ଆଧୁନିକ ଓଡ଼ିଆ ସାହିତ୍ୟକୁ ଶାନ୍ତିନିକେତନର ଅବଦାନ ଅତୁଳନୀୟ

ଭୁବନେଶ୍ବର: ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ଓ ଅଧ୍ୟାପନା କରିଥିବା ବ୍ୟକ୍ତିବିଶେ‌ଷଙ୍କୁ ନେଇ ଗଠିତ ‘ବିଶ୍ବଭାରତୀ ପ୍ରାକ୍ତନୀ, ଓଡ଼ିଶା’ର ସ୍ବନକ୍ଷତ୍ର ଉତ୍ସବ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ପର୍ବରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧୁନିକ ଓଡ଼ିଆ ସାହିତ୍ୟ ଓ ଇତିହାସକୁ ଶାନ୍ତି ନି‌‌‌‌କେତନର ଅବଦାନ ଅତୁଳନୀୟ ବୋଲି କହିଥିଲେ। ପ୍ରଫେସର୍‌ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମି ପୂର୍ବାଞ୍ଚଳ ଶାଖାର ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ସାହୁ, ନାଟ୍ୟକାର ନୀଳାଦ୍ରି ଭୂଷଣ ହରିଚନ୍ଦନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଅନୁଷ୍ଠାନର ସଭାପତି କ୍ଷୀରୋଦ ଚନ୍ଦ୍ର ବେହେରା ସ୍ବାଗତ ଭାଷଣ ଏବଂ ସମ୍ପାଦିକା ମମତା ଷଡ଼ଙ୍ଗୀ ବିବରଣୀ ପାଠ କରିଥିଲେ। ପ୍ରଫେସର ଶ୍ୟାମସୁନ୍ଦର ମହାପାତ୍ର, ରାଧାକାନ୍ତ ମିଶ୍ର, ଅସିତ ବରଣ ଦାସଙ୍କୁ ‘ଗୁରୁ ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଉମାଚରଣ ‌ପୂଜାରୀଙ୍କ ଲିଖିତ ‘ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶ ଧାରାର ସାମାଜିକ ପୃଷ୍ଠଭୂମି’ ଏବଂ ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କ ‘ଓଡ଼ିଆ ନାଟକର ସମୀକ୍ଷାତ୍ମକ ଇତିହାସ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଦ୍ବିତୀୟ ଅଧିବେଶନରେ ଐତିହାସିକ ଲଲାଟେନ୍ଦୁ ଦାସ ମହାପାତ୍ର, ସାହିତ୍ୟିକ କଳ୍ପତରୁ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ତୋଷ କୁମାର ରଥ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀକାନ୍ତ ବାରିକ ସଂଯୋଜନା କରିଥିଲେ। ଦେବାନନ୍ଦ ଦାସ, ଦିବ୍ୟଶକ୍ତି ସାମନ୍ତରାୟ, ରବୀନ୍ଦ୍ର ବେହେରା, ରଂଜିତା ଅଧିକାରୀ, ଶଙ୍କର ପ୍ରସାଦ ତ୍ରିପାଠୀ, କୃପାସିନ୍ଧୁ ପ୍ରଧାନ, ସଂଗ୍ରାମ କେଶରୀ ରାଉତ, ନିହାର ରଂଜନ ସାହୁ, ଆଲୋକ କୁମାର ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସାଂସ୍କୃତିକ ସମ୍ପାଦକ ଅନନ୍ତ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର