ରଥ ପାଇଁ ଟଙ୍କା ନାହିଁ

କାକରୁଦ୍ରପୁର ପତିତପାବନ ଦେବ

ବାଲିଅନ୍ତା: ବାଲିଅନ୍ତା ବ୍ଲକ କାକରୁଦ୍ରପୁରସ୍ଥିତ ଶ୍ରୀଶ୍ରୀପତିତପାବନଦେବ ହେଉଛନ୍ତି ୩୬୫ ଏକର ଜମିର ମାଲିକ। ହେଲେ ଉକ୍ତ ମନ୍ଦିର ଟ୍ରଷ୍ଟ ଓ ପରିଚାଳନା କମିଟି ହାତରେ ଆବଶ୍ୟକ ପରିମାଣର ଟଙ୍କା ନଥିବାରୁ ଠାକୁରଙ୍କ ପୂଜାନୀତି ଓ ରଥ ନିର୍ମାଣ କାମ ଆଗେଇ ପାରୁନାହିଁ। ଏଣେ ପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପାଖେଇ ଆସୁଥିବା ବେଳେ ରଥ ତିଆରି ଲାଗି କାଠର ଅଭାବ ଦେଖାଦେଇଛି। କାଠ ସମସ୍ୟା ଯୋଗୁଁ ରଥଖଳାରେ ରଥ ନିର୍ମାଣ କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଏଭଳି ସ୍ଥିତିରେ ବଡ଼ଦାଣ୍ଡରେ ଅଧାଗଢ଼ା ହୋଇ ରହିଥିବା ରଥ କାମ କିଭଳି ସଂପୂର୍ଣ୍ଣ ହେବ, ଘୋଷଯାତ୍ରା ପରିଚାଳକଙ୍କୁ ଚିନ୍ତା ଘାରିଛି।

ଉଲ୍ଲେଖଯୋଗ୍ୟ, ପତିତପାବନ ଦେବଙ୍କ ଘୋଷଯାତ୍ରା ଏବଂ ଅନ୍ୟ ରୀତିନୀତି ପୁରୀ ଶ୍ରୀମନ୍ଦିରର ଅନୁଯାୟୀ ହୋଇଥାଏ। ଟ୍ରଷ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଗ୍ରାମର ବିଜୟ ଚାନ୍ଦଙ୍କ କହିବାନୁଯାୟୀ ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିର ସମ୍ମୁଖ ପାର୍ଶ୍ୱର ପାଚେରି ବର୍ଷାରେ ଭାଙ୍ଗିଗଲା। ପାଚେରି ନିର୍ମାଣ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ଦେବୋତ୍ତର ବିଭାଗ ପକ୍ଷରୁ ମଧ୍ୟ ରଥ ନିର୍ମାଣ ପାଇଁ ଟଙ୍କା ରିଲିଜ୍‌ ହୋଇପାରିନି। ବୟସ୍କ କାରିଗର ସନାତନ ମହାରଣାଙ୍କ ସୂଚନାନୁସାରେ ପ୍ରତିଦିନ ରଥ ନିର୍ମାଣ ପାଇଁ ୧୫ରୁ ଅଧିକ କାରିଗର ନିଯୁକ୍ତ ହୋଇଛନ୍ତି। ରଥର ଚକ ଓ ଅଖ ତିଆରି କାର୍ଯ୍ୟ ଶେଷ ହୋଇଛି। ହେଲେ ୫୦ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ରଥର ଚାରିନାହାକା, ପାରାଭାଡ଼ି ଓ ପୋଟଳ କାମ ସହ ଅନ୍ୟ ସବୁ ଅଂଶର ନିର୍ମାଣ କାର୍ଯ୍ୟ ପାଇଁ ଏବେ ସୁଦ୍ଧା ସବୁ କାଠ ଯୋଗାଡ଼ ହୋଇପାରିନି। ସୂଚନାଯୋଗ୍ୟ ପତିତପାବନ ଦେବଙ୍କର ଅସ୍ତରଙ୍ଗ, ଅଁଳ, ନିଆଳି, ନିମାପଡ଼ା (ଅଁଡିଆ) ଜଗନ୍ନାଥପୁର, ପ୍ରତାପରୁଦ୍ରପୁର, ଦଣ୍ଡିଲୋ, ଖମଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଦେବୋତ୍ତର ବିଭାଗ ସମ୍ପତ୍ତି ଭୋଗଦଖଲରେ ମାର୍ଫତଦାର ସମୂହ ରହିଛନ୍ତି। ଏହି ଦେବ କାର୍ଯ୍ୟର ସୁପରିଚାଳନା ପାଇଁ ଜମି ମାଲିକମାନେ ଉପଯୁକ୍ତ ଭାବେ ଆର୍ଥିକ ସହଯୋଗ ପ୍ରଦାନ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଉଛି।

ସମ୍ବନ୍ଧିତ ଖବର