ଭରତପୁରରେ ହେବ ନୂଆ ଥାନା, ପ୍ରସ୍ତାବ ଦେଲା କମିସନରେଟ୍‌ ପୁଲିସ

ଭୁବନେଶ୍ୱର : ଭରତପୁରରେ ହେବ ନୂଆ ଥାନା। ଖଣ୍ଡଗିରି ଥାନାଠାରୁ ୫ କିଲୋମିଟର ଦୂରରେ ୨୫ ବର୍ଗକିଲୋମିଟର ଅଞ୍ଚଳକୁ ନେଇ ପ୍ରତିଷ୍ଠା ହେବ ଏହି ଥାନା। ଜନସଂଖ୍ୟା ସହ ଖଣ୍ଡଗିରି ଥାନାରେ ବଢ଼ୁଥିବା ମାମାଲା ସଂଖ୍ୟାକୁ ବିଚାରକୁ ନେଇ ଏପରି ପରିକଳ୍ପନା କରାଯାଇଛି। ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ୧୯୮୩ ମସିହାରେ ମାତ୍ର ୨୦ ହଜାର ଜନସଂଖ୍ୟାକୁ ନେଇ ଆରମ୍ଭ ହୋଇଥିବା ଏହି ଖଣ୍ଡଗିରି ଥାନା ଅଧୀନରେ ଏବେ ଜନସଂଖ୍ୟା ୪ ଲକ୍ଷରେ ପହଞ୍ଚିଛି। ସୀମିତ ସଂଖ୍ୟକ ପୁଲିସ ପାଇଁ ଅପରାଧ ନିୟନ୍ତ୍ରଣ କାଠିକର ପାଠ ହେଉଛି। ଖଣ୍ଡଗିରି ଥାନା ଅଞ୍ଚଳ ୧୦୦ ବର୍ଗ କିଲୋମିଟର ହୋଇଥିବା ‌ବେ‌ଳେ ଏହି ପ୍ରସ୍ତାବିତ ଥାନା ଅଧୀନରେ ୨୫ ବର୍ଗକିଲୋମିଟର ଅଞ୍ଚଳ ରହିବ। ବିଏମ୍‌ସିର ୨୨, ୨୩, ୨୪, ୪୯ ୱାର୍ଡ ସମେତ ୧୭ଟି ଗାଁ ଓ ପାଇକରାପୁର ଗ୍ରାମପଞ୍ଚାୟତର ୨ ଲକ୍ଷ ଜନସଂଖ୍ୟାକୁ ନେଇ ଏହି ଥାନା କାମ କରିବ। ଏଥିରେ ଜଣେ ଇନ୍‌ସ୍‌ପେକ୍ଟରଙ୍କ ସମେତ ୪ ଜଣ ଏସ୍‌ଆଇ, ୮ ଜଣ ଏଏସ୍‌ଆଇ, ୧୬ ଜଣ କନ୍‌ଷ୍ଟେବଲ ଓ ୨୫ ହୋମ୍‌ଗାର୍ଡ ଏଭଳି ୫୯ ଜଣ ପୁଲିସ କର୍ମଚାରୀ ରହିବେ। ସରକାରଙ୍କଠାରୁ ଅନୁମୋଦନ ଆସିବା ପରେ ଖଣ୍ଡଗିରି ଥାନାଠାରୁ ଏହି ସବୁ ଅଞ୍ଚଳ ଭାଗ କରି ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର