‘ଡିଜିଟାଲ ଦୁନିଆରେ ଆମ ସଂପର୍କ ନକଲି ହୋଇଯାଉଛି’

ରାଜଧାନୀରେ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ

ହିଂସାର ଶିକାର ହେଉଛନ୍ତି ୫୦କୋଟି ଶିଶୁ
୬କୋଟି ଶିଶୁ ସ୍କୁଲ ଦ୍ୱାର ମାଡ଼ି ନାହାନ୍ତି
୨୦କୋଟି ଶିଶୁ ପ୍ରାଥମିକ ଶିକ୍ଷା ପରେ ସ୍କୁଲ ଛାଡ଼ିଛନ୍ତି

ଭୁବନେଶ୍ୱର : ଦୁନିଆ ଡିଜିଟାଇଜେସନ୍‌ ଆଡ଼କୁ ଧାଉଁଛି। ଡିଜିଟାଲ ବିଶ୍ୱରେ ଆମେ ସମସ୍ତଙ୍କ ସହିତ ଯୋଡ଼ି ହେଉଥିବା କହୁଥିଲେ ହେଁ, ପ୍ରକୃତରେ ଆମେ ପରସ୍ପରଠାରୁ ଦୂରେଇ ଯାଉଛୁ। ହ୍ଵାଟସ୍‌ଆପ, ଫେସବୁକ୍‌ ଭଳି କ୍ଷେତ୍ରରେ ଆମର ସଂପର୍କ ତିଆରି ହେଉଛି। ମାତ୍ର ମଣିଷ-ମଣିଷ ସହିତ ସଂପର୍କ ଦିନକୁ ଦିନ ନକଲି ହୋଇଯାଉଛି ବୋଲି କହିଛନ୍ତି ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ବଚପନ୍‌ ବଚାଓ ଆନ୍ଦୋଳନର ପ୍ରତିଷ୍ଠାତା ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ।

ଆଜି ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଜୟଦେବ ଭବନରେ ସଂଗଠନର ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାଚନ କମିସନରଙ୍କ ମୁଖ୍ୟ ଉପଦେଷ୍ଟା ଡ.ଭଗବାନ ପ୍ରକାଶଙ୍କ ପୌରୋହିତ୍ୟରେ ‘ଶିଶୁ ବିକାଶରେ ନାଗରିକ ସମାଜର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ସତ୍ୟାର୍ଥୀ କହିଲେ, ଦୁନିଆରେ ଶରଣାର୍ଥୀ ସମସ୍ୟା, ବିସ୍ଥାପନ ଓ ଦେଶ ଦେଶ ମଧ୍ୟରେ ବିବାଦ ବଢ଼ି ବଢ଼ି ଚାଲିଛି। ୩ କୋଟି ଲୋକ ଏବେ ବି ଶରଣାର୍ଥୀଭାବେ କ୍ୟାମ୍ପରେ ରହୁଛନ୍ତି। ଦୁନିଆର ୫୦କୋଟି ଶିଶୁ କୌଣସି ନା କୌଣସି ସମୟରେ ହିଂସାର ଶିକାର ହେଉଥିବା ବେଳେ ୧୫କୋଟି ଶିଶୁ ଇଟା ଭାଟି, ଚାଷ, ମସାଜ ପାର୍ଲର ଓ ବେଶ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ୬କୋଟି ଶିଶୁ ସ୍କୁଲ ଦେଖି ନ ଥିବା ବେଳେ ୨୦କୋଟି ଶିଶୁ ପ୍ରାଥମିକ ସ୍କୁଲ ଶିକ୍ଷା ଛାଡ଼ିଛନ୍ତି। ୨୬କୋଟି ଶିଶୁ ସ୍କୁଲରେ ପଢ଼ିବା କଥା, ମାତ୍ର ତାଠାରୁ ଯଥେଷ୍ଟ କମ୍‌ ସଂଖ୍ୟକ ଶିଶୁ ସ୍କୁଲରେ ପଢ଼ୁଛନ୍ତି। ଚକୋଲେଟ ତିଆରି ପାଇଁ ଆବଶ୍ୟକ କୋକୋ ବିନ୍‌ସ ବଗିଚାରେ କେବଳ ଆଇଭରି କୋଷ୍ଟ ଓ ଘାନାରେ ୫୦ହଜାର ଶିଶୁ କାମ କରୁଛନ୍ତି।

ଶିଶୁ ଶ୍ରମିକ ସହିତ ଦାରିଦ୍ର୍ୟର ସଂପର୍କ ନାହିଁ ବରଂ ଦାରିଦ୍ର୍ୟ ସହିତ ଶିଶୁ ଶ୍ରମିକ ସମସ୍ୟାର ସଂପର୍କ ରହିଛି। ଦୁନିଆରେ ୧୫କୋଟି ଶିଶୁ ଶ୍ରମିକ ରହିଥିବା ବେଳେ ୨୧କୋଟି ଲୋକ ବେରୋଜଗାର ଅଛନ୍ତି। ଅନେକ ଲୋକଙ୍କୁ ବର୍ଷର ୧୦୦ ଦିନ ମଧ୍ୟ କାମ କରିବାର ସୁଯୋଗ ମିଳୁନାହିଁ। ଏତେ ସଂଖ୍ୟକ ଲୋକ ବେରୋଜଗାର ଥିବା ବେଳେ ଶିଶୁମାନଙ୍କୁ କାର୍ଯ୍ୟରେ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ତେବେ ଶସ୍ତା ମଜୁରୀ ପାଇଁ ଶିଶୁମାନଙ୍କୁ କାମରେ ଲଗାଯାଉଛି। ଦୁନିଆରେ ଯେତିକି ସଂଖ୍ୟକ ଶିଶୁ ସ୍କୁଲରେ ପଢ଼ୁଛନ୍ତି ସେମାନଙ୍କ ଖର୍ଚ ବହନ କରିବା ପାଇଁ ୨୨ ବିଲିଅନ ଡଲାର ଆବଶ୍ୟକ। ତେବେ ବିଶ୍ୱ ଯଦି ୪/୫ଦିନ ପାଇଁ ସାମରିକ କ୍ଷେତ୍ରରେ ଖର୍ଚ କରୁଥିବା ଟଙ୍କାକୁ ଶିଶୁଙ୍କ ପଢ଼ିବା ଖର୍ଚରେ ବିନିଯୋଗ କରେ ଏହି ସମସ୍ୟାର ସମାଧାନ ହୋଇପାରିବ।

ଦୁନିଆ ଗରିବ ବୋଲି କୁହାଯାଉଥିବା ଠିକ୍‌ ନୁହେଁ। ଆମର ହୃଦୟ ଓ ଆମେ ନୈତିକାତାରେ ଗରିବ ହୋଇଯାଇଛୁ। ତେଣୁ ଶିଶୁ ଶ୍ରମିକ ସମସ୍ୟାର ସମାଧାନ କରିବାକୁ ହେଲେ ଆମକୁ ଅନ୍ୟ ପ୍ରତି ଥିବା ଭାବନାର ଅଭାବକୁ ଦୂର କରିବାକୁ ପଡ଼ିବ। ଆମେ ଯଦି ଆଜିର ପିଢ଼ିକୁ ଉଚିତ୍‌ ଶିକ୍ଷା ଦେଇପାରିବା ତାହା ଆଗାମୀ ସବୁ ପିଢ଼ିକୁ ସକ୍ଷମ କରିବାରେ ସହାୟକ ହୋଇପାରିବ। ଦେଶରେ ମଇଁଷିଟିଏ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଥିବା ବେଳେ ଶିଶୁଟିଏ ୧୦ହଜାର ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ସହରରେ ଓଡ଼ିଆ ଝିଅ ବିକ୍ରି ହେଉଥିବା ଛବିକୁ ଓଡ଼ିଶାର ବୁଦ୍ଧିଜୀବୀମାନେ ହିଁ ପରିବର୍ତନ କରିପାରିବେ। ଜଗତୀକରଣ ସମୟରେ କରୁଣାର ଜଗତୀକରଣ ଆବଶ୍ୟକ ବୋଲି ଶ୍ରୀ ସତ୍ୟାର୍ଥୀ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଭାରତକୁ ଯୁବପିଢ଼ିଙ୍କ ଦେଶ ବୋଲି କୁହାଯାଉଥିବା ବେଳେ ଶିଶୁଙ୍କ ବାଲ୍ୟାବସ୍ଥା କିଭଳି ବଜାୟ ରହିବ ସେଥିପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ଶିଶୁ ଶ୍ରମିକରୁ ଉଦ୍ଧାର ହେଉଥିବା ଶିଶୁଙ୍କୁ ଉପଯୁକ୍ତ ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ୱ ଦେବାକୁ ହେବ। ରାଜଧାନୀରେ ରହୁଥିବା ସଫଳ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜର କାମକୁ ସମ୍ଭାଳିବା ପାଇଁ ଶିଶୁଙ୍କ ଉପରେ ନିର୍ଭରଶୀଳ। ଲୋକମାନେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଯେତିକି ଯତ୍ନବାନ ଅନ୍ୟ ପିଲାଙ୍କ ପାଇଁ ମଧ୍ୟ ସେତିକି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କୈଳାସ ସତ୍ୟାର୍ଥୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟାର୍ଥୀଙ୍କ ପତ୍ନୀ ସୁମେଧା ସତ୍ୟାର୍ଥୀ, ସମାଜର ଉପଦେଷ୍ଟା ମହେଶ ଶର୍ମା, ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଓ ରୋଜାଲିନ୍‌ ପାଟ୍ଟାଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସଂଗଠନର ସଂପାଦକ ଶ୍ରୀନିବାସ ମହାନ୍ତି ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଲଳିତ ମୋହନ ପଟ୍ଟନାୟକ, ମନୋଜ ଜେନା, ସତ୍ୟବ୍ରତ ଜେନା, ସଂଗୀତା ମାଝି, ରମେଶ ମହାନ୍ତି ଓ ଅନ୍ୟମାନେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ମଧୁସୂଦନ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର