ଅଳିଆ ନ ଗୋଟେଇଲେ ଖାଇବାକୁ କିଏ ଦବ?

ଶିଶୁ ଶ୍ରମିକ ନିରୋଧ ଦିବସରେ ଘେରାଏ...

0 139

ଭୁବନେଶ୍ୱର(ସତ୍ୟନାରାୟଣ ରାଉତରାୟ): ପଚାରିଲି ତୋ ନାଁ କ’ଣ? ସେ କହିଲା, ହଫିଜ୍‌…କ’ଣ ହେଲା କି? ମୁଁ ପଚାରିଲି, କେବେଠୁ ଅଳିଆ ଗୋଟଉଛୁ ? ସେ କହିଲା, ସବୁବେଳେ। କ’ଣ ପାଇଁ ଏତେକଥା ପଚାରୁଛ? ମୁଁ କହିଲି, ତତେ କ’ଣ ଘରେ ପଢ଼ିବାକୁ କହୁନାହାନ୍ତି। ଦମ୍ଭୋକ୍ତିର ସହ ଉତ୍ତର ଦେଲା ନା’। ସ୍କୁଲ୍‌ ଖୋଲିନି, ସ୍କୁଲ୍‌ ଖୋଲିଲେ ପଢ଼ିବି। କହିଲି, ଅଳିଆ ନଗୋଟେଇ ପାଠ ପଢ଼ିଲେ ହୁଅନ୍ତାନି। ସେ କହିଲା, ପାଠ ପଢ଼ିଲେ, କ’ଣ ହବ, ତମେ ମତେ ଖାଇବାକୁ ଦବ କି ? ଆଜି ବିଭିନ୍ନ ସରକାରୀ ଓ ସ୍ୱେଚ୍ଛାସେବୀ ସଂଗଠନ ଯେତେବେଳେ ରୁଦ୍ଧ ପ୍ରେକ୍ଷାଳୟରେ ଶିଶୁ ଶ୍ରମିକ ନିରୋଧ ଦିବସ ପାଳି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଥିଲେ ସେତେବେଳେ ହଫିଜ୍‌ ପରି ଅନେକ ଶିଶୁ ରାସ୍ତା କଡ଼ର ଅଳିଆଗଦାର ପାହାଡ଼ ଭିତରେ ନିଜ ପେଟ ପାଇଁ ଖାଦ୍ୟ ଯୋଗାଡ଼ୁଥିଲେ।

ଜନପଥରେ ଯେବେ ସେ ଗୋଟେ ଡଷ୍ଟବିନ୍‌ ଭିତରେ ପଶି ଅଳିଆ ଭିତରୁ ପ୍ଲାଷ୍ଟିକ୍‌ ବୋତଲ, କାଗଜ ପେଟି ଖୋଜିବାରେ ମଗ୍ନ ଥିଲା ତାକୁ ତା’ର ଘର କଥା ପଚାରିଥିଲୁ। ଇସାରା କରି ଦେଖେଇ ଦେଲା ଏଇ ପଛପଟେ। ସିନେମା ହଲ୍‌ ଟପିଲେ କାଳେ ତା’ଘର। ବୟସ ୧୧। ପାଖ ସରକାରୀ ସ୍କୁଲ୍‌ରେ ପାଠ ବି ପଢ଼େ। ହେଲେ ଖରାଛୁଟି ପରଠୁ ତା ରୋଜଗାର ଟିକେ ବଢ଼ିଛି ବୋଲି ସେ କହିଥିଲା। ଭୋର ୫ଟାରୁ ପୂରା ଜନପଥ ଘୂରି ବୁଲିବା ପରେ ସେ ସକାଳ ୧୦ଟା ବେଳକୁ ୭୦ ଟଙ୍କା ରୋଜଗାର କରି ସାରିଥିଲା। ତା’କୁ କିଛି ସମୟ ଅନୁକରଣ କରିବା ପରେ ଯାଇ ପହଞ୍ଚିଥିଲୁ ରେଳ ଷ୍ଟେସନ୍‌ରେ। ଖରାର ତାତିରୁ ତ୍ରାହି ପରେ ସକାଳୁ ସକାଳୁ ବର୍ଷା ଯୋଗୁଁ କୋହଲା ପାଗ ହୋଇଥିବାରୁ କିଛି ଶିଶୁ ପ୍ଲାଟ୍‌ଫର୍ମ ଆଗରେ ନିଶ୍ଚିତରେ ଶୋଇଥିଲେ। ଏହି ସମୟରେ ଜଣେ ସୁସ୍ଥ ସବଳ କୋଢ଼ିଆ ବାପା’ ନିଜର ଅଯୋଗ୍ୟ ପଣିଆରୁ ୨-୩ ବର୍ଷର ପୁଅକୁ ଉଲଗ୍ନ ବେଶରେ ଭିକ ମାଗିବା ପାଇଁ ବାଧ୍ୟ କରୁଥିବାର ଚିତ୍ର ସାମ୍ନାରେ ପଡ଼ିଲା। ଯେବେ ପିଲାଟି ତା’ର ଚପଳ ପଣରେ ପ୍ଲାଟ୍‌ଫର୍ମର ବିସ୍ତତ ବାରଣ୍ଡାରେ ଏଣୁତେଣୁ ଦୌଡ଼ିଦୌଡ଼ି ଖେଳି ବୁଲୁଥିଲା, ବାପା ତା’ର ଦୂରରେ ଥାଇ ନାଲି ଆଖି ଦେଖେଇ ଇସାରା କରୁଥିଲା, ସେଠିକି ଯା…ତାଙ୍କୁ ମାଗ…। ପିଲାଟି ଯାଇ ହାତ ବଢ଼ାଇବା ପରେ ଜଣେ ମହିଳା ପିଲାଟିକୁ ଏମିତି ଘଉଡ଼େଇଥିଲେ ଯେମିତି ସେ ମଣିଷ ନୁହେଁ। ହେଲେ ଏ ଦୃଶ୍ୟ ସେ କଠୋର ବାପର ହୃଦୟକୁ ଟିକେ ବି ବାଧିବା ଭଳି ମନେ ହୋଇ ନଥିଲା। ଆଉ ଯେବେ କିଛି ଲୋକ ତା’ହାତକୁ ଟଙ୍କାଟିଏ ବଢ଼େଇ ଦେଉଥିଲେ ପିଲାଟି ସେଇ ଟଙ୍କାକୁ ନେଇ ତା’ର ବାପା ହାତକୁ ବଢ଼ାଇ ଦେଉଥିଲା। ବ୍ୟକ୍ତି ଜଣକ ଟଙ୍କା ନେଇ ନିଜ ଅଣ୍ଟାରେ ଗୁଞ୍ଜିଦେଇ ଆଉ ଥରେ ପଠେଇ ଦେଉଥିଲେ। ଏସବୁ ଦେଖିବା ପରେ ବ୍ୟକ୍ତିଙ୍କୁ ବିରୋଧ କରିବାକୁ ଯାଇ କିଛି ପ୍ରଶ୍ନ କରିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ସାଥୀମାନେ ମୋ ପାଖକୁ ଚାଲି ଆସିଥିଲେ। ଶେଷରେ କିଛି ନକହି ବାହାନା କରି ପଛକୁ ଚାଲି ଆସିଲି। ଏସବୁ ଦୃଶ୍ୟ ମୋବାଇଲ୍‌ ଭିଡିଓରେ ରେକର୍ଡିଂ କରୁଥିବାରୁ ବ୍ୟକ୍ତି ଜଣକ ସନ୍ଦେହ କରି ମୋ ପାଖକୁ ଆସିଥିଲେ। ଅବଶ୍ୟ କିଛି କହି ନଥିଲେ।

ସେଇଠୁ ବାହାରି ସଚିବାଳୟ ମାର୍ଗକୁ ବଢ଼ିଥିଲୁ। ସେଇ ମାର୍ଗରେ ଆଚାର୍ଯ୍ୟବିହାର ଆଡ଼କୁ ଆସିବା ବେଳେ କରୁଣ ଶୈଶବର ଆଉ ଏକ ଚିତ୍ର ଆଖି ସାମ୍ନାରେ ପଡ଼ିଲା। ୫ଜଣ କୁନି ଶିଶୁ ଏକ ବସ୍‌ ସେଡ୍‌ ତଳେ ଶୋଇଥିଲେ। ବର୍ଷା ପାଣିର ଛିଟିକା ପଡ଼ି କଅଁଳ ଦେହ ଭିଜି ଯାଉଥିଲା। ହାତ ଶୀତେଇ ଯାଇ ରୁମ ଠିଆ ହୋଇଯାଇଥିଲା। ହେଲେ ଏସବୁ ସେମାନଙ୍କୁ ବିଚଳିତ କରୁ ନଥିଲା। ଯେମିତି ସେ ସବୁ ତା’ର ନିତିନିଦିଆ ଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.