ଭୁବନେଶ୍ୱର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍ ୨୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ ମାସ ମଧ୍ୟରେ ସମସ୍ତ ବେଆଇନ ନିର୍ମାଣକୁ ନିୟମ ଅନୁଯାୟୀ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। କିନ୍ତୁ ବିଜ୍ଞପ୍ତି ପ୍ରକାଶକୁ ମାସେ ପୂରିବାକୁ ଯାଉଥିବାବେଳେ ଏପର୍ଯ୍ୟନ୍ତ ବିଡିଏ କି ବିଏମ୍ସିରେ ଜଣେ ବି ଆବେଦନ କରିନାହାନ୍ତିି। ସର୍ବକ୍ଷମା ଯୋଜନାରେ ବିଡିଏ ଓ ବିଏମ୍ସି ଅଧୀନରେ ସର୍ବାଧିକ ହିତାଧିକାରୀ ଆବେଦନ କରିବେ ବୋଲି ନଗର ଉନ୍ନୟନ ବିଭାଗ ଆକଳନ କରିଛି। ଏପରିକି ଏହି ଦୁଇଟି ସଂସ୍ଥାରୁ ପ୍ରାୟ ୩୦ରୁ ୩୫କୋଟି ଟଙ୍କା ଜରିମାନା ଆଦାୟ ହେବ ବୋଲି ବିଭାଗୀୟ ଅଧିକାରୀମାନେ ଆକଳନ କରିଛନ୍ତି। କିନ୍ତୁ ପ୍ରଥମ ମାସରେ କେହି ବି ଆବେଦନ ନକରିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। କେବଳ ଭୁବନେଶ୍ୱର ନୁହେଁ ଅନ୍ୟ ସହରରେ ବି କେହି ସର୍ବକ୍ଷମା ପାଇଁ ଆବେଦନ କରି ନଥିବା ଜଣାପଡ଼ିଛି। ସର୍ବକ୍ଷମା ଯେଉଁମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିଲା ସେହି ସଂସ୍ଥାଗୁଡ଼ିକ ଏପର୍ଯ୍ୟନ୍ତ ଆବେଦନ ନକରିବାରୁ ବିଡିଏ ପକ୍ଷରୁ କର୍ମଶାଳା ଆୟୋଜନ କରି ତୁରନ୍ତ ଆବେଦନ କରିବାକୁ କୁହାଯାଇଛି। ବିଡିଏର ପ୍ଲାନିଂ ମେମ୍ବର ଜି.ଏସ୍ ଭୂୟାଁ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଆମେ ରାଜ୍ୟର ବିଭିନ୍ନ ସହରରେ ଥିବା ହୋଟେଲ, ରିଅଲ ଇଷ୍ଟେଟ୍ ସଂସ୍ଥା, ହସ୍ପିଟାଲ ଓ କ୍ଲିନିକ କର୍ତ୍ତୃପକ୍ଷଙ୍କୁ ଡାକି ସର୍ବକ୍ଷମା ଯୋଜନା ବିଷୟରେ ବୁଝାଇଛୁ। କିପରି ସେମାନେ ସହଜରେ ଆବେଦନ କରିପାରିବେ, ପ୍ରଥମେ କ’ଣ କରିବାକୁ ହେବ, ଏନ୍ଓସି କିପରି ସହଜରେ ସଂଗ୍ରହ କରିବେ, କେତେ ଟଙ୍କା ଜରିମାନା ଦେବାକୁ ହେଉଛି ତାହାକୁ କିପରି ହିସାବ କରିବେ ସେନେଇ ସବିଶେଷ ବୁଝାଇଛୁ। ଖୁବ୍ ଶୀଘ୍ର ବିଭିନ୍ନ ସହରାଞ୍ଚଳରେ ଥିବା ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଡକାଯିବ। ସମସ୍ତେ ଯେପରି ସୁବିଧାରେ ଆବେଦନ କରିବେ ଏବଂ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବେ ସେନେଇ ପରାମର୍ଶ ଦିଆଯାଉଛି। ଏପରିକି ବିଡିଏ ଦ୍ୱାରା ଅନୁମୋଦିତ ହୋଇଥିବା ଆର୍କିଟେକଚର୍ ଏବଂ ବୈଷୟିକ ଅଧିକାରୀଙ୍କ ତାଲିକା େଓ୍ଵବସାଇଟ୍ରେ ଦିଆଯାଇଛି ବୋଲି ଶ୍ରୀ ଭୂୟାଁ କହିଛନ୍ତି।
ଅପରପକ୍ଷେ ଯଦି ଧାର୍ଯ୍ୟ ୬ମାସ ମଧ୍ୟରେ କୌଣସି ବେଆଇନ ନିର୍ମାଣ କରିଥିବା ସଂସ୍ଥା ଆବେଦନ ନକରନ୍ତି ତେବେ ଅବଧି ସରିବା ପରେ ସେଗୁଡ଼ିକୁ ଭଙ୍ଗାଯିବ ନଚେତ୍ ତାହାକୁ ସିଲ୍ କରାଯିବ। ଏନେଇ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ ରେଗୁଲେସନ୍ସ-୨୦୧୭’ରେ ନିୟମ ରହିଛି। ଆପାର୍ଟମେଣ୍ଟ, ହସ୍ପିଟାଲ, ହୋଟେଲ ଯଦି ବେଆଇନ ନିର୍ମାଣକୁ ଆଇନସମ୍ମତ ନକରନ୍ତି ତେବେ ସେଗୁଡ଼ିକୁ ସିଲ୍ କରିଦିଆଯିବ। ଯଦି କୌଣସି ଘର ବେଆଇନ ନିର୍ମାଣକୁ ଆଇନସମ୍ମତ ନକରନ୍ତି ତେବେ ସେଗୁଡ଼ିକୁ ଭଙ୍ଗାଯିବ। ଏନେଇ ସ୍ୱତନ୍ତ୍ର ସ୍କ୍ଵାଡ୍ ଗଠନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ପିଟାଲ, ହୋଟେଲ, ଆପାର୍ଟମେଣ୍ଟ, ବଡ଼ ଅନୁଷ୍ଠାନ ସିଲ୍ ହେବ
୬ ମାସ ମଧ୍ୟରେ ରେଗୁଲାରାଇଜ୍ ନକଲେ ଘର ଭଙ୍ଗା ହେବ
ଖୋଲିନି ହେଲ୍ପ ଡେସ୍କ
ସର୍ବକ୍ଷମା ନେଇ ସବିଶେଷ ତଥ୍ୟ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ େଓ୍ଵବସାଇଟ୍ରେ ଥିଲେ ହେଁ ବହୁ ସଂସ୍ଥାର ପ୍ରତିନିଧି, ସାଧାରଣ ଲୋକ ଏନେଇ ଥିବା ସନ୍ଦେହ ଦୂର କରିବାକୁ ବିଡିଏ ଓ ବିଏମ୍ସି ଅଫିସ ଆସୁଛନ୍ତି। କିନ୍ତୁ ଏଠାରେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ହେଲ୍ପ ଡେସ୍କଟିଏ ଖୋଲା ଯାଇନି। ସମସ୍ୟା ସମାଧାନ ପାଇଁ ଆସୁଥିବା ଲୋକ ଜଣଙ୍କୁ ପଚାରିଲେ ସେ ଆଉ ଜଣଙ୍କ ପାଖକୁ ପଠାଉଛନ୍ତି। ଏହିପରି ଏକାଧିକ ଅଧିକାରୀଙ୍କ ପାଖକୁ ବୁଲିଲେ ବି ଲୋକଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ମିଳୁନି। ଏନେଇ ବିଡିଏ ପ୍ଲାନିଂ ମେମ୍ବରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯେଉଁମାନେ ସର୍ବକ୍ଷମା ଜନିତ ସମସ୍ୟା ନେଇ ଆସୁଛନ୍ତି ସେଗୁଡ଼ିକୁ ତୁରନ୍ତ ସମାଧାନ କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ହେଲ୍ପ ଡେସ୍କ ଖୋଲିବାକୁ ଏଷ୍ଟାବ୍ଲିସମେଣ୍ଟ ବିଭାଗକୁ ଅଧିକାରୀ ମଗାଯାଇଥିଲା। ଲୋକଙ୍କ ଅସୁବିଧାକୁ ନଜରରେ ରଖି ଆମେ ବୁଧବାର ଠାରୁ ହେଲ୍ପ ଡେସ୍କ ଖୋଲିବୁ। ବିଏମ୍ସିରେ ବି ହେଲ୍ପ ଡେସ୍କ ନଥିବାରୁ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଏମ୍ସି ପ୍ଲାନିଂ ମେମ୍ବରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଯିଏ କୌଣସି ସମସ୍ୟା ନେଇ ଆସୁଛନ୍ତି ତାହାର ସମାଧାନ ପାଇଁ ଆମ ଅଧିକାରୀମାନେ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି।