ସ୍ମାର୍ଟ ସିଟିର ଉନ୍ନତିକରଣ ପାଇଁ ନୂଆ ଯୋଜନା : ୨୫ ପାଇଲଟ୍‌ ସହରରେ ଭୁବନେଶ୍ୱର

ଏଥିରେ ବି ଭୁବନେଶ୍ୱର ଆଗୁଆ ହେବା ସମ୍ଭାବନା

ଭୁବନେଶ୍ୱର : ଡିଜିଟାଲ ଇଣ୍ଡିଆ ଅଭିଯାନକୁ ସଫଳ କରିବାକୁ କେନ୍ଦ୍ର ସରକାର ଅମୃତ ଯୋଜନାରେ ୫ଟି ନୂଆ ଅଭିନବ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମଗୁଡ଼ିକ ହେଲା ଇଣ୍ଡିଆ ସ୍ମାର୍ଟ ସିଟି ଫେଲୋସିପ୍‌, ଇଣ୍ଡିଆ ସ୍ମାର୍ଟ ସିଟି ଇଣ୍ଟର୍ଣ୍ଣସିପ୍‌, ସ୍ମାର୍ଟ ସିଟି ଡିଜିଟାଲ ପେମେଣ୍ଟ ପୁରସ୍କାର, ସ୍ମାର୍ଟ ସିଟି ନବସୃଜନ, ସମନ୍ଵୟକରଣ ଏବଂ ବିଭିନ୍ନ ଆହ୍ଵାନର ଦୀର୍ଘସ୍ଥାୟୀ ମୁକାବିଲା, ଲୋକାଲ ଏରିଆ ପ୍ଲାନିଂ ଏବଂ ଟାଉନ୍‌ ପ୍ଲାନିଂ ସ୍କିମ। ମୁଖ୍ୟତଃ ସ୍ମାର୍ଟ ସିଟିଗୁଡ଼ିକୁ ନଜରରେ ରଖି ଅମୃତ ଯୋଜନାରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି।

ଏଥିପାଇଁ ୨୫ଟି ସହର ବଛାଯାଇଛି। ଯେଉଁଠି ପାଇଲଟ୍‌ ଭିତ୍ତିରେ ଏହି ପ୍ରକଳ୍ପ କାର୍ଯ୍ୟକ୍ରମ ହେବ। ଏଥିରେ ସ୍ମାର୍ଟ ସିଟି ଭୁବନେଶ୍ୱର ସ୍ଥାନ ପାଇଛି। ଭୁବନେଶ୍ୱର ସମେତ ବୃହତ୍‌ ବିଶାଖାପାଟଣା, ଆସାମ, ବରୋଦା, ଇନ୍ଦୋର, ଚେନ୍ନାଇ, ବେଙ୍ଗାଲୁରୁ, ଥିରୁଅନନ୍ତପୁରମ୍‌, ଓ୍ଵାରାଙ୍ଗଲ, ପୁନେ, ବାରାଣସୀ, ଜୟପୁର, ପାଟନା, ଫରିଦାବାଦ, ରାଞ୍ଚି, ରାୟପୁର, ପାଣାଜି, ସିମଲା, ନୂଆ କଲିକତା, ଶ୍ରୀନଗର, ଡେରାଡୁନ, ଆଇଜଲ, ଗ୍ୟାଙ୍ଗଟକ, ଇମ୍ଫାଲ। ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଆଜି ଏହି ସହରଗୁଡ଼ିକର ନାମ ଘୋଷଣା କରିଛନ୍ତି।

ଇଣ୍ଡିଆ ସ୍ମାର୍ଟ ସିଟି ଫେଲୋସିପ୍‌ କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟ ପକ୍ଷରୁ ୩୦ଜଣ ସ୍ନାତକ/ସ୍ନାତକୋତ୍ତର ତଥା ପିଏଚ୍‌ଡି ଡିଗ୍ରିଧାରୀଙ୍କୁ ଏକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ନିୟୋଜିତ କରାଯିବ। ସେମାନେ ସ୍ମାର୍ଟ ସିଟି ମିସନ୍‌ର ନିର୍ଦ୍ଦେଶକ ତଥା ସିଇଓମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଯେପରି ଗବେଷଣା, ତଥ୍ୟ ବିଶ୍ଳେଷଣ, ଦସ୍ତାବିଜକରଣ, ସ୍ୱତନ୍ତ୍ର ମୂଲ୍ୟାୟନ, ରିପୋର୍ଟ ପ୍ରସ୍ତୁତି ଆଦିରେ ସହଯୋଗ କରିବ। ଏହି ନିଯୁକ୍ତି ମନ୍ତ୍ରଣାଳୟ କରିବ।

ଇଣ୍ଡିଆ ସ୍ମାର୍ଟ ସିଟି ଇଣ୍ଟର୍ଣ୍ଣସିପ୍‌ କାର୍ଯ୍ୟକ୍ରମରେ ଅଣ୍ଡର ଗ୍ରାଜୁଏଟ୍‌, ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରମାନଙ୍କୁ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟାନ୍ଵୟନରେ ସାମିଲ୍‌ କରାଯିବ। ସ୍ମାର୍ଟ ସିଟି ଡିଜିଟାଲ ପେମେଣ୍ଟ ପୁରସ୍କାର ଅଧୀନରେ ସହରାଞ୍ଚଳ ବାସିନ୍ଦାମାନଙ୍କ ଜୀବନଧାରଣ ବ୍ୟବସ୍ଥାକୁ ସହଜ କରିବାର ଡିଜିଟାଲ ପଦ୍ଧତିମାନ ପ୍ରଚଳନ କରାଯିବ। ଯେଉଁ ସହର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ଲାଗୁ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ। ନୀତି ଆୟୋଗଙ୍କ ମାର୍ଗଦର୍ଶିକ ଅନୁସାରେ ଭାରତ-ଫ୍ରାନ୍ସ ସହଯୋଗୀତା କାର୍ଯ୍ୟକ୍ରମ ଜରିଆରେ ୧୫ଟି ପ୍ରକଳ୍ପକୁ କାର୍ଯ୍ୟାନ୍ଵୟନ ପାଇଁ ବଛାଯିବ। ଏଥିରେ ସହରାଞ୍ଚଳ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା, ଉନ୍ମୁକ୍ତ ସରକାରୀ ଜାଗାର ପରିଚାଳନା, ସହରାଞ୍ଚଳ ପ୍ରଶାସନିକ ବ୍ୟବସ୍ଥା, ଆଇସିଟି ପଦ୍ଧତିର ରୂପାୟନ, ନିମ୍ନ ଆୟକାରୀ ବର୍ଗର କଲ୍ୟାଣ ପାଇଁ ସାମାଜିକ ଓ ଅନୁଷ୍ଠାନଗତ ନବସୃଜନ ଉପରେ ଗୁରୁତ୍ୱ ଦିଆଯିବ। ତିନି ବର୍ଷ ପାଇଁ ଏହି କାର୍ଯ୍ୟକ୍ରମ ହେବ। ପ୍ରତ୍ୟେକ ପୁରସ୍କୃତ ସହରକୁ ୨୦ରୁ ୮୦କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ।

ଲୋକାଲ ଏରିଆ ପ୍ଲାନ୍‌ ଏବଂ ଟାଉନ୍‌ ପ୍ଲାନିଂ ସ୍କିମ୍‌ରେ ଏକ ସ୍ମାର୍ଟ ସିଟିର ବିକଶିତ ହୋଇଥିବା ଏପରି ଅଞ୍ଚଳକୁ ବଛାଯିବ ଯେଉଁଠି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସହର ଆଧାରରେ ଆହୁରି ଅଧିକ ସଂରଚନା କ୍ଷେତ୍ରରେ ଆବଶ୍ୟକତା ଥିବ। ଏହି ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ପୁନଃବିକାଶ କରାଯିବ। ଏଥିପାଇଁ ପ୍ରତ୍ୟେକ ସହରକୁ ୨କୋଟି ଲେଖାଏଁ ତିନିଟି କିସ୍ତିରେ ପ୍ରଦାନ କରାଯିବ। ପ୍ରାଥମିକ ପ୍ରସ୍ତାବ ପାଇଁ ୨୦%, ଚିଠା ଯୋଜନା ପାଇଁ ୪୦% ଏବଂ ଚୂଡ଼ାନ୍ତ ଯୋଜନା ପାଇଁ ୪୦ % ଅର୍ଥ ସହାୟତା ପ୍ରଦାନ କରାଯିବ।

ଏହି ଯୋଜନାରେ ବି ଭୁବନେଶ୍ୱର ଦେଶର ଅନ୍ୟ ସହରକୁ ପଛରେ ପକାଇ ଦେବାର ସମ୍ଭାବନା ଅଧିକ। ଭୁବନେଶ୍ୱରରେ ଖୁବ୍‌ ଶୀଘ୍ର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାବେଳେ ୪୫ଟି ଟାଉନ୍‌ ପ୍ଲାନିଂ ସ୍କିମ୍‌ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଟିପି ସ୍କିମ୍‌ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ବି ଆରମ୍ଭ ହୋଇଯାଇଛି। ତେଣୁ ଭୁବନେଶ୍ୱର ଏହି ପ୍ରତିଯୋଗିତାରେ ବି ସ୍ମାର୍ଟ ସିଟି ପ୍ରତିଯୋଗିତା ଭଳି ଆଗରେ ରହିବା ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର