ନିନାଦ ଓ ବର୍ଣ୍ଣାଳିର ଦ୍ବିତୀୟ ସନ୍ଧ୍ୟା, ନୃତ୍ୟ, ସଂଗୀତରେ ଭିଜିଲେ ଶ୍ରୋତା

ଭୁବନେଶ୍ବର: ନବମ ‘ନିନାଦ’ ଓ ଦ୍ୱିତୀୟ ‘ବର୍ଣ୍ଣାଳି’ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆଜି ଥିଲା ଦ୍ବିତୀୟ ସଂଧ୍ୟା। ରୁଦ୍ରାକ୍ଷ ଫାଉଣ୍ଡେସନ୍ ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ହିମାଂଶୁ ଶେଖର ସ୍ବାଇଁ ଏବଂ ମାତୃ ପ୍ରସାଦ ଦାସଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ। ରାଗ-କାମୋଦି ଏବଂ ତାଳ-ତ୍ରିପତାରେ ଏହା ନିବଦ୍ଧ ଥିଲା। ଦ୍ବିତୀୟ ପରିବେଷଣ ଥିଲା ଦେବାଲଦେବ୍ ଜେନାଙ୍କ ଭାରତନାଟ୍ୟମ୍‌। ରାଗ-ଧନ୍ୟାଶି ଓ ଆଦି-ତାଳରେ ସେ ‘ଭରଣମ୍’ ପରିବେଷଣ କରିଥିଲେ। ପରେ ପରେ ରାଗ-ପରଶ ଓ ଆଦି-ତାଳରେ ‘ଥିଲାନା’ ଦର୍ଶକଙ୍କୁ ଭେଟି ଦେଇଥିଲେ। ଏହାପରେ ପ୍ରଭାତ କୁମାର ସ୍ବାଇଁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ତାଳ-ମଲ୍ଲିକା ଓ ରାଗ-ମଲ୍ଲିକାରେ ‘ଏକଲବ୍ୟ’ ପରିବେଷଣ କରିଥିଲେ। ପ୍ରତିଭା ଭଟ୍ଟ ଭାରତନାଟ୍ୟମ ‘ଭରଣମ୍’ ପରିବେଷଣ କରିଥିଲେ। ସଂଧ୍ୟାର ଶେଷରେ ଦଳଗତ ଓଡ଼ିଶୀ ନୃତ୍ୟ ‘ଦେବଦାସୀ’ ପରିବେଷିତ ହୋଇଥିଲା। ନୃତ୍ୟଶିଳ୍ପୀମାନେ ରାଗ-ଭୈରବ ଓ ତାଳ-ଏକତାଳିରେ ‘ମୋହନ ମୂରତି ଛାଇ ଲୋ….’ ପରିବେଷଣ କରିଥିଲେ। ଯାହାକି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ପରେ ରାଗ-ଜନସମ୍ମୋହିନୀ ଓ ତାଳ-ଏକତାଳିରେ ‘ମୋକ୍ଷ ମଙ୍ଗଳା’ ପରିବେଷଣ କରିଥିଲେ।

ଏହି ଅବସରରେ ସମାଜସେବୀ ରଶ୍ମିତା ତରାଇଙ୍କୁ ସମ୍ବର୍ଧିତ କରାଯାଇଥିଲା। ଦ୍ବିତୀୟ ସଂଧ୍ୟରେ ଅତିଥି ଭାବେ ବିଶିଷ୍ଟ ମର୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ବାଇଁ, ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ନବ କିଶୋର ମିଶ୍ର, ଗୁରୁ ରତିକାନ୍ତ ମହାପାତ୍ର, ରୁଦ୍ରାକ୍ଷ ଫାଉଣ୍ଡେସନ୍‌ର ପରିଚଳନା ଟ୍ରଷ୍ଟି ଗୁରୁ ବିଚିତ୍ରାନନ୍ଦ ସ୍ବାଇଁ ଓ ଗୁରୁ ରାମହରି ଦାସ ପ୍ରମୁଖ ଯୋଗଦେଇ ଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ରୋହିତ ପ୍ରଧାନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର