ଅଟଳା-ହଂସପାଳ ପୁରୀ କେନାଲ ରାସ୍ତ‌ା ଅନ୍ଧା‌ରରେ, ଚୋରି, ଦୁର୍ଘଟଣା ବଢ଼ୁଛି

ଭୁବନେଶ୍ବର: ଭୁବନେଶ୍ବର ସହରରେ ବିକାଶ ପାଇଁ ଅନେକ ଯୋଜନା ପ୍ରସ୍ତୁତ ହେଉଛି। କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଛି। କିନ୍ତୁ ସହର ଉପକଣ୍ଠ ଦୀପତଳ ଅନ୍ଧାର ପରି ରହିଯାଇଛି। ଯାହାଦ୍ବାରା ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବିଏମ୍‌ସି ଅଧୀନରେ ଆସୁଥିବା ଉପକଣ୍ଠର ବହୁ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲାଗିପାରୁନି। ଚାରି ନମ୍ବର ୱାର୍ଡରେ ଥିବା ଅଟଳା-ହଂସପାଳ ପୁରୀ କେନାଲର ବାମପାର୍ଶ୍ବରେ ଥିବା  ରାସ୍ତା ଏବେ ବି ଅନ୍ଧା‌ରରେ ରହିଛି। ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ଥିବା ଖୁଣ୍ଟି‌ରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ହଂସପାଳ ଛକରୁ ସାଇଫନ ଛକ ଶେଷରେ କବି ଜୟଦେବଙ୍କ ପୀଠ ଯାଏ ଲମ୍ବିଥିବା ଏହି କେନାଲ କଡ଼ ରାସ୍ତା ଜଳସଂପଦ ବିଭାଗ‌ ଅଧୀନରେ ରହିଛି। ଏହି ରାସ୍ତାର ବାମ ପାଖକୁ ଲାଗି ଗଢ଼ି ଉଠୁଛି ଅନେକ ଆପାର୍ଟମେଣ୍ଟ। ତା’ସହିତ ଏଠାରେ ଥିବା ପୁରୁଣା ଆପାର୍ଟମେଣ୍ଟରେ ୭ ହଜାରୁ ଅଧିକ ଲୋକ ବସବାସ କରୁଛନ୍ତି। କିନ୍ତୁ ଏହି ରାସ୍ତାର ଅଧା ଅଞ୍ଚଳ ବିଏମ୍‌ସି ଅଧୀନରେ ଆସୁଥିବା ବେଳେ ଅଧା ପଞ୍ଚାୟତ ଅଧୀନରେ ଆସୁଅଛି। କିନ୍ତୁ ସମସ୍ୟାର ସମାଧାନ କରିବାକୁ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ନା ବିଏମ୍‌ସି ନା ପଞ୍ଚାୟତ କାହାରି ଏଥି ପ୍ରତି ଚିନ୍ତା ନାହିଁ। ଯାହା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ଲାଇଟ୍ ତ ଲଗାଉ ନାହାନ୍ତି। ବରଂ ନୂଆ ସମସ୍ୟା ସୃଷ୍ଟି କରିଛନ୍ତି। କେନାଲ କୂଳରେ ନୂଆ କରି ମଦଦୋକାନ ଖୋଲିଥିବା ବେଳେ କେନାଲର ବାମ ପାର୍ଶ୍ବରେ କିଛି ଲୋକ ଜବରଦଖଲ କରି ଘର ରହିଛନ୍ତି। ଏହି ରାସ୍ତା ଅନ୍ଧାର ହେଉଥିବାରୁ ମଦ୍ୟପଙ୍କ ଆଡ଼ା ପାଲଟିଛି। ଯାହାଦ୍ବାରା ସାଧାରଣ ଲୋକ ରାତିରେ ଯିବାଆସିବା ପାଇଁ ଭୟ କରୁଛନ୍ତି। ପୁଣି ଅନ୍ଧାରର ସୁଯୋଗ ନେଇ ଏହି ରାସ୍ତାରେ ଚୋରି ବି ହେଉଛି। ସନ୍ଧ୍ୟା ପରେ ଛୋଟ ବଡ଼ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଏଥିପାଇଁ ପୁଲିସ୍ କି ବିଏମ୍‌ସି ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉନି। ଏହି ସମସ୍ୟାର ସମାଧାନ ପା‌ଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ରଥ ବିଏମ୍‌ସି ଅଫିସ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଓ ସ୍ଥାନୀୟ କର୍ପୋରେଟର୍‌ଙ୍କୁ ଅନୁରୋଧ କରିଥିଲେ ମଧ୍ୟ କିଛି ଫଳ ମିଳିନାହିଁ।  ବିଏମ୍‌ସି ପିପିପି ମୋଡ୍‌ରେ ‘ଓଡ଼ିଶା ଷ୍ଟ୍ରିଟ ଲାଇଟିଂ’ ପ୍ରକଳ୍ପ ଅଧୀନରେ ଖୁବ୍‌ ଶୀଘ୍ର ରାସ୍ତା ଆଲୋକୀକରଣ ହେବ ବୋଲି କହି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହେଇ ନାହିଁ।

ସମ୍ବନ୍ଧିତ ଖବର