ବସିବାକୁ ଜାଗା ନାହିଁ : ପିଲାଙ୍କ ପାଇଁ ଲାଇବ୍ରେରି ମନା

ବିଏମ୍‌ସି କରିବ ଲାଇବ୍ରେରି

ସହରରେ ଲାଇବ୍ରେରି ଅଭାବକୁ ନେଇ ଦୀର୍ଘ ଦିନ ଧରି ସଚେତନ ନାଗରିକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏବେ ବିଏମ୍‌ସି ପକ୍ଷରୁ ଲାଇବ୍ରେରି ନିର୍ମାଣ ଆରମ୍ଭ ହୋଇଛି। ସହିଦନଗରରେ ଏ ନେଇ କାମ ଆରମ୍ଭ ହୋଇଥିଲା ଖୁବ୍‌ ଶୀଘ୍ର ବାପୁଜୀ ନଗରରେ ଆରମ୍ଭ କରାଯିବ। ଆଗକୁ ସହରର ଅନ୍ୟ ସ୍ଥାନରେ ଲାଇବ୍ରେରି ନିର୍ମାଣ ପାଇଁ ଯୋଜନା ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର : ଶିକ୍ଷା ହବ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଉଚ୍ଚଶିକ୍ଷା ପାଇଁ ଏଠାକୁ ରାଜ୍ୟ ତଥା ବାହାରୁ ଆସୁଛନ୍ତି ଅନେକ ଛାତ୍ରଛାତ୍ରୀ। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଲାଇବ୍ରେରି ପରି ଏକ ମୌଳିକ ଆବଶ୍ୟକତା ଏଠି ପୂରଣ ହୋଇପାରୁନି। ଯେଉଁ ଦୁଇଟି ସରକାରୀ ଲାଇବ୍ରେରି ଉପରେ ସମସ୍ତେ ନିର୍ଭରଶୀଳ, ତାହା ଏବେ ଭାରାକ୍ରାନ୍ତ। ବସିବାକୁ ଜାଗା ନ ଥିବାରୁ ଆଉ ନୂଆ ସଦସ୍ୟ ଗ୍ରହଣ କରାଯାଉନି। ନୂଆ ଲାଇବ୍ରେରି ବି ନିର୍ମାଣ ହେଉନି। ଫଳରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ତଥା ଗବେଷଣା ପାଇଁ ପ୍ରସ୍ତୁତି ହେଉଥିବା ମେଧାବୀ ଛାତ୍ରଛାତ୍ରୀମାନେ ନିରାଶ ହେଉଛନ୍ତି। ସରକାର ସହରର ଭିତ୍ତିଭୂମି ବଢ଼ାଉଥିଲେ ବି ଶିକ୍ଷିତ ସହର ପାଇଁ ଲାଇବ୍ରେରି ପରି ଏକ ମୌଳିକ ଆବଶ୍ୟକତାକୁ ନଜର ଦେଇ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପାଠପଢ଼ି ଚାକିରି କରିବା ଲକ୍ଷ୍ୟରେ ଭୁବନେଶ୍ୱର ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନର ଅଭାବ ନାହିଁ। ବହୁ ନାମୀଦାମୀ ଶିକ୍ଷାନୁଷ୍ଠାନ ଏଠାରେ ଛତୁ ଫୁଟିଲା ପରି ଗଢ଼ି ଉଠିଛି। ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏଠାରେ ଖୋଲି ଶିକ୍ଷାଦାନ କରୁଛନ୍ତି। କିନ୍ତୁ କୌଣସି ଅନୁଷ୍ଠାନରେ ନାମ ନ ଲେଖାଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମେଧାବୀ ଛାତ୍ରଛାତ୍ରୀମାନେ ହିଁ ଅସୁବିଧା ଭୋଗୁଛନ୍ତି। ଏହି ପିଲାଙ୍କ ମଧ୍ୟରୁ ଅଧିକାଂଶ ପାରିବାରିକ ସମସ୍ୟା ଓ ଅର୍ଥର ଅଭାବ କାରଣରୁ ପଢିବା ସହିତ ପାର୍ଟ ଟାଇମ୍‌ କାମ କରିବାକୁ ଭୁବନେଶ୍ୱର ଆସୁଛନ୍ତି। ଯେଉଁଥିରେ କି ନିଜ ପଇସାରେ ଚଳିବା ସହିତ କିଛି ସମୟ ବାହାର କରି କମ୍ପିଟେଟିଭ ପାଇଁ ପ୍ରସ୍ତୁତି ହୁଅନ୍ତି। ସେମାନେ ହିଁ ସରକାରୀ ଲାଇବ୍ରେରି ଉପରେ ନିର୍ଭର କରନ୍ତି। କିନ୍ତୁ ଏଠାରେ ଆବଶ୍ୟକ ଲାଇବ୍ରେରି ଭିତ୍ତିଭୂମିର ଅଭାବ ଅଛି। ଶିକ୍ଷାର କେନ୍ଦ୍ରସ୍ଥଳୀ ହିସାବରେ ପୂର୍ବ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ଟି ସରକାରୀ ଲାଇବ୍ରେରିର ବ୍ୟବସ୍ଥା ରହିଛି। ଗୋଟିଏ ଜୟଦେବ ଭବନ ଲାଇବ୍ରେରି ଅନ୍ୟଟି ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରି।

ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ମାତ୍ର ଦୁଇଟି ଲାଇବ୍ରେରି ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏହି ସମସ୍ତ ଲାଇବ୍ରେରିି ସକାଳ ୮ଟାରୁ ରାତି ୮ଟା ଯାଏ ଖୋଲା ରହୁଛି। ସକାଳ ୮ଟା ପୂର୍ବରୁ ଲାଇବ୍ରେରି ସମ୍ମୁଖରେ ଲାଗେ ପିଲାଙ୍କ ଲମ୍ବା ଲାଇନ କାରଣ ଲାଇବ୍ରେରିର ସିଟ୍‌ ସଂଖ୍ୟା କମ୍‌ ଥିବାରୁ ବସିବା ପାଇଁ ସ୍ଥାନ ମିଳି ନଥାଏ। ପ୍ରଥମେ ଆସି ସ୍ଥାନଟି ପାଇଗଲେ ଆଉ ପାଠ ପଢ଼ିବାକୁ ଅସୁବିଧା ହେବ ନାହିଁ। କିନ୍ତୁ ଦୈନିକ ଶହ ଶହ ପିଲା ଆସୁଥିବାରୁ ଜାଗା ନପାଇ ଫେରି ଯାଆନ୍ତି।

ଜୟଦେବ ଭବନରେ ଥିବା ଲାଇବ୍ରେରି କର୍ମଚାରୀ ଅଭାବରୁ ବହୁ ସମସ୍ୟା ଦେଇ ଗତି କରୁଛି। ୧୯୭୬ ମସିହାରୁ ପିଲାଙ୍କ ପାଇଁ ଖୋଲା ହୋଇଥିବା ଲାଇବ୍ରେରିରେ ସିଟ୍‌ ସଂଖ୍ୟା ମାତ୍ର ୧୨୦। ପଢ଼ିବା ପାଇଁ ୨୦ ହଜାରରୁ ଅଧିକ ବହି ରହିଛି। ଲାଇବ୍ରେରିରେ ନିଯୁକ୍ତି ପାଇଥିବା କର୍ମଚାରୀ ଧୀରେ ଧୀରେ ଅବସର ନେଲେଣି। ବର୍ତମାନ ମାତ୍ର ୩ ଜଣ କର୍ମଚାରୀଙ୍କୁ ନେଇ ଏହା ଚାଲୁଛି। କର୍ମଚାରୀଙ୍କ ଅଭାବ କାରଣରୁ ନୂଆ ସଦସ୍ୟତା ଗ୍ରହଣ କରାଯାଉ ନାହିଁ। ସେଥିପାଇଁ ବହୁ ପିଲା ଅସୁବିଧା ଭୋଗୁଛନ୍ତି। ବର୍ତମାନ ଜୟଦେବ ଭବନ ପରିସରରେ ହୋଇଥିବା ନୂଆ ପ୍ରେକ୍ଷାଳୟ କୋଠାରେ ରେ ଇ-ଲାଇବ୍ରେରି ଖୋଲା ଯାଇଛି। କିନ୍ତୁ କର୍ମଚାରୀଙ୍କ ଅଭାବ ଯୋଗୁଁ ଇ-ଲାଇବ୍ରେରି କାର୍ଯ୍ୟକ୍ଷମ ହେବା ନେଇ ସନ୍ଦେହ ରହିଛି। ବର୍ତମାନ ଏଠାରେ ଲାଇବ୍ରେରି ସଦସ୍ୟ ସଂଖ୍ୟା ୨୭୦୦।

ରାଜ୍ୟର ବୃହତ୍ତ ପାଠାଗାର ହିସାବରେ ଗଣାଯାଉଥିବା ହରେକୃଷ୍ଣ ମହତାବ ଲାଇବ୍ରେରିକୁ ଦୈନିକ ପାଖାପାଖି ୭୦୦ରୁ ଅଧିକ ପିଲା ପାଠ ପଢ଼ିବା ପାଇଁ ଆସନ୍ତି। ସେଥିରୁ ୫୦୦ ପିଲା ଲାଇବ୍ରେରିରେ ବସି ପଢ଼ୁଥିଲା ବେଳେ ସ୍ଥାନର ଅଭାବ କାରଣରୁ ୨୦୦ ପିଲା ବାହାରେ ବସି ପଢୁଛନ୍ତି। ହରେକୃଷ୍ଣ ମହତାବ ଲାଇବ୍ରେରି ଓ ଭୁବନେଶ୍ୱରର ସର୍ବଜନୀନ ଲାଇବ୍ରେରିରେ ମୋଟ୍‌ ୪୧୨ଜଣ ପିଲା ପଢ଼ିବା ଭଳି ବ୍ୟବସ୍ଥା ରହିଛି। ଏଥିରେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ବହି ରହିଛି ଓ ପାଖାପାଖି ୮୦୦୦ରୁ ଅଧିକ ସଭ୍ୟ ଅଛନ୍ତି। ଜଣେ ଚାହିଁଲେ ୨୫ ଟଙ୍କା ଦେଇ ୩ ବର୍ଷ ପାଇଁ ସଦସ୍ୟ ହୋଇ ପାରିବ। କମ୍ପିଟେଟିଭ ପରୀକ୍ଷା ଦେଉଥିବା ପିଲାମାନେ ଏଠାକୁ ପଢ଼ିବା ପାଇଁ ଆସନ୍ତି ଓ ଅନେକ ପିଲା ଉଚ୍ଚଶିକ୍ଷା ପାଇବା ପାଇଁ ପଢ଼ିବାକୁ ଆସିଥାଆନ୍ତି। କିନ୍ତୁ ସ୍ଥାନର ଅଭାବ କାରଣରୁ ଅନେକ ପିଲା ନିରାଶ ହୋଇ ଫେରନ୍ତି। ଏଠାରେ ମଧ୍ୟ ଜାଗା ଅଭାବରୁ ନୂଆ ସଦସ୍ୟ ଗ୍ରହଣ କରାଯାଉନି। ଆଗାମୀ ଦିନରେ ଏହାକୁ ଅତ୍ୟାଧୁନିକ ଲାଇବ୍ରେରିରେ ପରିଣତ କରିବା ପାଇଁ ଆଗକୁ ଅନେକ ଯୋଜନା କରାଯାଉଛି ବୋଲି ଏହାର ମୁଖ୍ୟ ଲାଇବ୍ରେରିଆନ ସନ୍ତୋଷ କୁମାର ଚାଟାର୍ଜୀ କହିଛନ୍ତି।

ସମ୍ବନ୍ଧିତ ଖବର