ଗୋଲ୍‌ଡେନ୍‌ ବାବା ମାମଲାରେ ନୂଆ ମୋଡ଼: ଅଭିଯୋଗକାରୀ ଦେଲେ ଆପୋସ ସମାଧାନ ପିଟିସନ

ଭୁବନେଶ୍ୱର: କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ବିଚାର ବିଭାଗୀୟ ହାଜତ୍‌ରେ ଥିବା ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍‌ଡେନ୍ ବାବା ମାମଲା ନୂଆ ମୋଡ଼ ନେଇଛି। କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହେବା ପରେ ଗୋଲ୍‌ଡେନ୍‌ ବାବା ନାମରେ ଅଭିଯୋଗ ଆଣିଥିବା ସଂସ୍ଥା କୋର୍ଟରେ ଆପୋସ ସମାଧାନ ପାଇଁ ପିଟିସନ୍‌ ଦାଖଲ କରିଛି। ‘ବାବା ଟଙ୍କା ଠକି ନାହାନ୍ତି, ବରଂ ଭୁଲ ବୁଝାମଣା ଯୋଗୁ ଏଭଳି ହୋଇଛି’ ବୋଲି ସଂସ୍ଥା ଦର୍ଶାଇଛି। ଏଭଳି ଏକ ପ୍ରସଙ୍ଗ ଏବେ ବାବାକୁ ନେଇ ରହିଥିବା ଅଡୁଆର ସମାଧାନ କରିବାକୁ ରାସ୍ତା ଦେଖାଇଛି। ଯଦିଓ ବାବାର ଜାମିନ ଆବେଦନ ଖାରଜ ହୋଇଛି; କିନ୍ତୁ ବାବାକୁ ଜେଲ୍‌ରୁ ମୁକୁଳାଇବାରେ ଏହି ପିଟିସନ୍‌ ସହାୟକ ହେବ ବୋଲି କୁହାଯାଉଛି। କେଉଁ ପରିସ୍ଥିତିରେ ଅଭିଯୋଗକାରୀ ଆପୋସ ସମାଧାନ ପାଇଁ ଉଦ୍ୟମ କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାବା ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କୁ ଖୋଜି ବାହାର କରିବା ସହ ଉପଯୁକ୍ତ ଦଣ୍ଡବିଧାନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବି ହୋଇଛି। କେବଳ ରାଜନୈତିକ ଦଳ ନୁହେଁ, ଜଣେ କ୍ୟାମେରାମ୍ୟାନ୍‌ରୁ ଏଭଳି କୋଟିପତି ବନିଯିବା ବା ନକଲି କାଗଜରେ ଅନେକ ବଡ଼ବଡ଼ିଆଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କାର ଚୁନା ଲଗାଇବା ପଛରେ ଥିବା ରହସ୍ୟକୁ ଜାଣିବା ପାଇଁ ସାରା ଓଡ଼ିଶା ଅପେକ୍ଷା କରିଥିବା ବେଳେ ମାମଲାର ଏହି ନୂଆ ମୋଡ଼ ଏବେ ଅନ୍ୟ ପ୍ରକାର ଚର୍ଚାର ଖୋରାକ ଯୋଗାଇଛି। ସଂସ୍ଥା ଆପୋସ ସମାଧାନ ପାଇଁ କ’ଣ ପାଇଁ ଆଗ୍ରହ ପ୍ରକାଶ କରିଛି ବା ସଂସ୍ଥାର କ’ଣ ଦୁର୍ବଳତା ରହିଛି ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବାବା ପଛରେ ଛାମୁଆଁ ନେତାଙ୍କ ସହ ଅନେକ ବଡ଼ବଡ଼ିଆ ରହିଛନ୍ତି। ତଦନ୍ତ ହେଲେ ଏମାନଙ୍କର ମୁଖା ଖୋଲିବ। ମୁଖା ଖୋଲିଲେ ରାଜନୀତିରେ ହଟଚମଟ ହେବ। ଏଣୁ ଚାପ ପକାଇ ତଦନ୍ତ ହେବା ପୂର୍ବରୁ ମାମଲାର ଆପୋସ ସମାଧାନ ପାଇଁ ଯୋଜନା ହେଉଛି। ସଂସ୍ଥା ନିଜ ଇଚ୍ଛାରେ ନୁହେଁ, ବରଂ ଏହା ପଛରେ ରାଜନୈତିକ ଚାପ ରହିଛି। କିମ୍ବା ଜେଲ୍‌ ଭିତରୁ ବାବା ଏହାକୁ ନିୟନ୍ତ୍ରଣ କରୁଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଦୁଇଟି ମାମଲା କ୍ରାଇମ୍‌ ବ୍ରାଞ୍ଚ ନେଇଛି। କେବଳ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ମାମଲାର ଅଭିଯୋଗକାରୀ ଏହି ଆପୋସ ସମାଧାନର ପିଟିସନ୍‌ ଦେଇଛନ୍ତି। ଲକ୍ଷ୍ମୀସାଗର ଥାନାରେ ହୋଇଥିବା ମାମଲାର ଆପୋସ ସମାଧାନ ପାଇଁ ପିଟିସନ୍‌ ଆସିନାହିଁ। ତେବେ ପ୍ରବଳ ରାଜନୈତିକ ଚାପ ରହିଥିବାରୁ ଏପରି ପିଟିସନ୍‌ ଆସିଥିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହି ପିଟିସନ ପ୍ରସଙ୍ଗରେ କଡ଼ା ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଆପୋସ ସମାଧାନ ପିଟିସନ ଆସିବା ପରେ ଏହାକୁ ଆଧାର କରି ବାବା ଜାମିନ ପାଇଁ ଆବେଦନ କରିଥିଲା। ହେଲେ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ଓକିଲ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଅନେକ ପ୍ରମାଣ ହସ୍ତଗତ ହୋଇଥିବାରୁ ଏହି ପିଟିସନ୍‌ର କୌଣସି ମୂଲ୍ୟ ନାହିଁ। କ୍ରାଇମ୍‌ ବ୍ରାଞ୍ଚ ମୂଳ ପର୍ଯ୍ୟନ୍ତ ମାମଲାର ଯାଉଛି। ଆହୁରି ଅନେକ ତଥ୍ୟ ହାସଲ କରିବାକୁ ରହିଛି। ଏଣୁ ଏହି ସବୁ ପିଟିସନ୍‌ ଆଉ କାମ କରିବ ନାହିଁ। ଖୁବ୍‌ଶୀଘ୍ର ଏହି ମାମଲାର ତଦନ୍ତ ସରିବା ସହ ସବୁ ରହସ୍ୟ ଉନ୍ମୋଚିତ ହେବ।

ସୂଚନାଯୋଗ୍ୟ ଯେ, ଜଣେ କେଉଁଝରର ଖଣି ମାଲିକଙ୍କୁ ବାବା ୧୨କୋଟି ୫୦ ଲକ୍ଷ ଠକି ଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା। ଡିସେମ୍ବର ୩୧ ରାତିରେ ସାରା ସହର ଜିରୋ ନାଇଟ୍‌ରେ ମସଗୁଲ ଥିବା ବେ‌ଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ବାବାକୁ ଗିରଫ କରିଥିଲା। ଗିରଫ ପରେ ବାବା ନାମରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଥିଲା। ଉତ୍ତରପ୍ରଦେଶର ବାରଣାସୀର ଜଣେ ବ୍ୟବସାୟୀ ତାଙ୍କ ନାମରେ ମଧ୍ୟ ଅଭିଯୋଗ ଆଣିଥିଲେ। ଖୋଳତାଡ଼ ପରେ ଶହେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାଗଜପତ୍ର ପ୍ରସ୍ତୁତ ହୋଇଥିବା ଦେଖାଯାଇଥିଲା। ଶେଷରେ ମାମଲା କ୍ରାଇମ୍‌ ବ୍ରାଞ୍ଚ ହାତକୁ ଯାଇଥିଲା।

ସମ୍ବନ୍ଧିତ ଖବର