ଏପ୍ରିଲ ୧ରୁ ନୂଆ ପାର୍କିଂ ବ୍ୟବସ୍ଥା

୫ଟି ପ୍ୟାକେଜ୍‌ରେ ବିଭକ୍ତ ହେଲା ୬୪ଟି ପାର୍କିଂସ୍ଥଳୀ ପାର୍କିଂ ଫି’, ଅବଧି ବଦଳିବନି

ଭୁବନେଶ୍ୱର: ଏପ୍ରିଲ ୧ତାରିଖରୁ ରାଜଧାନୀର ପାର୍କିଂ ବ୍ୟବସ୍ଥା ବଦଳିବ। ଗୋଟିଏ ପାର୍କିଂ ଅଞ୍ଚଳ ପାଇଁ ବାରମ୍ବାର ପାର୍କିଂ ଫି’ ଦେବାକୁ ପଡ଼ିବନି। ଗୋଟିଏ ନିର୍ଦ୍ଦିଷ୍ଟ ପରଧି ଭିତରେ କେତୋଟି ଅଞ୍ଚଳ ପାଇଁ ବି ୪ଘଣ୍ଟା ପର୍ଯ୍ୟନ୍ତ ଏକାଧିକ ଥର ଫି’ ଦେବାକୁ ପଡ଼ିବନି। ଏହିଭଳି ୫ଟି ପ୍ୟାକେଜ୍‌୍‌ରେ ଭୁବନେଶ୍ୱରର ୬୪ଟି ପାର୍କିଂସ୍ଥଳୀକୁ ବିଭକ୍ତ କରିଛି ବିଏମ୍‌ସି। ଶିଶୁ ଭବନ ଛକରୁ ଶ୍ରୀୟା ଛକ, ଶ୍ରୀୟା ଛକରୁ ବାଣୀବିହାର ଛକ, ୟୁନିଟ-୧ ହାଟରୁ କଳ୍ପନା ଛକ, ସମ୍‌ ହସ୍ପିଟାଲ ଛକରୁ ଖଣ୍ଡଗିରି ଦେଇ ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ ପର୍ଯ୍ୟନ୍ତ ଅଞ୍ଚଳକୁ ଏହି ନୂଆ ପାର୍କିଂ ଅଞ୍ଚଳରେ ସାମିଲ୍‌ କରାଯାଇଛି। ବିଏମ୍‌ସି ଏହି ୫ଟି ପ୍ୟାକେଜ୍‌ରୁ ବାର୍ଷିକ ପ୍ରାୟ ୫କୋଟି ଟଙ୍କା ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ନୂଆ ପାର୍କିଂ ବ୍ୟବସ୍ଥା ପାଇଁ ବିଏମ୍‌ସି ପକ୍ଷରୁ ଟେଣ୍ଡର ଆହ୍ଵାନ ହୋଇଛି। ଆସନ୍ତା ଏପ୍ରିଲ ୧ରୁ ନୂଆ ନିୟମ ଲାଗୁ ହେବାକୁ ଥିବାରୁ ଟେଣ୍ଡର ପ୍ରକ୍ରିୟା ଫେବ୍ରୁଆରି ୨୦ତାରିଖ ସୁଦ୍ଧା ଶେଷ କରିବାକୁ ଯୋଜନା ହୋଇଛି। ପାର୍କିଂ ପାଇଁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଥିବାବେଳେ ଫେବ୍ରୁଆରି ୨୦ତାରିଖରେ ଟେଣ୍ଡର ଖୋଲା ହେବ। ବିଏମ୍‌ସିର ନୂଆ ପାର୍କିଂ ନିୟମରେ ଗୋଟିଏ ପ୍ୟାକେଜ୍‌ ଅଞ୍ଚଳରେ ଜଣେ ବ୍ୟକ୍ତି କେବଳ ଥରେ ହିଁ ପାର୍କିଂ ଶୁଳ୍କ ଦେବେ। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତି ଯଦି ବାଣୀବିହାର ଛକଠାରେ ପାର୍କିଂ ଫି ଦେଇଛନ୍ତି ଏବଂ ଏହାପରେ ସେ ରୁପାଲି ଛକଠାରେ ଗାଡ଼ି ପାର୍କିଂ କରୁଛନ୍ତି ତେବେ ନୂତନ ନିୟମ ଅନୁସାରେ ତାଙ୍କୁ ଆଉଥରେ ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ। ତେବେ ପୂର୍ବର ନିୟମ ଅନୁସାରେ ପାର୍କିଂର ଦେୟ କିମ୍ବା ଘଣ୍ଟାପ୍ରତି ଦେୟରେ କୌଣସି ପରିବର୍ତନ ବା ସଂଶୋଧନ ହୋଇ ନାହିଁ। ଦୁଇ ଚକିଆ ଯାନ ପ୍ରଥମ ୪ଘଣ୍ଟା ପାଇଁ କେବଳ ୫ଟଙ୍କା ଦେବାକୁ ନିୟମ ରହିଥିବା ବେଳେ ୪ ଘଣ୍ଟାରୁ ଅଧିକ ସମୟ ପାର୍କିିଂ ପାଇଁ ୧୦ଟଙ୍କା ଦେବାକୁ ନିୟମ ରହିଛି। ସେହିଭଳି ଚାରିଚକିଆ ଯାନ ପାଇଁ ପ୍ରଥମ ୨ଘଣ୍ଟା ପ୍ରତି ୨୦ ଟଙ୍କା ଏବଂ ୪ଘଣ୍ଟା ପାଇଁ ୪୦ଟଙ୍କା ଦେବାକୁ ନିୟମ କରାଯାଇଛି।

ପ୍ୟାକେଜ୍‌ ୧ରେ ଶିଶୁ ଭବନରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଅଞ୍ଚଳ ରହିଥିବାବେଳେ ଏଥିରେ ୧୪ଟି ପାର୍କିଂ ସ୍ଥଳୀ ରହିଛି। ଏଥିପାଇଁ ଟେଣ୍ଡର ଅପସେଟ୍‌ ମୂଲ୍ୟ ୭୯ଲକ୍ଷ ୭୦ହଜାର ୧୩୫ଟଙ୍କା ରଖାଯାଇଛି। ସେହିପରି ପ୍ୟାକେଜ୍‌ ୨ରେ ଶ୍ରୀୟା ଛକରୁ ବାଣୀବିହାର ପର୍ଯ୍ୟନ୍ତ ଅଞ୍ଚଳ ରହିଥିବାବେଳେ ୧୩ଟି ପାର୍କିଂସ୍ଥଳୀ ରହିଛି। ଏଥିପାଇଁ ଟେଣ୍ଡର୍‌ ମୂଲ୍ୟ ୮୨ଲକ୍ଷ ୮୨ହଜାର ୩୧୦ଟଙ୍କା ରଖାଯାଇଛି। ପ୍ୟାକେଜ୍‌ ୩ରେ ଦକ୍ଷିଣ ପୂର୍ବ ଜୋନ୍‌ ୟୁନିଟ-୧ ହାଟ, ପ୍ରଦର୍ଶନୀ ପଡ଼ିଆ, କର କ୍ଲିନିକ, ବିଗ୍‌ ବଜାରରୁ ଆରମ୍ଭ କରି ସଚିବାଳୟ ମାର୍ଗରେ ଥିବା ପାର୍କିଂ ସ୍ଥଳୀ, ଜନପଥରୁ ସଚିବାଳୟ ମାର୍ଗ ମଧ୍ୟରେ ଥିବା ପାର୍କିଂ ସ୍ଥଳୀ, ୟୁନିଟ-୪ ଅଞ୍ଚଳ ଭଳି ୧୮ଟି ପାର୍କିଂସ୍ଥଳୀ ରହିଥିବାବେଳେ ଏହାର ଟେଣ୍ଡର ଅପସେଟ୍‌ ମୂଲ୍ୟ ୨କୋଟି ୪୭ଲକ୍ଷ ୮୪ହଜାର ୩୩୫ଟଙ୍କା ରଖାଯାଇଛି। ପ୍ୟାକେଜ୍‌ ୪ରେ ଦକ୍ଷିଣ ପଶ୍ଚିମ ଜୋନ୍‌ର ସମ୍‌ ହସପ୍‌ିଟାଲରୁ ଆରମ୍ଭ କରି ଖଣ୍ଡଗିରି-ଫାୟାରଷ୍ଟେସନ- ହୋଟେଲ କ୍ରାଉନ- ଜୟଦେବ ବିହାର ଛକରୁ ପାଓ୍ଵାର ହାଉସ୍‌ ଛକ, ଆମ୍ରି ହସ୍ପିଟାଲ, ମଧୁସୂଦନ ପାର୍କ ଭଳି ଅଞ୍ଚଳକୁ ଆଦି ୧୨ଟି ପାର୍କିଂ ସ୍ଥଳୀକୁ ସାମିଲ୍‌ କରାଯାଇଛି। ଏହାର ଟେଣ୍ଡର ଅପସେଟ୍‌ ମୂଲ୍ୟ ୫୮ଲକ୍ଷ ୩୯ହଜାର ୨୮ଟଙ୍କା ରଖାଯାଇଛି। ପ୍ୟାକେଜ୍‌ ୫ରେ ଉତ୍ତର ଜୋନ୍‌ର (ଚନ୍ଦ୍ରଶେଖରପୁର ଅଞ୍ଚଳର) ୭ଟି ପାର୍କିଂସ୍ଥଳୀକୁ ସାମିଲ୍‌ କରାଯାଇଥିବାବେଳେ ଏହାର ଟେଣ୍ଡର ଅପସେଟ୍‌ ମୂଲ୍ୟ ୨୫ଲକ୍ଷ ୮୬ହଜାର ୯୮୧ଟଙ୍କା ରଖାଯାଇଛି। ବର୍ଷେ ପାଇଁ ଏହି ଟେଣ୍ଡର ଆହ୍ଵାନ ହୋଇଛି।

ଅଧିକ ଟେଣ୍ଡର ମୂଲ୍ୟ ବାଧକ ସାଜିପାରେ
ବିଏମ୍‌ସିର ନୂଆ ପାର୍କିଂ ନିୟମ ଲାଗୁ ହେବା ନେଇ ଅଧିକ ଟେଣ୍ଡର ଫି’ ବାଧକ ସାଜିବା ଆଶଙ୍କା ସୃଷ୍ଟି ହୋଇଛି। ଅଧିକ ପାର୍କିଂ ହେଉଥିବା ଅଞ୍ଚଳ ଏବଂ ଲୋକଙ୍କ ଯାତାୟାତକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ନୂଆ ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଥିଲେ ହେଁ ଗୋଟିଏ ଲେଖାଏଁ ପ୍ୟାକେଜ୍‌ର ଟେଣ୍ଡର ମୂଲ୍ୟ ଯେତିକି ରଖାଯାଇଛି ସେଥିରେ କେତେ ଜଣ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଉଛନ୍ତି ତାହା ଆବେଦନ ଅବଧି ସରିଲେ ଜଣାପଡ଼ିବ। ପ୍ରତି ପାର୍କିଂସ୍ଥଳୀ ଯେଉଁ ଟେଣ୍ଡର ମୂଲ୍ୟରେ ଆବଣ୍ଟନ ହୋଇଥିଲା ସେହି ଅନୁଯାୟୀ ନୂଆ ପାର୍କିଂ ଯୋଜନାରେ ଏହାକୁ ରଖାଯାଇଛି। ଯେଉଁ ପ୍ୟାକେଜ୍‌ରେ ଯେତୋଟି ପାର୍କିଂସ୍ଥଳୀ ଯାଉଛି ସେହି ଅନୁଯାୟୀ ମୋଟ୍‌ ଟେଣ୍ଡର ମୂଲ୍ୟ ରଖାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରରେ ଏତେ ଅଧିକ ମୂଲ୍ୟରେ ପାର୍କିଂ ଟେଣ୍ଡର ନେଲେ ଅସୁଲ କରିବା କଷ୍ଟକର ହେବ ବୋଲି ପାର୍କିଂ ନେଉଥିବା ସଂସ୍ଥାମାନେ କହିଛନ୍ତି। ତେଣୁ ଏହାକୁ କମାଇବାକୁ ଟେଣ୍ଡର ନେଉଥିବା ବ୍ୟକ୍ତି/ସଂସ୍ଥାମାନେ କହିଛନ୍ତି। ବିଏମ୍‌ସି ପକ୍ଷରୁ କିନ୍ତୁ କୁହାଯାଇଛି ଯେ, ପ୍ୟାକେଜ୍‌ ପ୍ରସ୍ତୁତି ସମୟରେ କିଛି ଅଧିକ ମୂଲ୍ୟ ବଢ଼ାଯାଇନି। ଯେଉଁ ଅନୁସାରେ ଲୋକ ଟେଣ୍ଡର ନେଇଛନ୍ତି ତାହାକୁ ନଜରରେ ରଖି ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି। ରାଜଧାନୀର ପାର୍କିଂ ବ୍ୟବସ୍ଥା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଲୋକଙ୍କ ସୁବିଧାକୁ ନଜରରେ ରଖି ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି ,ପ୍ୟାକେଜ୍‌ ବ୍ୟବସ୍ଥାରେ ଟେଣ୍ଡର ଆହ୍ଵାନ ହୋଇଥିବାବେଳେ ଯଦି କେହି ଏଥିରେ ଭାଗ ନ ନିଅନ୍ତି ତେବେ ବିଏମ୍‌ସି ରାଜଧାନୀବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଠାରେ ନିଜସ୍ୱ କର୍ମଚାରୀ ନିୟୋଜିତ କରି ପାର୍କିଂ ଫି’ ଆଦାୟ କରିବ ନା ଏହି ବାହନାରେ ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବନି?

ତଥାପି ରହିଛି ଅଡ଼ୁଆ, ହଇରାଣ ହେବେ ଲୋକ
ନୂଆ ପାର୍କିଂ ବ୍ୟବସ୍ଥା ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବାବେଳେ ଏଥିରେ କିଛି ସମସ୍ୟା ରହିଛି। ଯେଉଁଥିପାଇଁ ରାଜଧାନୀବାସୀ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଯେପରି ପ୍ୟାକେଜ୍‌ ୧ରେ ୧୪ଟି ପାର୍କିଂସ୍ଥଳୀରୁ ୧୨ଟିରେ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାବେଳେ ଦୁଇଟିରେ ମେ’ ମାସରେ ଆରମ୍ଭ ହେବ। ଏଠାରେ ଖାରବେଳ ନଗର ଅଞ୍ଚଳରେ ନରୁଲା ଜେନେରାଲ ଷ୍ଟୋରରୁ ପିସି ଚାନ୍ଦ ପର୍ଯ୍ୟନ୍ତ ଅଞ୍ଚଳର ପାର୍କିଂ ଟେଣ୍ଡର ଅବଧି ମେ’ ୨୦ରେ ଶେଷ ହେବ। ଗୋଦାବରୀଶ ସାହିତ୍ୟ ସଂସଦ ସମ୍ମୁଖରେ ମେ ୯ରେ ଶେଷ ହେବ। ଏହି ଦୁଇଟି ଅଞ୍ଚଳ ବର୍ତ୍ତମାନର ଟେଣ୍ଡର ଅବଧି ସରିବା ପରେ ସାମିଲ୍‌ ହେବେ। ସେହିପରି ପ୍ୟାକେଜ୍‌ ୩ରେ ପ୍ରଦର୍ଶନୀ ପଡ଼ିଆ ସମ୍ମୁଖରେ ଏପ୍ରିଲ ୭ ଏବଂ ହୋଟେଲ ପଦ୍ମାରୁ ହୋଟେଲ ଦୀପାଲି ସମ୍ମୁଖ ପର୍ଯ୍ୟନ୍ତ ଏପ୍ରିଲ ୬ରେ ଶେଷ ହେବ। ପ୍ୟାକେଜ୍‌ ୪ରେ ସମ୍‌ ହସ୍ପିଟାଲ ସମ୍ମୁଖରେ ଜୁନ୍‌ ୭ରେ, ଖଣ୍ଡଗିରି ପାହାଡ଼ ନିକଟରେ ମେ’ ୧୨ରେ, ଆଇଡି ମାର୍କେଟରେ ଜୁନ୍‌ ୨୫ରେ, କ୍ରାଉନ ହୋଟେଲ ସମ୍ମୁଖରେ ଏପ୍ରିଲ ୪ରେ, ପ୍ୟାକେଜ୍‌ ୫ରେ ଡିଡି ମୋଟର୍ସ ସମ୍ମୁଖରେ ଜୁଲାଇ ୨୧ରେ, ସ୍ୟାଣ୍ଡି ଟାଓ୍ଵାର ସମ୍ମୁଖରେ ଏପ୍ରିଲ ୯ରେ, ଗାନ୍ଧୀ ପାର୍କ ଓ ତନିସ୍କ ଜୁଏଲାରି ସମ୍ମୁଖରେ ଏପ୍ରିଲ ୩ରେ ଟେଣ୍ଡର ଅବଧି ସରିବ। ଏପ୍ରିଲ ୧ରୁ ନୂଆ ପାର୍କିଂ ନିୟମ ଲାଗୁ ହେବା ପରେ ଯଦି ଗୋଟିଏ ପ୍ୟାକେଜ୍‌ ଭିତରେ ଏକାଧିକ ଥର ପାର୍କିଂ ଫି’ ଦେବାକୁ ପଡ଼ିବ ତେବେ ଗଣ୍ଡଗୋଳ ଆଶଙ୍କାକୁ ଏଡ଼ାଇ ହେବନି। ଯଦି ବିଏମ୍‌ସି ବର୍ତ୍ତମାନର ଟେଣ୍ଡରଧାରୀଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଫି’ ନେଇ ବାକି ଫି’ ଛାଡ଼ କରିଦେବ ତେବେ ଏହି ସମସ୍ୟା ଉପୁଜିବନି। ଏନେଇ ବିଏମ୍‌ସି ଅଧିକାରୀ ଅବଗତ ଥିଲେ ହେଁ ରାଜସ୍ୱ ଲୋଭରେ ସମାଧାନ ନ କରି ଛାଡ଼ି ଦେଇଛନ୍ତି। ଭବିଷ୍ୟତରେ ଲୋକଙ୍କୁ ବୁଝାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର