ଡାକ୍ତର ନାହାନ୍ତି, ରୋଗୀଙ୍କୁ ମିଳୁନି ସେବା

ବ୍ରହ୍ମେଶ୍ୱରପାଟଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

0 13

ଭୁବନେଶ୍ୱର: ବ୍ରହ୍ମେଶ୍ୱରପାଟଣା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନାହାନ୍ତି କି ଏଠାରେ ଥିବା ଶଯ୍ୟା ରୋଗୀଙ୍କ ସେବାରେ ଲାଗୁ ନାହିଁ। କ୍ୟାପିଟାଲ ହସ୍ପିଟାଲ୍‌ ଉପରୁ ଚାପ କମାଇବା ଲକ୍ଷ୍ୟ ନେଇ ୧୨ ବର୍ଷ ତଳେ ବିଏମ୍‌ସି ପକ୍ଷରୁ ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ଯୋଜନା ହୋଇଥିଲା। ମାତ୍ର ଏହି ଯୋଜନା କେବଳ ଯୋଜନାରେ ରହି ଯାଇଛି। ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବ୍ରହ୍ମେଶ୍ୱରପାଟଣା ସମେତ ବାଲିଅନ୍ତା, ବାଲିପାଟଣା, ବାଙ୍କୁଆଳ, କଳ୍ପନା ଓ ବଡ଼ଗଡ଼ ଅଞ୍ଚଳର ଲୋକମାନେ ନିର୍ଭରଶୀଳ। ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ନର୍ସ, ଏଲ୍‌ଟି ଓ ଦୁଇ ଜଣ ଝାଡ଼ୁଦାରଙ୍କୁ ନେଇ ଡାକ୍ତରଖାନାଟି ଯେନତେନ ଅବସ୍ଥାରେ ଚାଲିଛି। କାମଚଳା ଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଚକ୍ଷୁ ବିଭାଗ, ଫିଜିଓଥେରାପି, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଏଠାକୁ ଅଣାଯାଉଛି। ଚର୍ମ ଓ ଦନ୍ତ ବିଶେଷଜ୍ଞ ଡାକ୍ତର ନ ଥିବାରୁ ପ୍ରତିଦିନ ରୋଗୀମାନେ ଫେରୁଛନ୍ତି। ରୋଗୀ ସଂଖ୍ୟା ବୃଦ୍ଧି ଦେଖି ଜାତୀୟ ସ୍ୱାସ୍ଥ୍ୟ ଯୋଜନାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନ୍ତର୍ଭୁକ୍ତ କରାଯାଇ ଏହାର ଉନ୍ନତୀକରଣ କରିବାକୁ ଯୋଜନା ହୋଇଥିଲା। ୨୦୦୬ ମସିହାରେ ନୂତନ ଗୃହ ନିର୍ମାଣ କରାଯିବା ସହ ଅନ୍ତଃବିଭାଗ ସେବା ପାଇଁ ୧୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହି ସେବା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନି। ଆରମ୍ଭ ଦିନରୁ ଶଯ୍ୟାଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ କାର୍ଯ୍ୟକାରୀ ହେବା ପରେ ବିଏମ୍‌ସି ଅଧୀନରେ ରହିଥିବା ଡିସ୍‌ପେନସାରିଗୁଡ଼ିକ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଥିଲା। ଏହାପୂର୍ବରୁ ବ୍ରହ୍ମେଶ୍ୱରପାଟଣାସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଯୋଜନା ହୋଇଥିଲା, ମାତ୍ର ତାହା ହୋଇପାରିନାହିଁ।

ବ୍ରହ୍ମେଶ୍ୱରପାଟଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶେଫାଳି ମଲ୍ଲିକଙ୍କ କହିବା ଅନୁଯାୟୀ, ଅସ୍ଥାୟୀ ଡାକ୍ତରଙ୍କ ଯୋଗୁଁ ଡାକ୍ତରଖାନାରେ ବହୁ ସମସ୍ୟା ଉପୁଜୁଛି। ଦନ୍ତ ଓ ଚର୍ମ ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବିଶେଷଜ୍ଞ ଡାକ୍ତର ନଥିବାରୁ ବହୁ ସମୟରେ ଡାକ୍ତରଖାନା ପରିସରରେ ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଡାକ୍ତର ମଲ୍ଲିକ କହିଛନ୍ତି। ଅପରପକ୍ଷେ, ବ୍ରହ୍ମେଶ୍ୱରପାଟଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ସେମିତି କୌଣସି ଯୋଜନା ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିସନର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.