କେବେ ଚେତିବେ? ସପିଂ ମଲ୍‌ ଓ ତାରକା ହୋଟେଲ୍‌

ଭୁବନେଶ୍ୱର (ହିତେଶ ନାୟକ): କିଛି ଦିନ ତଳେ ରାଜଧାନୀର ଜୟଦେବ ବିହାର ନିକଟରେ ଥିବା ଏକ ସ୍ପୋଟର୍ସ ସୋରୁମ୍‌, ଏହାର କିଛି ଦିନ ପରେ ଜନପଥ ରୋଡ୍‌ରେ ଥିବା ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଯାହାକି ଦେଖଣାହାରୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା। ରାଜଧାନୀରେ ଏଭଳି ଅଗ୍ନିକାଣ୍ଡ ନ ଘଟିବା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ କେତେକ ସର୍ତକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାରକା ହୋଟେଲଠାରୁ ଆରମ୍ଭ କରି ସପିଂ ମଲ୍‌, ଗହଣା ଦୋକାନଗୁଡ଼ିକୁ ନୋଟିସ୍‌ କରିବା ସହିତ କେତେକ ପରାମର୍ଶ ପ୍ରଦାନ କରାଯାଇଥିଲା। ଅଗ୍ନିଶମ ବିଭାଗର ଏଭଳି ପରାମର୍ଶକୁ ୫ ମାସ ବିତି ଗଲାଣି। କିନ୍ତୁ ଏବେ ବି ସେହି ସବୁ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୁଗୁଳା ରହିଥିବା ଜଣାପଡ଼ିଛି। ସପିଂ ମଲ୍‌ ଓ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଅଗ୍ନିଶମ ବିଭାଗର ନିୟମକୁ ବେଖାତିର କରି ଚାଲିଥିଲେ ମଧ୍ୟ ବିଭାଗ ପକ୍ଷରୁ ଉପରୋକ୍ତ ଅନୁଷ୍ଠାନଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ୫ ମାସ ତଳେ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀର ପାଖାପାଖି ୧୦ଟି ସପିଂ ମଲ, ୨୬ଟି ତାରକା ହୋଟେଲ ଓ ଗହଣା ଦୋକାନ ଉପରେ ଚଢ଼ଉ ବେଳେ ଏଭଳି ଯାଞ୍ଚ ରିପୋର୍ଟ ଦିଆଯାଇଥିଲା ଯେ, ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ ସପିଂମଲ, ତାରକା ହୋଟେଲ୍‌, ବଡ଼ବଡ଼ ଗହଣା ଦୋକାନ ଗୁଡ଼ିକରେ ସେଭଳି ସୁବିଧା ସୁଯୋଗ ନାହିଁ। ପରିସ୍ଥିତିକୁ ସମ୍ମୁଖୀନ ପାଇଁ କୌଣସି ପ୍ରକାର ନିରାପତ୍ତା ବ୍ୟବସ୍ଥା ରଖା ଯାଇ ନାହିଁ। ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ। ଯେଉଁ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକ ଅଛି ତାହା ଥାଇ ମଧ୍ୟ ନଥିବା ଭଳି ସ୍ଥିତିରେ। କେଉଁଠି ଆଲାରାମ ନାହିଁ ତ କେଉଁଠି ଆଲାରାମ ବାଜୁନି। କେତେକ ସ୍ଥାନରେ ସ୍ପ୍ରିଙ୍କଲର ନାହିଁ ତ ଥାଇ ମଧ୍ୟ ଅଚଳ ହୋଇପଡ଼ିଛି। ଏହି ସବୁ ସ୍ଥାନରେ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ରଗୁଡ଼ିକୁ ବ୍ୟବହାର କରାଯାଉଛି ତାହା ପୁଣି ଅତି ନିମ୍ନମାନର। ଖାଲି ଏତିକି ନୁହେଁ ତାରକା ହୋଟେଲ, ମଲ୍‌, ଗହଣା ଦୋକାନଗୁଡ଼ିକରେ ଜରୁରୀକାଳୀନ ସିଡ଼ି ଗୁଡ଼ିକ ଅଚଳ ହୋଇ ପଡ଼ିଛି। କେଉଁଠି ଜରୁରୀକାଳୀନ ଦ୍ୱାର ନାହିଁ ତ କେଉଁଠି ଜରୁରୀକାଳୀନ ଦ୍ୱାର ସମ୍ମୁଖକୁ ଷ୍ଟୋର ଭାବେ ବ୍ୟବହାର କରାଯାଇଛି। କେତେକ ସ୍ଥାନରେ ଜରୁରୀକାଳୀନ ଦ୍ୱାର ସମ୍ପର୍କରେ ସୂଚନା ପ୍ଲେଟ ମଧ୍ୟ ଲଗାଯାଇ ନାହିଁ।

ଏହାଛଡ଼ା ଉକ୍ତ ସ୍ଥାନଗୁଡ଼ିକରେ ନିରପତ୍ତା ପାଇଁ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଥିଲେ ମଧ୍ୟ ତାହା ରଖାଯାଇ ନାହିଁ। ଯେଉଁଠି ପାଣି ଟାଙ୍କି ରହିଛି, ସେଗୁଡ଼ିକ ଅତି କ୍ଷୁଦ୍ର, ଯାହାକି ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ। ମଲ୍‌, ହୋଟେଲ, ଗହଣା ଦୋକାନ ଚାରି ପଟେ ରାସ୍ତାକୁ ଅତି କମ୍‌ରେ ୬ ମିଟର ଚଉଡ଼ା ରାସ୍ତା ଛାଡ଼ିବାକୁ ନିୟମ ରହିଛି। ଫଳରେ ଅଗ୍ନିଶମ ଗାଡ଼ିଗୁଡ଼ିକ ସହଜରେ ଚାରିପଟେ ଚକର କାଟି ପରିସ୍ଥିତିର ମୁକାବିଲା କରିପାରିବ। ହେଲେ ଅନେକ ସ୍ଥାନରେ ଚାରିପଟେ ରାସ୍ତା ନାହିଁ। ଅଧିକାଂଶ ସ୍ଥାନରେ ଏହା ୫ଫୁଟ ଭିତରେ ରହିଛି। ମୁଖ୍ୟ ଦ୍ୱାରକୁ ୫ ମିଟର ଚଉଡ଼ା ରଖିବା ପାଇଁ ନିୟମ ରହିଛି। ହେଲେ ମୁଖ୍ୟ ଦ୍ୱାରକୁ ବନ୍ଦ କରି ଭାଗ ଭାଗ କରି ଦିଆଯାଇଛି। ସିଡ଼ିଗୁଡ଼ିକୁ ଅତି କମ୍‌ରେ ଦେଢ଼ ମିଟର ଚଉଡ଼ା ରଖିବା ଦରକାର ଥିବା ବେଳେ କେତେକ ସ୍ଥାନରେ ଏହି ନିୟମକୁ ଉଲ୍ଲଂଘନ କରାଯାଇଛି। କୌଣସି ପ୍ରକାରର ଅଗ୍ନିକାଣ୍ଡ ଘଟିଲେ ସେଣ୍ଟ୍ରାଲ୍‌ ଏସିଗୁଡ଼ିକ ସ୍ୱତଃପୂର୍ତ୍ତ ଭାବେ ବନ୍ଦ ହୋଇଯିବା ବ୍ୟବସ୍ଥା ରଖିବାକୁ ନିୟମ ରହିଛି। ନିଆଁ ଲାଗିବା କ୍ଷଣି ଏସି ବନ୍ଦ ହୋଇଯିବ। ଫଳରେ ନିଆଁ ଚାରିଆଡ଼କୁ ସହଜରେ ବ୍ୟାପି ପାରିବନି। ହେଲେ କେତେକ ସ୍ଥାନରେ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି।

ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଗ୍ନିଶମ ବିଭାଗ ଗତ ଜାନୁଆରି ମାସରେ ସମସ୍ତ ତାରକା ହୋଟେଲ, ସପିଂ ମଲ୍‌ ଓ ଗହଣା ଦୋକାନୀମାନଙ୍କୁ ନୋଟିସ୍‌ ଜାରି କରିଥିଲା। ଦୁଇ ମାସ ମଧ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭାଗ ସମୟ ଦେଇଥିଲା। ଏମିତିକି କି କେତେକ ସ୍ଥାନରେ ସିଜ୍‌ କରି ତାଲା ମଧ୍ୟ ଝୁଲାଇଥିଲା। କିନ୍ତୁ ଚାପରେ ଚେପା ହୋଇ ବରିଷ୍ଠ ଅଧିକାରୀମାନେ ପୁଣି ତାଲା ଖୋଲିଦେଲେ। ଅଗ୍ନିଶମ ବିଭାଗର ନୋଟିସ୍‌କୁ ଇତି ମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ କି ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅଗ୍ନିଶମ ବିଭାଗ ସବୁ ଜାଣି ଚୁପ ହୋଇ ବସିଛି। ଯଦି କୌଣସି ଅଘଟଣ ଘଟେ, ସେଥିପାଇଁ କିଏ ଦାୟୀ ରହିବ? ଏନେଇ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ।

ଦୁଇ ମାସରେ ଭିତ୍ତିଭୂମି ସଜାଡ଼ିବାକୁ କୁହାଯାଇଥିଲା, ୫ ମାସ ବିତିଲାଣି
କାହିଁକି ଚୁପ୍‌ ବସିଛି ଅଗ୍ନିଶମ ବିଭାଗ
ବାଜିରେ ଗ୍ରାହକଙ୍କ ଜୀବନ

ବେସ୍‌ମେଣ୍ଟ ନିୟମକୁ ଫୁ
ନିୟମ ଅନୁଯାୟୀ ବେସ୍‌ମେଣ୍ଟଗୁଡ଼ିକୁ ବିଶେଷ କରି ପାର୍କିଂ ପାଇଁ ବ୍ୟବହାର କରାଯାଇଥାଏ। ବେସ୍‌ମେଣ୍ଟରେ କୌଣସି ପ୍ରକାର ଉତ୍ସବ ପାଇଁ ଅନୁମତି ମିଳିନଥାଏ। ଯଦି କେହି ବେସ୍‌ମେଣ୍ଟକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରେ ତେବେ ସେଥିପାଇଁ ବିଡିଏ ଓ ବିଏମ୍‌ସିଠାରୁ ସ୍ୱତନ୍ତ୍ର ଅନୁମତି ନେବା ଆବଶ୍ୟକ। ହେଲେ ହୋଟେଲ୍‌ ପକ୍ଷରୁ ବିଡିଏ କିମ୍ବା ବିଏମ୍‌ସିରୁ କୌଣିସି ଅନୁମତି ନିଆଯାଇ ନାହିଁ। କେତେକ ସ୍ଥାନରେ ବେଆଇନ୍‌ ଭାବେ ବେସ୍‌ମେଣ୍ଟକୁ ମଣ୍ଡପ ଭାବେ ମଧ୍ୟ ବ୍ୟବହାର କରାଯାଇଛି। ବେସ୍‌ମେଣ୍ଟ ଚାରିପଟେ ବଡ଼ ଦ୍ୱାର ରଖିବା ପାଇଁ ନିୟମ ଥିଲେ ମଧ୍ୟ ତାହା କରାଯାଇ ନାହିଁ। ଯଦି ସେଠାରେ ଅଗ୍ନିକାଣ୍ଡ ଘଟେ, ତେବେ ଲୋକମାନେ ବାହାରକୁ ବାହାରିବାକୁ ବାଟ ମଧ୍ୟ ନାହିଁ। ହେଲେ ଅଗ୍ନିଶମ ବିଭାଗକୁ ଏହା ଦେଖାଯାଉନାହିଁ।

କର୍ମଚାରୀକୁ ଦିଆଯାଉ ନାହିଁ ତାଲିମ
ସପିଂ ମଲ୍‌, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ନିୟମକୁ ତ ଖୋଲାଖୋଲି ଫାଙ୍କି ଚାଲିଛନ୍ତି। ଏହାଠାରୁ ବଡ଼ ଦୁଃଖର ବିଷୟ ଯେ ଜରୁରୀକାଳୀନ ପରିସ୍ଥିତ ପାଇଁ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ରହିଛି, ତାହାର ବ୍ୟବହାର କର୍ମଚାରୀମାନଙ୍କୁ ଜଣାନାହିଁ କି ସେମାନଙ୍କୁ ତାଲିମ୍‌ ଦିଆଯାଉ ନାହିଁ ଯଦିଓ କର୍ମଚାରୀମାନଙ୍କୁ ଅଗ୍ନି ନିରାପତ୍ତା ତାଲିମ୍‌ ନେଇ ନିୟମ ରହିଛି। ତେଣୁ କର୍ମଚାରୀମାନଙ୍କୁ ଅତିକମ୍‌ରେ ବର୍ଷରେ ଦୁଇ ଥର ତାଲିମ୍‌ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ମଝିରେ ମଝିରେ ମକ୍‌ ଡ୍ରିଲ୍‌ ଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି। ହେଲେ ସେଭଳି କୌଣସି ତାଲିମ ଦିଆଯାଉ ନାହିଁ। ବରଂ ବିଭାଗୀୟ ଅଧିକାରୀମାନେ ମୋଟା ଅଙ୍କର ଚାନ୍ଦା ନେଇ ସବୁ ବେନିୟମକୁ ନିୟମସଙ୍ଗତ କରିଦେଉଛନ୍ତି।

ସମ୍ବନ୍ଧିତ ଖବର