ନୂଆ ମୋଟର ଯାନ ଆଇନ ପୁଣି କଡ଼ାକଡ଼ି ଲାଗୁ : ରୂପାଲିରେ ତାଗିଦ୍, ଆଉ ସବୁଠି କୋହଳ

ରୁପାଲି ଛକରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମି‌ଟେଡ୍‌ ପକ୍ଷରୁ ଲାଗିଥିବା ଟ୍ରାଫିକ ଭାଓଲେଟର ଡିଟେକ୍ସନ ସିଷ୍ଟମ (ଟିଭିଡିଏସ୍‌) ବ୍ୟବସ୍ଥାରେ ନିୟମ ଉଲ୍ଲଂଘନକାରୀଙ୍କୁ ଧରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ଭୁବନେଶ୍ବର ଅପରେସନ ସେଣ୍ଟରରେ ସ୍ବତନ୍ତ୍ର ପ୍ରସ୍ତୁତି ବି ହୋଇଥିଲା। ରୂପାଲି ଛକର ଚାରି ଦିଗରେ ଲାଗିଥିବା ସିସିଟିଭି ମାଧ୍ୟମରେ ସବୁ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଥିଲା। ଏଠାରେ ରଙ୍ଗରୁଟ୍‌, ଜେବ୍ରା କ୍ରସିଂ ଅତିକ୍ରମ କରିବା, ନାଲିବତି ସିଗନାଲ୍‌ ନ ମାନିବା ଏବଂ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଥିଲା। ଏହି ୪ଟି ନିୟମ ଖିଲାପକାରୀଙ୍କ ଗାଡ଼ିର ଫଟୋ ଓ ଗାଡ଼ି ନମ୍ବରକୁ ଫଟୋ ଉଠାଇ ରଖାଯାଇଛି। ଏମାନଙ୍କ ମଧ୍ୟରୁ କେତେଜଣଙ୍କଠାରୁ କେତେ ଟଙ୍କା ଲେଖାଏ ଜରିମାନା ଆଦାୟ ହେବ, ତାହା କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେବ ବୋଲି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କହିଛନ୍ତି।

ଆଜି ରୂପାଲି ଛକରେ ବହୁ ଗାଡ଼ି ଚାଳକ ଜେବ୍ରା କ୍ରସିଂ ଅତିକ୍ରମ କରିଯାଉଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଲୋକ ଏନେଇ ସଚେତନ ନଥିବାରୁ ବିଏସ୍‌ସିଏଲ୍‌ ପକ୍ଷରୁ ଟ୍ରାଫିକ ପୋଷ୍ଟରେ ଲାଗିଥିବା ମାଇକ୍ ମାଧ୍ୟମରେ ପ୍ରଚାର କରାଯାଇଥିଲା। ପ୍ରଚାର ଶୁଣି କିଛି ଗାଡ଼ି ଚାଳକ ଗାଡ଼ି ପଛକୁ କରୁଥିଲେ ତ ଆଉ କେହି ସେମିତି ଗାଲେଇ ଛିଡ଼ା ହେଉଥିଲେ। ଯେଉଁମାନେ ଭୁଲ୍‌ରେ ବି ଜେବ୍ରା କ୍ରସିଂ ଛୁଇଁ ଦେଉଥିଲେ ତା’ର ଫଟୋ ସିସିଟିଭି ଉତ୍ତୋଳନ କରି ବିଓସିକୁ ପଠାଇ ଦେଉଥିଲା।

ରାଜଧାନୀର ଅନ୍ୟ ଛକଗୁଡ଼ିକରେ କିନ୍ତୁ ଗାଡ଼ି ଚାଳକମାନେ ଜେବ୍ରା କ୍ରସିଂ ଅତିକ୍ରମ କରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଳା। ସବୁଠୁ ଅଧିକ ନିୟମ ଉଲ୍ଲଂଘନ ଏଜି ଛକରେ ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏଠାରେ ଟିଭିଡିଏସ୍‌ ବ୍ୟବସ୍ଥାନ ଥିବାରୁ ପୁଲିସ ଏହାର ରେକର୍ଡ ରଖିପାରିନି।

ଆମେ ନିୟମ ମାନିବୁନି
ନୂଆ ମୋଟର ଯାନ ଆଇନ ଦୀର୍ଘ ତିନି ମାସ ପରେ ଆଜିଠାରୁ ପୁଣି କଡ଼ାକଡ଼ି ଲାଗୁ ହୋଇଥିଲେ ହେଁ ଏହାକୁ ଯେପରି ନ ମାନିବା ପାଇଁ କିଛି ଲୋକ ଯେମିତି ଶପଥ କରିନେଇଛନ୍ତି। କଳେବଳେ କୌଶଳେ ପୁଲିସକୁ ଚକ୍‌ମା ଦେଖାଇ ନିୟମ ଉଲ୍ଲଂଘନ କରିବାକୁ ବି ପଛାଇ ନାହାନ୍ତି। ଆଜି ସକାଳ ୬ଟାରୁ ରୁପାଲି ଛକରେ ଟିଭିଡିଏସ୍‌ ବ୍ୟବସ୍ଥାରେ ସମସ୍ତ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଉଥିଲେ ହେଁ ରାଜଧାନୀର ବାକି ଅଞ୍ଚଳରେ କିନ୍ତୁ ସକାଳ ୧୦ଟା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ଯିଏ ଯେନତେନ ଉପାୟରେ ନିୟମ ଭାଙ୍ଗିବାରେ ଲାଗି ପଡ଼ିଥିଲେ। ଯେଉଁଠି ଆରଟିଓ ଓ କମିସନରେଟ୍‌ ପୁଲିସ ପକ୍ଷରୁ ଚେକିଂ ହେଉଥିଲା, ସେଠାରେ ନିୟମ ଉଲ୍ଲଂଘନାକରୀଙ୍କୁ ଧରି ଜରିମାନା ଆଦାୟ କରାଯାଇଥିଲା। ହେଲେ ବହୁ ଜାଗାରେ ଲୋକମାନେ ନିୟମ ଉଲ୍ଲଂଘନ କରି ବୁଲୁଥିଲେ। ଆଜି ମୁଖ୍ୟତଃ ବିନା ହେଲମେଟ୍‌, ରଙ୍ଗରୁଟ୍‌, ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଇବା, ସିଟ୍‌ ବେଲ୍‌ଟ ନପିନ୍ଧି କାର୍‌ ଚଲାଇବା, ମଦୁଆ ଚାଳକଙ୍କୁ ଧରି ଜରିମାନା ଆଦାୟ କରାଯାଇଥିଲା। କିନ୍ତୁ ରାଜଧାନୀର ବିଭିନ୍ନ ଜାଗାରେ ଗାଡ଼ି ଚାଳକମାନେ ବିନା ହେଲମେଟ୍‌ରେ, ରଙ୍ଗରୁଟ୍‌ରେ ଗାଡ଼ି ଚଲାଉଥିଲେ। ଏପରିକି କେତେକ ଅଟୋରେ ୮ରୁ ୧୦ଜଣ ବସିକି ଯାଉଥିବା ଦେଖିବାକୁ ମିଳିଥିଲା।

ବିପରୀତ ଦିଗରେ ଯାଇ ଗଣିଲେ ମୋଟା ଅଙ୍କର ଜରିମାନା
ଆଜିଠାରୁ ଟ୍ରାପିକ୍‌ ଉଲ୍ଲଂଘନକାରୀଙ୍କ ଉପରେ ଚଢ଼ଉ ଜୋରଦାର ହୋଇଛି। ଉଭୟ ଆର୍‌ଟିଓ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନୂଆ ମୋଟରଯାନ ଆଇନ ବଳରେ ଜରିମାନା ଆଦାୟ କରିଛନ୍ତି। ରଙ୍ଗ୍‌ ରୁଟ୍‌ ବା ବିପରୀତ ଦିଗରେ ଯାଇ ବାଣୀବିହାର ଛକରେ ଦୁଇଜଣ ୧୦ ହଜାର ଟଙ୍କା ତଣ୍ଡ ଗଣିଛନ୍ତି। ସହିଦନଗର ଥାନା ପଟୁ ବାଣୀବିହାର ଆଡ଼କୁ ଆସୁଥିବା ବେଳେ ସେଣ୍ଟ୍ରାଲ ୱାଟର୍‌ କମିସନ ଅଫିସ ସାମ୍ନାରେ ରାଉରକେଲାର ସୁନୀଲ ବେହେରା ଧରା ପଡ଼ିଥିଲେ। ସେ ଏହି ଅଫିସ୍‌ରୁ ଫେରୁଥିଲେ। କଟକ ରାସ୍ତା ଧରିବାକୁ ହେଲେ ଆଚାର୍ଯ୍ୟବିହାର ଦେଇ ବୁଲି ବାଣୀବିହାର ଓ ରସୁଲଗଡ଼ ଦେଇ ଯିବାକୁ ହୁଏ। କିନ୍ତୁ ବାଣୀବିହାର ଛକ ଏହି ଅଫିସ୍‌ରୁ ମାତ୍ର ୫୦ରୁ ୬୦ ମିଟର ଦୂରରେ ଥିବାରୁ ଅଧିକାଂଶ ଚାଳକ ଏଭଳି ବିପରୀତ ଦିଗରେ ଯାଉଥିବା ନଜିର ରହିଛି। ସେହିଭଳି ବାୟାବାବା ବସ୍ତିର ଜଗବନ୍ଧୁ ନାୟକ ଓ ବଡ଼ଗଡ଼ ବ୍ରିଟ୍‌ କଲୋନିର ସର୍ବେଶ୍ବର ବେହେରା ଧରା ପଡ଼ିଥିଲେ। ସମସ୍ତେ ୫ ହଜାର ଲେଖାଏଁ ଜରିମାନା ଗଣିଥିଲେ।

ସମ୍ବନ୍ଧିତ ଖବର