‘ହଇରାଣ କରି ନୁହେଁ, ଲୋକମାନଙ୍କୁ ନେଇ କାମ କରିବି’

ଭୁବନେଶ୍ୱର : କାର୍ଯ୍ୟରେ ଯୋଗ ଦେଇଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସରେ ଜଣେ ଆଇପିଏସ୍‌ ଅଫିସର ଟ୍ରାଫିକ୍‌ ଦାୟିତ୍ବ ତୁଲାଇବାକୁ ଆସିଛନ୍ତି। ଆଜି ପୁଲିସ କମିସନରଙ୍କୁ ଭେଟିବା ପରେ ଆସନ୍ତାକାଲିଠାରୁ ସେ ବିଧିବଦ୍ଧ ଭାବରେ ଅଫିସ୍‌ ସମ୍ଭାଳିବେ ବୋଲି ଜଣାପଡ଼ିଛି। ଯୋଗ ଦେବା ଅବସରରେ ସେ କହିଛନ୍ତି, ଲୋକମାନଙ୍କୁ ହଇରାଣ କରି ନୁହେଁ ବରଂ ସେମାନଙ୍କୁ ସାଙ୍ଗରେ ନେଇ କାମ କରିବି। ଅନେକ ସମୟରେ ଟ୍ରାଫିକ୍‌ ନିୟମକୁ ଚାଳକମାନେ ଏକ ବୋଝ ବୋଲି ଭାବିଥାନ୍ତି। ପୁଲିସ ଟ୍ରାଫିକ ନିୟମ ଲାଗୁ କରି ହଇରାଣ କରେ ବୋଲି ଧାରଣା ହୋଇଥାଏ। କିନ୍ତୁ ଲୋକ ବୁଝିଗଲେ ସେମାନେ ଆପେ ନିୟମ ମାନିବେ, ଆମକୁ ମଧ୍ୟ କଷ୍ଟ କରିବାକୁ ପଡ଼ିବନି, କି ଟ୍ରାଫିକ୍‌ ଜନିତ ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି। ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେବଳ ଜରିମାନା ନୁହେଁ, ବରଂ ଆଧୁନିକ ଜ୍ଞାନକୌଶଳ ବଳରେ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯୋଜନା ହେବ ବୋଲି ସେ କହିଛନ୍ତି। ଭୁବନେଶ୍ବରରେ ଅଟୋଗୁଡ଼ିକ ବିଶୃଙ୍ଖଳିତ ଭାବରେ ଚଳାଚଳ କରୁଥିବା ଅଭିଯୋଗ ରହିଛି। ସେମାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଶୃଙ୍ଖଳା ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି। ତେବେ ଆସନ୍ତାକାଲି କମିସନରଙ୍କ ସହ ଏହି ଟ୍ରାଫିକ୍‌ ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ।

ଗୋଟିଏ ପଟେ ସଡ଼କ ସୁରକ୍ଷାକୁ ନେଇ ନୂଆ ଆଇନ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବାକୁ ଯାଉଛି। ନୂଆ ଡିସିପି ତଥା ଆଇପିଏସ୍‌ ଅଫିସର କାର୍ଯ୍ୟରେ ଯୋଗ‌ ଦେବା ପରେ ଏହି ନୂଆ ନିୟମ ନେଇ ସଚେତନତା ସୃଷ୍ଟି କରାଯାଇଛି। ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗା ଯାଇଛି। ଟ୍ରାଫିକ୍‌ ପୋଷ୍ଟରେ ଏକାଧିକ କର୍ମଚାରୀ ରହି ସମସ୍ତ ଯାତ୍ରୀଙ୍କୁ ସଚେତନ କରାଉଥିବା ଦେଖାଯାଇଛି। ଆଜି ସୁଧୁରି ଯାଅ, ନ ହେଲେ ତଣ୍ଡ ଗଣିବ ବୋଲି ସେମାନେ ସଚେତନ କରାଉଛନ୍ତି। ସେପ୍ଟେମ୍ବର ୧ ତାରିଖ ପରେ ମଧ୍ୟ ଏହି ସଚେତନତା ଚାଲିବା ସହ ସମାନ୍ତରାଳ ଭାବରେ ନୂଆ ଆଇନ ମୁତାବକ ଜରିମାନା ଆଦାୟ ହେବ। ଅନେକ ଯାତ୍ରୀ ଏହି ନୂଆ ଜରିମାନା ବାବଦରେ ଜାଣିନଥିବାରୁ ହୋର୍ଡିଂ ଦେଖି ଛାନିଆ ହୋଇଛନ୍ତି। ଅନ୍ୟପଟେ ପୂର୍ବରୁ ବିଭିନ୍ନ ଜାଗାରେ କାମ କରିବା ବେଳେ ଶୃଙ୍ଖଳାକୁ ନେଇ ନୂଆ ଟ୍ରାଫିକ୍‌ ଡିସିପି ବେଶ୍‌ ଚର୍ଚ୍ଚିତ ଅଛନ୍ତି।

ସମ୍ବନ୍ଧିତ ଖବର