କ୍ଷୁଦ୍ର ଶିଳ୍ପ ପାଇଁ ନୂଆ ନୀତି ଆଣିବ ନାଲ୍‌କୋ

୩୦ ବର୍ଷ ପାଇଁ କଞ୍ଚାମାଲ୍‌ ଯୋଗାଇବ, ଫିନିସଡ୍‌ ଗୁଡ୍‌ସ୍‌କୁ ନିଜେ କିଣିବ

ଭୁବନେଶ୍ୱର: ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ନାଲ୍‌କୋ ଖୁବ୍‌ଶୀଘ୍ର ଏକ ନୂଆ ନୀତି ଘୋଷଣା କରିବ। ଆସନ୍ତା ୧୫ ଦିନ କିମ୍ବା ମାସକ ଭିତରେ ଏହି ନୀତି କାର୍ଯ୍ୟକାରୀ ହେବ ବୋଲି କଂପାନିର ସିଏମ୍‌ଡି ଡ. ତପନ କୁମାର ଚାନ୍ଦ କହିଛନ୍ତି। ଓସ୍‌ମି ପକ୍ଷରୁ ଆୟୋଜିତ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌ ୨୦୧୮ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହି ନୂଆ ନୀତି ବିଷୟରେ ସୂଚନା ଦେଇଛନ୍ତି। ସେ କହିଲେ ଆମେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ କଞ୍ଚାମାଲ୍‌ ଯୋଗାଇ ଦେବୁ ଓ ସେମାନେ ଯେଉଁ ଉତ୍ପାଦ ନିର୍ମାଣ କରିବେ ତାହାକୁ ମଧ୍ୟ କିଣିବୁ। ସେମାନଙ୍କ ସହିତ କଞ୍ଚାମାଲ ଯୋଗାଣ ପାଇଁ ୩୦ ବର୍ଷର ବୁଝାମଣା ସ୍ୱାକ୍ଷରିତ କରାଯିବ। ଫଳରେ ଏହି ଆନୁଷଙ୍ଗିକ ଶିଳ୍ପ ସ୍ଥାପନ କରୁଥିବା ସଂସ୍ଥାଗୁଡ଼ିକୁ ବିଶେଷ ଅସୁବିଧା ସାମ୍ନା କରିବାକୁ ପଡ଼ିବ ନାହିଁ। ଅନୁଗୁଳରେ ସ୍ଥାପନ କରାଯାଉଥିବା ଆଲୁମିନିୟମ୍‌ ପାର୍କର ଅଗ୍ରଗତି ବିଷୟରେ ସେ କହିଛନ୍ତି ଯେ, ସେଠାରେ ନିଜର ୟୁନିଟ୍‌ ସ୍ଥାପନ କରିବା ପାଇଁ ବ୍ୟବସାୟୀମାନେ ପ୍ରବଳ ଆଗ୍ରହ ଦେଖାଉଛନ୍ତି। ଯେଉଁ ସବୁ ଶିଳ୍ପ ସଂସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି ଯଦି ସେମାନେ ନିଜର ୟୁନିଟ୍‌ ସ୍ଥାପନ କରିବେ ତେବେ ନାଲ୍‌କୋକୁ ୧୫ ଲକ୍ଷ ଟନ୍‌ର ଆଲୁମିନିୟମ୍‌ ସେମାନଙ୍କୁ ପ୍ରଦାନ କରିବାକୁ ପଡ଼ିବ ଯାହା କଂପାନିର ବର୍ତ୍ତମାନର ଉତ୍ପାଦନ କ୍ଷମତାର ତିନି ଗୁଣ ସହ ସମାନ ବୋଲି ସେ କହିଛନ୍ତି। ଏବେ ନାଲ୍‌କୋ ଏମ୍‌ଏସ୍‌ଏମ୍‌ଇ ସଂସ୍ଥାଗୁଡ଼ିକଠାରୁ ବର୍ଷକୁ ୪୦୦ କୋଟି ଟଙ୍କାର ସାମଗ୍ରୀ ଖରିଦ କରୁଛି। ଏହାର ନୂଆ ସ୍ମେଲଟର୍‌ ଓ କାମାକ୍ଷାନଗର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଯିବା ପରେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକଠାରୁ ନାଲ୍‌୍‌କୋ ୧୨୦୦ କୋଟି ଟଙ୍କାର ସାମଗ୍ରୀ କିଣିବ ବୋଲି ସେ କହିଛନ୍ତି।  ଏହା ବ୍ୟତୀତ ବୋଇଙ୍ଗ ଓ ଏୟାରବସ୍‌ ଭଳି ବିମାନ ନିର୍ମାଣ କରୁଥିବା କଂପାନିଗୁଡ଼ିକ ପାଇଁ ନାଲ୍‌କୋ ଉଚ୍ଚ ମାନର ଆଲୁମିନିୟମ୍‌ ଉତ୍ପାଦନ କରିବାକୁ ଯାଉଛି। ଏଥିପାଇଁ ଆଲ୍‌ମେକ୍ସ ନାମକ କଂପାନି ନାଲ୍‌କୋକୁ ପ୍ରଯୁକ୍ତି ପ୍ରଦାନ କରିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇରେ ପ୍ରତି ଏକ କୋଟି ଟଙ୍କା ନିବେଶ ହେଲେ ୮୫ଟି ଚାକିରି ସୃଷ୍ଟି ହୁଏ। ଯଦି ସେହି ଏକ କୋଟି ଟଙ୍କା ବଡ଼ ଶିଳ୍ପରେ ନିବେଶ ହେବ ତେବେ ଗୋଟିଏ ଚାକିରି ସୃଷ୍ଟି ହୁଏ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜ୍ୟ ଶିଳ୍ପ ବିଭାଗର ନିର୍ଦେଶକ ପି ନାଥ, ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ମାନବେନ୍ଦ୍ର ମିଶ୍ର, ଓସ୍‌ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ଓ ସେକ୍ରେଟାରି ଜେନେରାଲ୍‌ ସାତ୍ୱିକ ସ୍ୱାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର