦେବା ପାଇଁ ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ବସ୍ତି ଅଞ୍ଚଳରେ ଥିବା କାନ୍ଥ ବାଡ଼ରେ ବିଭିନ୍ନ କାର୍ଟୁନ୍‌, ଫୁଲ ଆଦି ଚିତ୍ର କରି ବସ୍ତି ପରିବେଶକୁ ସୁନ୍ଦର କରାଯାଉଛି। ଖାରବେଳ ନଗରର ଶାନ୍ତିନଗର ବସ୍ତି ଓ ସହିଦନଗରସ୍ଥିତ ତେଲଗୁ ବସ୍ତିରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ପରିବେଶ ସ୍ୱଚ୍ଛତା ଓ ଲିଙ୍ଗଗତ ପ୍ରଭେଦ ଦୂର ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଟିସିଡିରେ ଜଡ଼ିତ ଦୁଇଟି ଜାଗାକୁ ସୁସ୍ଥ ଓ ସୁନ୍ଦର କରାଯାଉଛି। ଶାନ୍ତି ନଗର ବସ୍ତିରେ ଥିବା ୪ ହଜାର ବର୍ଗଫୁଟର ପଡ଼ିଆକୁ ସେଠାକାର ବାସିନ୍ଦା ଖୋଲା ଶୌଚ ଲାଗି ବ୍ୟବହାର କରୁଥିଲେ। ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା। ଛୋଟ ଛୋଟ ପିଲାଙ୍କ ଉପରେ ବି ଏହାର ପ୍ରଭାବ ପଡ଼ୁଥିଲା। ଏବେ ବିଟିସିଡି ପକ୍ଷରୁ ପଦକ୍ଷେପ ନିଆଯାଇ ବସ୍ତି ଅଞ୍ଚଳରେ ଥିବା ଲୋକଙ୍କ ଘର କାନ୍ଥଗୁଡ଼ିକରେ ଚିତ୍ର କରାଯାଇଛି। ଏଥିରେ ସାମାଜିକ ବାର୍ତା ରହିଛି। ପିଲାଙ୍କ ଶିକ୍ଷଣୀୟ ଲାଗି ଏହା ବେଶ ସହାୟକ ହୋଇପାରିଛି। ସ୍ଥାନୀୟ ଅଞ୍ଚଳରେ ଶୈକ୍ଷିକ ଓ ସୁସ୍ଥ ପରିବେଶ ସୃଷ୍ଟି ହୋଇଛି।

ସେହିପରି ତେଲଗୁ ବସ୍ତିରେ ସଫାସୁତରା ଓ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ପାଇଁ ବିଭିନ୍ନ ସଚେତନତାଧର୍ମୀ ବାର୍ତା କାନ୍ଥରେ ଚିତ୍ର ଆକାରରେ କରାଯାଉଛି। କାନ୍ଥରେ ହୋଇଥିବା ଚିତ୍ରରେ ସାମାଜିକ ହିଂସା, ଅତ୍ୟାଚାର ରୋକିବା ନେଇ ସଚେତନତା ବାର୍ତା ରହିଛି। ବସ୍ତିବାସିନ୍ଦାଙ୍କ ସୁବିଧା ଲାଗି ମେଡିକାଲ ହେଲ୍ପଲାଇନ୍‌ ନମ୍ବରକୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଫଳରେ ବସ୍ତିବାସିନ୍ଦା କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଲେ, ସଙ୍ଗେ ସଙ୍ଗେ ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ। ଏହି କାର୍ଯ୍ୟ ଲାଗି ପ୍ରତିଦିନ ୪ରୁ ୫ ଜଣ ଚିତ୍ରକରଙ୍କୁ ନିୟୋଜିତ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଏ ନେଇ ତେଲଗୁ ବସ୍ତିର ରଘୁଆ ମାଝି କହନ୍ତି ଯେ ଏହା ବିଏମ୍‌ସିର ବହୁ ଭଲ ପଦକ୍ଷେପ। ଏହା ଦ୍ୱାରା ଲୋକମାନେ ସଚେତନ ହୋଇପାରିବେ। ସେହିପରି ଶାନ୍ତିନଗର ବସ୍ତିର ସଂଧ୍ୟା ବେହେରା କହନ୍ତି ଯେ ଯେଉଁଠି ସବୁବେଳେ ଅପରିଷ୍କାର ହୋଇ ରହୁଥିଲା, ତାହା ଏବେ ଭଲ କାମରେ ଲାଗିଲା। ପିଲାମାନଙ୍କୁ ଶିକ୍ଷା ଓ ଏକ ସୁସ୍ଥ ପରିବେଶ ମିଳିବ।

ସମ୍ବନ୍ଧିତ ଖବର