ଫାବ୍ରିକେସନ୍ ୟୁନିଟ୍‌କୁ ଫୁରସତ ନାହିଁ

ଜୋରଦାର ଚାଲିଛି ପ୍ରଚାର ଗାଡ଼ିର ଫ୍ରେମ୍ ତିଆରି, ଡିଜାଇନ୍ ଅନୁସାରେ ଫ୍ରେମ୍‌ର ଦାମ୍

ଭୁବନେଶ୍ବର: ରାଜଧାନୀରେ ନିର୍ବାଚନ ପ୍ରଚାର ଧୀରେଧୀରେ ଜମିବାରେ ଲାଗିଛି। ପଦଯାତ୍ରାଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ପ୍ରଚାର ଆରମ୍ଭ ହୋଇଗଲାଣି। ହେଲେ ରାଜଧାନୀର ଗଳିକନ୍ଦିରେ ଫ୍ଲେକ୍‌ସ ଲଗା ଗାଡ଼ି ପ୍ରଚାର ଆଗକୁ ଆରମ୍ଭ ହେବ। ପ୍ରଚାର ଗାଡ଼ିରେ ବ୍ରାଣ୍ଡିଂ କରିବା ଲାଗି ଫାବ୍ରିକେସନ୍‌ ୟୁନିଟ୍‌ଗୁଡ଼ିକରେ ଏବେ ଜୋରଦାର ଭିଡ଼। ଫ୍ଲେକ୍‌ସ ଲଗା ବ୍ରାଣ୍ଡିଂ ପାଇଁ ଲୁହାର ଫ୍ରେମ୍ ତିଆରିରେ ବ୍ୟସ୍ତ ଫାବ୍ରିକେସନ୍ ୟୁନିଟ୍‌। ଗୋଟିଏ ଗୋଟିଏ ୟୁନିଟ୍‌କୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ୧୦/୧୨ଟି ଗାଡ଼ି ପାଇଁ ବରାଦ ଦିଆସରିଛି। ଦିନରାତି କାମରେ ଲାଗି ଯାଇଛନ୍ତି ଫାବ୍ରିକେସନ୍ ୟୁନିଟ୍‌। ଏହି ସୁଯୋଗରେ ଭଲ ଦି ପଇସା ରୋଜଗାର କରିବାର ଲକ୍ଷ୍ୟ ମଧ୍ୟ ରଖିଛନ୍ତି।

ଗାଡ଼ିରେ ପ୍ରଚାର ପାଇଁ ବିଶେଷକରି ଟାଟା ଏସ୍‌ ଓ ପ୍ରାଇମ୍ ଭଳି ମିନି ଟ୍ରକ୍‌ର ଅଧିକ ଚାହିଦା ରହିଛି। ଏଥିପାଇଁ ଫାବ୍ରିକେସନ୍ ୟୁନିଟ୍‌ ଲୁହାର ଫ୍ରେମ୍ ତିଆରି କରୁଛନ୍ତି। ଫ୍ରେମ୍ ପ୍ରସ୍ତୁତ ହେବା ପରେ ଗାଡ଼ିର ଡାଲାକୁ କାଢ଼ି ସେଠାରେ ଏହି ଫ୍ରେମ୍‌କୁ ଲଗା ଯାଇଥାଏ। ଯେଉଁ ରାଜୈନିତକ ଦଳ ଯେଉଁ ପ୍ରକାରର ଡିଜାଇନ୍ ଚାହୁଛନ୍ତି, ସେହି ଅନୁସାରେ ଲୁହାର ଫ୍ରେମ୍ ତିଆରି ହେଉଛି। ଗୋଟିଏ ଗୋଟିଏ ଫ୍ରେମ୍ ପ୍ରସ୍ତୁତ କରିବା ଲାଗି ୫/୬ ଘଣ୍ଟା ସମୟ ଲାଗୁଛି। ଏହାକୁ ଗାଡ଼ିରେ ସଜାଇ ରଖିବା ପାଇଁ ମଧ୍ୟ ଘଣ୍ଟାଏ ଉପରେ ଲାଗୁଛି। ଗୋଟିଏ ଗୋଟିଏ ଫ୍ରେମ୍ ତିଆରି ପାଇଁ ୧୬/୧୭ ହଜାର ଟଙ୍କା ଖର୍ଚ ହେଉଥିବା ଜଣାପଡ଼ିଛି। ଯଦି ଆହୁରି ଭଲ ଡିଜାଇନ୍ ପାଇଁ ବରାଦି ଆସେ, ଏଥିପାଇଁ ଅଲଗା ଖର୍ଚ ଲାଗୁଥିବା ଜଣାପଡ଼ିଛି। ରାଜଧାନୀର ଏକ ଫାବ୍ରିକେସନ୍ ୟୁନିଟ ମାଲିକଙ୍କ କହିବା କଥା, ମିନି ଟ୍ରକ୍‌ରେ ଏଭଳି ବ୍ରାଣ୍ଡିଂ ପାଇଁ ଦଳଗୁଡ଼ିକ ପକ୍ଷରୁ ବରାଦି ଦିଆଯାଉଛି। ଏଥିରେ ଡିଜାଇନ୍ ଅନୁସାରେ ଫ୍ରେମ୍ ପ୍ରସ୍ତୁତ ପରେ ବ୍ରାଣ୍ଡିଂ ହୋଇଥାଏ। ଏଥିରେ ଏକ ଏଲଇଡି ସ୍କ୍ରିନ୍ ରହିବାର ମଧ୍ୟ ବ୍ୟବସ୍ଥା କରାଯାଉଛି। ଧାର୍ଯ୍ୟ ସମୟ ଭିତରେ ଏହାକୁ ଶେଷ କରିବାର ଟାର୍ଗେଟ୍‌ ଥିବାରୁ ପିଲାଙ୍କୁ ଫୁରସତ ମିଳୁନାହିଁ। ଏବେ ୧୦/୧୨ ଗାଡ଼ିର ଫ୍ଲେକସ୍‌ ପ୍ରସ୍ତୁତ ପାଇଁ ବଇନା ଆସିଛି। ଆଗକୁ ମଧ୍ୟ ଆଉ କିଛି ଗାଡ଼ି ପାଇଁ ବଇନା ଆସିବ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି। ଅନ୍ୟ ଏକ ଫାବ୍ରିକେସନ୍‌ ୟୁନିଟ୍ ମାଲିକଙ୍କ ମତରେ, ରାଜଧାନୀର ଅଧିକାଂଶ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବାରୁ ଗାଡ଼ିରେ ପ୍ରଚାର ବାତାବରଣ ଜମି ନାହିଁ। ପ୍ରାର୍ଥୀ ଘୋଷଣା ହେବା ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଥିବା ବ୍ୟକ୍ତି ନିଜ ଅନୁସାରେ ପ୍ରଚାର ଗାଡ଼ିର ବ୍ରାଣ୍ଡିଂ ପାଇଁ ଆଗେଇ ଆସିବେ। ସେ ସମୟରେ ପ୍ରଚାର ଗାଡ଼ିର ଫ୍ରେମ୍‌ ପ୍ରସ୍ତୁତି ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର