ରାତି ପାହିଲେ ବଡ଼ଦିନ ଚର୍ଚ ଚଳଚଞ୍ଚଳ; କେକ୍‌ କାଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାତି ପାହିଲେ ବଡ଼ଦିନ। ଭଗବାନ ଯୀଶୁ ଧରାବତରଣ କରିବେ ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ। ସାନ୍ତାକ୍ଲଜ୍‌ ଆସିବ ଚକୋଲେଟ୍‌ ଓ ଉପହାର ନେଇ। ଏଥିପାଇଁ କେବେଠାରୁ ରାଜଧାନୀ ତା’ର ସଜବାଜ ସାରିଦେଲାଣି। ଉତ୍ସାହ ବି ବଢ଼ିବାରେ ଲାଗିଛି। ଏ ନେଇ ବଡ଼ ବଡ଼ ସପିଂ ମଲ୍‌ଠାରୁ ଜୁଏଲାରି ଦୋକାନ ପର୍ଯ୍ୟନ୍ତ ଆଲୋକମାଳାରେ ସଜେଇ ହେବା ସହ ଲାଲ୍‌ କୁର୍ତ୍ତା, ପ୍ୟାଣ୍ଟ୍‌ ଓ ଟୋପି ପିନ୍ଧା ବୁଢ଼ା ସାନ୍ତାକ୍ଲଜ୍‌ ବି ଦୋକାନ ସମ୍ମୁଖରେ ଠିଆ ହୋଇ ଗ୍ରାହକଙ୍କୁ ପାଛୋଟୁଛି। କିଛି ଶିକ୍ଷାନୁଷ୍ଠାନ ଓ ପ୍ଲେ-ସ୍କୁଲ୍‌ରେ ଉତ୍ସବ ପାଳନ ଜୋର୍‌ ଚାଲିଛି। ବିଦ୍ୟାଳୟକୁ ସାନ୍ତାକ୍ଲଜ୍‌ ଆସି ପିଲାମାନଙ୍କ ସହ ନାଚ ଗୀତ କରିବା ସହ ଉପହାର ମଧ୍ୟ ବାଣ୍ଟୁଛି। ଖାଲି ସେତିକି ନୁହେଁ, ଆଜି ସତ୍ୟନଗରସ୍ଥିତ ‘ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ’ରେ ପ୍ରାକ୍‌-ଖ୍ରୀଷ୍ଟମାସ୍‌ ଉତ୍ସବ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚର୍ଚକୁ ଯାଇ କୁନିକୁନି ପିଲା ଓ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସହ କେକ୍‌ କାଟି ସମସ୍ତଙ୍କୁ ବଡ଼ଦିନ ଓ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଅଭିନେତା ମୁନ୍ନା ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କ୍ୟାଥ୍‌ଲିକ୍‌ ମଣ୍ଡଳୀ କାରୋଲ୍‌ ଗାନ କରିଥିଲେ। ସାନ୍ତାକ୍ଲଜ୍‌ ପିଲାମାନଙ୍କୁ ଚକୋଲେଟ୍‌ ଓ ଉପହାର ପ୍ରଦାନ କରିଥିଲା। କାର୍ଯ୍ୟକ୍ରମରେ କଟକ-ଭୁବନେଶ୍ୱର ଆର୍ଚବିଶପ୍‌ ଜନ୍‌ ବାର୍‌ଓ୍ଵା, ରେଭ୍‌ ଏସ୍‌.ଏନ୍‌ ନନ୍ଦ, ଫାଦର୍‌ ପ୍ରସନ୍ନ ପ୍ରଧାନ, ସିଷ୍ଟର୍‌ ସାମୁଏଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ ୩୦୦୦ରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

‘ବଡ଼ଦିନ ଶାନ୍ତି, ପ୍ରେମ ଓ ଭାଇଚାରାର ବାର୍ତ୍ତା ଦିଏ’

ଖ୍ରୀଷ୍ଟ୍‍ମାସ୍‌ ହେଉଛି ଆଶା, ପ୍ରେମ, ଆନନ୍ଦ ଉଲ୍ଲାସ, ଶାନ୍ତି ଓ ଭାଇଚାରାର ପର୍ବ। କ୍ଷମା, ଦୟା ଓ ସହାନୁଭୂତିର ମହତ୍ୱ ବୁଝାଇବା ପାଇଁ ଭଗବାନ ଯୀଶୁ ଧରାବତରଣ କରିଥିଲେ। ଏକତା ଓ ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ। ଏସବୁ ଦିଗରେ କାର୍ଯ୍ୟ କରିବା ପାଇଁ ମୁଁ ଓ ମୋ ସରକାର ସବୁବେଳେ ଚେଷ୍ଟା କରିବୁ ବୋଲି ସତ୍ୟନଗରସ୍ଥିତ ‘ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ’ରେ ଆଜି ଆୟୋଜିତ ପ୍ରାକ୍‌-ଖ୍ରୀଷ୍ଟମାସ୍‌ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁବିଧା ଯୋଗାଇ ଦେବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବେ ବୋଲି ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର