ନିଃସହାୟ, ନିରାଶ୍ରିତ ଓ୍ଵାର୍ଡ: ରୋଗୀ ହାତରେ ରୋଗୀଙ୍କ ଭାଗ୍ୟ

ଭୁବନେଶ୍ୱର: ମରିଗଲିଲୋ..। ମତେ ଏଠୁ ନେଇଯାଅ..। ମତେ ମାରିଦିଅ..। ହେ ପ୍ରଭୁ ଟିକେ ଦୟା କର..। ଯଦି ଆପଣ କେବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଥିବା ଡେଷ୍ଟିଚ୍ୟୁଟ୍‌ ଓ୍ଵାର୍ଡ ନିକଟରେ ଅକସ୍ମାତ ପହଞ୍ଚିଯାଆନ୍ତି, ତେବେ ଏଇ ବିକଳ ଆର୍ତନାଦ ଆପଣଙ୍କ ହୃଦୟ ବିଦାରିଦେବ। ଦିନ ତମାମ ବୋଉଲୋ ବାପଲୋ ଭଳି ନିଃସହାୟ ଶବ୍ଦ ଆପଣଙ୍କୁ ନିଶ୍ଚେ କ୍ଷଣେ ଅଟକାଇଦେବ। ଓ୍ଵାର୍ଡ ମଧ୍ୟରୁ ଭାସି ଆସୁଥିବା ଓଃ..ଆଃ..ଭଳି ଯନ୍ତ୍ରଣାର ଆର୍ତଚିତ୍କାର ଶୁଣିବା ପରେ ଆପଣଙ୍କ ଦେହ ସହିବନି। ଅଥଚ ଏଭଳି ଏକ ପରିବେଶ ମଧ୍ୟରେ କାଳ କାଟୁଛନ୍ତି ୧୫ରୁ ଊର୍ଧ୍ୱ ନିରାଶ୍ରିତ ରୋଗୀ। କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଥିବା ହଇଜା ସଂକ୍ରମଣ ଓ୍ଵାର୍ଡକୁ ସଂଲଗ୍ନ ହୋଇ ରହିଛି ଏହି ଡେଷ୍ଟିଚ୍ୟୁଟ୍‌ ଅର୍ଥାତ ନିରାଶ୍ରିତ ଓ୍ଵାର୍ଡ। ମୁଖ୍ୟତଃ ରାସ୍ତାକଡ଼ରେ ପଡ଼ିଥିବା ଅବା ଆଜୀବନ ଅବିବାହିତ ରହି ଯାଇଥିବା ନିରାଶ୍ରିତ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ପାଗଳ ଏଇ ଓ୍ଵାର୍ଡରେ ରହି ଚିକିତ୍ସିତ ହେଉଛନ୍ତି। ମାତ୍ର ସେମାନଙ୍କୁ ଚିକିତ୍ସା ସେବା ଦେବା ପାଇଁ ଏଠି ସବୁବେଳେ ଡାକ୍ତରଙ୍କ ପାଦ ପଡ଼ିପାରେନି। ରଜ ସମୟରେ ୪ଦିନ କାଳ ଡାକ୍ତର ଆସି ନଥିବା ବେଳେ ଅନେକ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିଲେ। ମାତ୍ର ତାଙ୍କର ସେଇ ଆକୁଳ ଚିତ୍କାର ସବୁ ପବନରେ ମିଳେଇ ଯାଇଥିଲା। କେହି ଶୁଣିବାକୁ ହିଁ ନଥିଲେ। ତେଣୁ କିଛି ରୋଗୀ ମତେ ମାରିଦିଅ…ବୋଲି ଚିତ୍କାର କରୁଥିଲେ।

ଏଭଳି ସ୍ଥିତି ସତ୍ତ୍ୱେ ସତ୍ୟସାଇ ସେବା ସଂଗଠନ ଭଳି ଏକ ସ୍ୱେଚ୍ଛାସେବୀ ସଂସ୍ଥା ହାତରେ ଦାୟିତ୍ୱ ନ୍ୟସ୍ତ କରି ଦେଇ ସରକାର କାମ ସାରି ଦେଇଛନ୍ତି। ଏଣେ ଏଇ ସଂଗଠନ କେବଳ ଖାଇବାକୁ ଦେବା ସମୟରେ ଆସୁଥିବା ବେଳେ ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ସଂପୃକ୍ତ ସଂଗଠନଠାରୁ ଅଳ୍ପ କିଛି ଟଙ୍କା ନେଇ ରୋଗୀଙ୍କ ସେବା କରୁଛନ୍ତି। ସେ ବି ସକାଳ ୭ଟାରୁ ଆସି ମଧ୍ୟାହ୍‌ଣ ୧୨ଟା ପର୍ଯ୍ୟନ୍ତ ରହୁଛନ୍ତି। ମାତ୍ର ତାପରେ ରୋଗୀଙ୍କ ଭାଗ୍ୟ ତାଙ୍କ ହାତରେ। ଏଇ ସମସ୍ୟା ଆଜିର ନୁହେଁ। ଯେବେଠୁ ଏହା ପ୍ରତିଷ୍ଠା ହୋଇଛି ସେବେଠୁ ଏଇ ଅବସ୍ଥା। ଅସହାୟଙ୍କ ପାଇଁ ନିରାଶ୍ରିତ ଚିକିତ୍ସା ଓ୍ଵାର୍ଡ ଖୋଲି ଦେଇ ସରକାର ବାଃବାଃ ନେବାରେ ଟିକେ ବି ଉଣା କରିନଥିଲେ। ମାତ୍ର ଏଠାରେ ତାଙ୍କ କଥା ବୁଝିବାକୁ ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ବି ଏଯାଏଁ ନିଯୁକ୍ତି ଦେଲେନି। କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ସେବା ଦେବାକୁ ମଧ୍ୟ ଆବଶ୍ୟକ ଡାକ୍ତର ଓ ଆଟେଣ୍ଡାଣ୍ଟ୍‌ଙ୍କ ଅଭାବ ରହିଛି। ବାସ୍ତବରେ ନିରାଶ୍ରିତ ଓ୍ଵାର୍ଡକୁ ଡାକ୍ତର ଯାଇ ଚିକିତ୍ସା କରୁଛନ୍ତି କିନ୍ତୁ ଏଠାରେ ଜଣେ ଆଟେଣ୍ଡାଣ୍ଟ୍‌ଙ୍କ ନିହାତି ଆବଶ୍ୟକ ଥିବା ବେଳେ ଏଥିପ୍ରତି ଆଖି ମୁଜିଦେବାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଏନେଇ ପତିତ ଉଦ୍ଧାର ସମିତିର ଆଭାରାଣୀ ଚୌଧୁରୀଙ୍କ କହିବା ମୁତାବକ, ଏହି ନିରାଶ୍ରିତ ଓ୍ଵାର୍ଡ ନିଜେ ନିଃସହାୟ ହୋଇପଡ଼ିଛି। ଏଠାରେ ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ନିଯୁକ୍ତି ଦେବାରେ କାହିଁକି କାର୍ପଣ୍ୟ କରାଯାଉଛି ତାହା ବୁଝିହେଉନି। ସରକାର ଶହଶହ ଯୋଜନା କରୁଛନ୍ତି। ଅଥଚ ଏହି ନିରାଶ୍ରିତଙ୍କ ଆକୁଳ ଯନ୍ତ୍ରଣା ବେଳକୁ ଯେମିତି ବଧିର ପାଲଟି ଯାଇଛନ୍ତି।

ସମ୍ବନ୍ଧିତ ଖବର