ଭୋଜିରେ ମଟନ୍‌-ଚିଙ୍ଗୁଡ଼ି

ଭୁବନେଶ୍ୱର : ପୁରୁଣା ବର୍ଷକୁ ଭଲରେ ଭଲରେ ବିଦାୟ ଦେବାକୁ ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ଭୋଜି ଉତ୍ସବ। କିଏ ବଣଭୋଜିରେ ମାତିଥିଲା ତ କିଏ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଜମେଇଥିଲା। ନୂଆବର୍ଷର ପହିଲି ଦିନ ସୋମବାର ପଡ଼ୁଥିବାରୁ ଆଜି ରବିବାରିଆ ଆମିଷ ବାରିରେ ବଣଭୋଜିସ୍ଥଳ ଓ ଘରୁ ଆମିଷ ରାନ୍ଧଣାର ମହକ ଛଟି ଆସୁଥିଲା। ସକାଳ ପାହିବା କ୍ଷଣି ମାଛ ଓ ମାଂସ ବଜାରରେ ଭିଡ଼ ଜମିଥିଲା। ଠିକ୍‌ ଛାଡ଼ଖାଇ ବଜାର ପରି ଭିଡ଼।

୪ ନମ୍ବର ମାଛ ମାର୍କେଟ୍‌ରେ ବଡ଼ ଇଲିସି ଦର ୧୫୦୦ ହୋଇଥିଲା। ମାଛ ମାର୍କେଟ୍‌ରେ ଇଲିସି, ଶୀତଳ, ଭେକ୍‌ଟି ପରି ମାଛର ଦର ଆଜି ସ୍ୱାଭାବିକ ଦରଠାରୁ ବଳିଯାଇଥିଲା। ତେବେ ସବୁଠୁ ଭଲ ବିକ୍ରି ହୋଇଥିଲା ଚିଙ୍ଗୁଡ଼ି, ପାମ୍ପ୍‌ଲେଟ୍‌ ଓ ଖଅଙ୍ଗା। ଚିଙ୍ଗୁଡ଼ି ପ୍ରତିଦିନ କୁଇଣ୍ଟାଲ୍‌ ଲେଖାଏଁ ବିକ୍ରି ହେଉଥିବା ବେଳେ ଆଜି ୬ କୁଇଣ୍ଟାଲ୍‌ ବିକ୍ରି ହୋଇଛି। ଦର ବି ପୂର୍ବରୁ ୪୫୦ ଟଙ୍କା ଥିବା ବେଳେ ବଡ଼ ଚିଙ୍ଗୁଡ଼ି ୫୦୦ରୁ ୫୫୦ ଟଙ୍କାରେ ବିକ୍ରି ହୋଇଥିଲା। ଖଅଙ୍ଗା ଦର ୫ଶହ ଟଙ୍କା ଥିବା ବେଳେ ୫ କୁଇଣ୍ଟାଲ୍‌ରୁ ଊର୍ଧ୍ୱ ବିକ୍ରି ହୋଇଛି। ସେହିଭଳି ପାମ୍ପ୍‌ଲେଟ୍‌ର ଦର ୭୦୦ରୁ ୧୨୦୦ ଟଙ୍କା ଥିବା ବେଳେ କୁଇଣ୍ଟାଲ୍‌ ପାମ୍ପ୍‌ଲେଟ୍‌ ବିକ୍ରି ହୋଇଛି ବୋଲି ୪ ନଂ ମାଛ ମାର୍କେଟ୍‌ ସଂଘର ସମ୍ପାଦକ ବସନ୍ତ କୁମାର ବିଶ୍ୱାଳ କହିଛନ୍ତି। ଚିଲିକା ଫ୍ରେସ୍‌ରେ ବି ଦର ସାମାନ୍ୟ ଉଚ୍ଚା ରହିଥିଲା।

ମଟନ ବେପାର ମଧ୍ୟ ଖୁବ୍‌ ଜମିଥିଲା। ମଟନ୍‌ କେଜି ପ୍ରତି ୫୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ୩୦୦ରୁ ଊର୍ଧ୍ୱ ଦୋକାନରେ ପ୍ରାୟ ୨ଶହ କୁଇଣ୍ଟାଲ୍‌ ମଟନ୍‌ ବିକ୍ରି ହୋଇଛି। ବଲାଙ୍ଗୀର ଓ ଦଶପଲ୍ଲା ସମେତ ନିକଟ ଉପାନ୍ତ ଅଞ୍ଚଳରୁ ଖାସି ମଗାଯାଇଥିବା ୪ ନଂ ମଟନ୍‌ ହାଟର ସେକ୍‌ ସାଜନ ସୂଚନା ଦେଇଛନ୍ତି। ତେବେ ମଟନ୍‌ ଓ ମାଛ ଭଳି ଚିକେନ୍‌ ବେପାର ଜମି ପାରିନି ବୋଲି କହିଛନ୍ତି ୪ ନମ୍ବର ଚିକେନ୍‌ ବ୍ୟବସାୟୀ ସଂଘର ପ୍ରଶାନ୍ତ କୁମାର ମଲ୍ଲିଆ।

ସମ୍ବନ୍ଧିତ ଖବର