ଦାୟିତ୍ବ ନେଲେ ବିଏମ୍‌ସି ପ୍ରଶାସକ

ଭୁବନେଶ୍ବର: ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ (କର୍ପୋରେଟର ଓ ମେୟର) କାର୍ଯ୍ୟକାଳ ବୁଧବାର ଶେଷ ହେବା ପରେ ରାଜ୍ୟ ସରକାର ସମବାୟ ବିଭାଗ ସଚିବ ତଥା ବିଏମ୍‌ସିର ପୂର୍ବତନ କମିସନର କ୍ରିଷନ କୁମାରଙ୍କୁ ପ୍ରଶା‌ସକ ଭାବେ ନିଯୁକ୍ତି ଦେଇଥିଲେ। ଆଜି ସେ ବିଏମ୍‌ସି ଅଫିସ ଆସି ନଥିଲେ ବି ବିଏମ୍‌ସି ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି। ସେହିପରି ଆଜି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ତାଙ୍କ ସରକାରୀ ଗାଡ଼ି ଫେରାଇ ଦେଇଛନ୍ତି। ଆଜି ପୂର୍ବାହ୍ଣରେ ପୂର୍ବତନ ମେୟରଙ୍କ ଡ୍ରାଇଭର୍‌ ଗାଡ଼ି ଆଣି ବିଏମ୍‌ସି କାର୍ଯ୍ୟାଳୟ ପରିସରରେ ରଖି ଦେଇଥିଲେ। ଆଉ ବିଏମ୍‌ସିର ମେକାନିକାଲ୍ ବିଭାଗକୁ ଚାବି ହସ୍ତାନ୍ତର କରିଥିବା ଜଣାପଡ଼ିଛି। କିନ୍ତୁ ଡେପୁଟି ମେୟର କେ. ଶାନ୍ତି ସରକାରୀ ଗାଡ଼ି ଫେରାଇଛନ୍ତି କି ନାହିଁ ଜଣାପଡ଼ିନି। ଏହାସହ ମେୟର ଓ ଡେପୁଟି ମେୟରଙ୍କ ଅଫିସ ବାହାରେ ଲାଗିଥିବା ବୋର୍ଡକୁ କର୍ତ୍ତୃପକ୍ଷ ହଟାଇ ଦେଇଛନ୍ତି। ମେୟର ନଥିବାରୁ କୌଣସି ଲୋକ ବି ଆଜି ଅଭିଯୋଗ ଆଣି ଆସିଥିବା ଦେଖିବାକୁ ମିଳି ନଥିଲା। ଅନ୍ୟ ଦିନ ଗୁଡ଼ିକରେ ମେୟରଙ୍କ ଅଫିସ ସମ୍ମୁଖରେ ମଧ୍ୟାହ୍ନରୁ ଅପରାହ୍ଣ ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ସେ ଭିଡ଼ ନଥିଲା। କ୍ରିଷନ କୁମାର ପ୍ରଶାସକ ଦାୟିତ୍ବ ନେଇଥିଲେ ବି ତାଙ୍କ ଚାମ୍ବରକୁ ଆସି ନଥିଲେ। ହେଲେ କମିସନର ଆଜି ଦିନତମାମ୍‌ ବିଏମ୍‌ସିରେ ଥିଲେ। ଜଣେ ଦୁଇ ଜଣ ପୂର୍ବତନ କର୍ପୋରେଟରଙ୍କୁ ଛାଡ଼ି ବିଏମ୍‌ସିରେ ଅନ୍ୟ କୌଣସି ପୂର୍ବତନ କର୍ପୋରେଟରଙ୍କୁ ଦେଖା ମିଳି ନଥିଲା। ଆଜି ଯେଉଁ ଜଣେ ଦୁଇ ଜଣ ପୂର୍ବତନ କର୍ପୋରେଟର୍‌ ଆସିଥିଲେ ସେମାନେ ବିଏମ୍‌ସିର ଅଧିକାରୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା କିଛି ସମସ୍ୟା ଜଣାଇଥିଲେ। କିନ୍ତୁ ଆଗରୁ ଯେଉଁ ଦମ୍ଭରେ କହୁଥିଲେ ଆଜି ସେ ଦମ୍ଭ ନଥିଲା।

ସମ୍ବନ୍ଧିତ ଖବର