ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସଂସଦର ସାରସ୍ୱତ ସମାରୋହ

ଚନ୍ଦ୍ରଶେଖରପୁର : ନୀଳାଦ୍ରି ବିହାରସ୍ଥିତ ଅମୃତ ମଣ୍ଡପଠାରେ ରବିବାର ନିଖିଳ ଉତ୍କଳ ଶିଶୁ ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସାହିତ୍ୟିକ ତଥା ଶିକ୍ଷାବିତ୍‌ ଡ. ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପ୍ରଥମେ କବିତା ପାଠ ହୋଇଥିଲା। ପରେ ସଭାକାର୍ଯ୍ୟରେ ପ୍ରଶାସକ ଅଶ୍ୱିନୀ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ମନୋରଂଜନ କରୁଥିବା କବିତା ପୁସ୍ତକ ପ୍ରକାଶିତ କରିବା ନେଇ ଉପସ୍ଥିତ ଶିଶୁ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ୍‌ ଦାଶ ବେନହୁର ଯୋଗ ଦେଇ ଶିଶୁ ସାହିିତ୍ୟିକମାନଙ୍କ ଲେଖନୀକୁ ଆହୁରି ଚଳଚଞ୍ଚଳ କରିବା ନେଇ ପ୍ରେରଣା ଦେଇଥିଲେ। ବରିଷ୍ଠ ସାହିତ୍ୟିକ ମନୋଜ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ସମାରୋହରେ ଯୋଗ ଦେଇ ପିଲାଙ୍କ ପାଇଁ ଶିଶୁ ସାହିତ୍ୟର ଉପକାରିତା ବର୍ଣ୍ଣନା କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସଂସଦର ମୁଖପତ୍ର ‘ବେଙ୍ଗୁଲି ନାନୀ’ ଓ କବି ସନାତନ ବେହେରାଙ୍କ ପୁସ୍ତକ ‘ନିରବତା ଏକ ନଦୀ’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ସାରଳା ପତ୍ରୀ, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ରବୀନ୍ଦ୍ର କୁମାର ମହାପାତ୍ର, ଜ୍ଞାନବ୍ରତ ମହାନ୍ତି, ଆର୍ତ୍ତବନ୍ଧୁ ସ୍ୱାଇଁ, ସୁଶାନ୍ତ କୁମାର ନନ୍ଦ ଓ ଶିବ ଚରଣ ମଲ୍ଲିକଙ୍କୁ ସମ୍ବର୍ଧିତ କରଯାଇଥିଲା। କାର୍ଯ୍ୟକ୍ରମରେ ଦିବ୍ୟଜ୍ୟୋତି ପାଣି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ସୁଶାନ୍ତ କୁମାର ସେନାପତି, ସହ ସଂପାଦକ ସଂଜୟ କୁମାର ସାହୁ, କୃଷ୍ଣଚନ୍ଦ୍ର ସୁଆର, କୁମୁଦଲତା ମହାନ୍ତି, ରାଜକିଶୋର ପାଢ଼ୀ ଓ କେଳୁଚରଣ ବଡ଼ଜେନା ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର