ନୀଳମଣି ବିଦ୍ୟାରତ୍ନ ଥିଲେ ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ରଥୀ

ଭୁବନେଶ୍ୱର: ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ରଥୀ। ସମ୍ବାଦପତ୍ର ସମ୍ପାଦନା, ଭାଷା ଆନ୍ଦୋଳନ, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କର ବହୁମୂଲ୍ୟ ଅବଦାନ ରହିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ଅତିଥିମାନେ ଏପରି ଆଲୋକପାତ କରିଛନ୍ତି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବାଙ୍କୀ ବିଧାୟକ ତଥା ସ୍ମୃତି ସଂସଦର ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ.ଜ୍ଞାନୀ ଦେବାଶିଷ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ଗଦ୍ୟ ଭାଷାକୁ ସ୍ୱୀକୃତିରେ ବିଦ୍ୟାରତ୍ନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ମୃତି ସଂସଦର ସମ୍ପାଦକ ଡ.କୃଷ୍ଣ କେଶବ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ। ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା। ସକାଳେ ଜୟଦେବ ବିହାର ଛକରେ ପଣ୍ଡିତ ନୀଳମଣିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର