ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ୩ ନୂଆ ଚିକିତ୍ସା

ଭୁବନେଶ୍ବର : ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ୩ଟି ନୂତନ ଚିକିତ୍ସା ଆରମ୍ଭ ହେବ। ଉପନାହ, ନେତ୍ରତର୍ପଣ ଓ ଉଦ୍‌ବର୍ତନ ଚିକିତ୍ସାର ସୁବିଧା ଲୋକମାନେ ପାଇପାରିବେ। ବହିର୍ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଏହି ନୂତନ ଚିକିତ୍ସା ବାବଦରେ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ଆୟୁର୍ବେଦିକ ଚିକିତ୍ସାଳୟରେ ଏବେ ୩୦ ପ୍ରକାରର ଚିକିତ୍ସା ଦିଆଯାଉଛି। ପଞ୍ଚକର୍ମ ଚିକିତ୍ସାର ସୁବିଧା ମଧ୍ୟ ରୋଗୀଙ୍କୁ ମିଳିପାରୁଛି। ୩ଟି ନୂତନ ଚିକିତ୍ସା ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ଅଧୀକ୍ଷକ ଡା.ଧନେଶ୍ବର ବଳିୟାରସିଂହଙ୍କ ସୂଚନା ଅନୁଯାୟୀ, ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ପାଉଥିବା ରୋଗୀମାନଙ୍କ ପାଇଁ ଉପନାହ ଚିକିତ୍ସା ଫଳପ୍ରଦ ହୋଇଥାଏ। ଏଥିରେ ଏକପ୍ରକାର ପଟି ବନ୍ଧା ଯାଇଥାଏ ଯାହାକି ରୋଗ ଉପଶମ କରିବାରେ ସହାୟକ ହୋଇଥାଏ। ଚକ୍ଷୁଜନିତ ରୋଗ ପାଇଁ ନେତ୍ରତର୍ପଣ ଏକ ମୁଖ୍ୟ ଚିକିତ୍ସା। ସେହିପରି ମେଦବହୁଳତାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଉଦ୍‌ବର୍ତନ ଚିକିତ୍ସା ଉପଲବ୍ଧ ହେବ। ଉଦ୍‌ବର୍ତନ ପାଇଁ ସପ୍ତାହକୁ ୨୧ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ନେତ୍ରତର୍ପଣ ସପ୍ତାହକୁ ୧୭୫୦ ଟଙ୍କା ଓ ଉପନାହ ୧୦୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହିସବୁ ଚିକିତ୍ସା ହେଉଛି ପୁରାତନ ଚିକିତ୍ସା ପଦ୍ଧତି। ଏହି ଚିକିତ୍ସା ପାଇଁ ଚିକିତ୍ସାଳୟ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ଗତ ନଭେମ୍ବର ମାସରେ ସାଧାରଣ ପରିଷଦ ବୈଠକରେ ଏହାକୁ ସ୍ବୀକୃତି ଦେଇଛି। ବହିର୍ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ନୂୂତନ ଚିକିତ୍ସା ସଂପର୍କରେ ସୂଚନା ଦିଆଯିବ। ଯେଉଁମାନେ ଏହି ଚିକିତ୍ସା ନେବାକୁ ଚାହିଁବେ ସେମାନଙ୍କୁ ଚିକିତ୍ସାଳୟରେ ଚିକିତ୍ସା ମିଳିବ। ପଞ୍ଚକର୍ମ ଓ ଅନ୍ୟ ବିଭାଗରେ ଥିବା ଡାକ୍ତର ଏହି ଚିକିତ୍ସା ଯୋଗାଇବେ ବୋଲି ଡା.ବଳିୟାରସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର