ସାଇକେଲ୍‌ରେ ନିନିଗାଁରୁ ନୂଆଦିଲ୍ଲୀ

ଭୁବନେଶ୍ୱର: ସାଇକେଲ୍‌ରେ ନିନିଗାଁରୁ ନୂଆଦିଲ୍ଲୀ। ବୁଲିବାକୁ ନୁହେଁ, ବରଂ ପରିବେଶ ସୁରକ୍ଷା ବାର୍ତା ବାଣ୍ଟିବାକୁ ସେ ସାଇକେଲ୍‌ରେ ୨ହଜାର କିଲୋମିଟର ପଥ ଅତିକ୍ରମ କରିଛନ୍ତି। ‘ସାଇକେଲ୍‌ ଚଲାଅ, ପ୍ରଦୂଷଣ ହଟାଅ, ପେଟ୍ରୋଲ୍‌ ବଞ୍ଚାଅ, ସୁସ୍ଥ ହୁଅ’ ଭଳି ବଳିଷ୍ଠ ବାର୍ତା ନେଇ ଜୁନ୍‌ ୨୭ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ବଡ଼ନିନିଗାଁରୁ ଯାତ୍ରା ଆରମ୍ଭ କରିଥିବା ବ୍ୟକ୍ତିଜଣକ ହେଉଛନ୍ତି କପିଳ ପ୍ରଧାନ। ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶ ଦେଇ ଗତ ୧୪ ତାରିଖରେ ସେ ଦିଲ୍ଲୀରେ ପହଞ୍ଚିଥିଲେ। ଜଣେ ମଜୁରିଆ ଭାବେ କାମ କରୁଥିବା କପିଳଙ୍କ କହିବା କଥା ହେଲା, ପ୍ରଥମେ ବ୍ୟକ୍ତି ବଦଳିବା ଦରକାର। ବ୍ୟକ୍ତି ବଦଳିଲେ ହିଁ ସମାଜ ବଦଳିବ। ସେ ଯେବେ ଏହି ଯାତ୍ରାରେ ବାହାରିଲେ ଅନେକ ଟୁପୁରୁଟାପୁରୁ ହେଲେ। କିନ୍ତୁ ଏଥିପ୍ରତି ତାଙ୍କର ନିଘା ନଥିଲା। ସେ ଏକଥା ବି କୁହନ୍ତି, ଲୋକେ ହୁଏତ ଭାବୁଥିବେ ଏହା ମୋ’ର ପାଗଳାମୀ। କିନ୍ତୁ ୨ ହଜାର କିଲୋମିଟର ଯିବା ଭିତରେ ଅନେକ ଲୋକଙ୍କ ପ୍ରଶଂସାରୁ ମୋ ଉଦ୍ୟମ ଓ ଉଦ୍ଦେଶ୍ୟ ସାର୍ଥକ ହୋଇଛି ବୋଲି ମୋ’ର ହୃଦବୋଧ ହୋଇଛି। ପରିବେଶ ସୁରକ୍ଷା ପାଇଁ ଆଗକୁ ଆହୁରି ଦୂର ପଥ ଅତିକ୍ରମ କରିବାକୁ ପଛାଇବି ନାହିଁ ବୋଲି ସେ କୁହନ୍ତି।

ସମ୍ବନ୍ଧିତ ଖବର