ବିଭୂତି, ବାବୁ, ଜଗନ୍ନାଥଙ୍କ ନାମାଙ୍କନ

ଭୁବନେଶ୍ବର: ଆଜି ଭୁବନେଶ୍ବରର ତିନିଟି ବିଧାନସଭା ଆସନ ଭୁବନେଶ୍ବର ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀ ସମେତ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ୍‌ ୯ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୯ଜଣ ଯାକ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିର ଭୁବନେଶ୍ବର ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଶୋଭାଯାତ୍ରା ଆଜି ସବୁଠୁ ଆକର୍ଷଣୀୟ ଥିଲା। ବମିଖାଲ ଦୁର୍ଗା ପୂଜା ମଣ୍ଡପରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରା କଳ୍ପନା, ଏଜି ଛକ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଜଗନ୍ନାଥଙ୍କ ଶୋଭାଯାତ୍ରା ପାଇଁ କଟକ ରୋଡ୍‌‌ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଜାମ୍‌ ହୋଇଯାଇଥିଲା। ଜଗନ୍ନାଥଙ୍କ ସହ ପୂର୍ବତନ କର୍ପୋରେଟର ସୁରେଶ ଚନ୍ଦ୍ର ଜେନା ଏବଂ ଶତାଧିକ ସମର୍ଥକ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖଦୁଃଖର ସାଥୀ ହେବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପ୍ରଶଂସକଙ୍କୁ କହିଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ଆମ୍‌ ଆଦ୍‌ମି ପାର୍ଟିର ଶୁଭାଶିଷ ପଟ୍ଟନାୟକ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ରଞ୍ଜନା ଜେନା ବି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଭୁବନେଶ୍ବର ଉତ୍ତରରୁ ସିପିଆଇ(ଏମ୍‌ଏଲ୍‌) ଲିବରେସନ୍ ପ୍ରାର୍ଥୀ ଭାବେ ମହେନ୍ଦ୍ର କୁମାର ପରିଡ଼ା, ସ୍ବାଧୀନ ପ୍ରାର୍ଥୀ ଭାବେ ସୁମିତ ରାୟ ଚୌଧୁରୀ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଭୁବନେଶ୍ବର ଏକାମ୍ର ପାଇଁ ବାବୁ ସିଂହ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୁନ୍ଦରପଦାରୁ ଶୋଭାଯାତ୍ରାରେ ବାହାରିଥିବା ବାବବୁ ସିଂହ କଳ୍ପନା ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବାବୁ ସିଂହଙ୍କ ସହ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ପ୍ରମୁଖ ଆସିଥିଲେ। ସେହିପରି ଜଟଣୀରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଭୂତି ବଳବନ୍ତ ରାୟ ବି ଆଜି ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ, କୈଳାସ ଜେନା ପ୍ରମୁଖ ଆସିଥିଲେ।

ସମ୍ବନ୍ଧିତ ଖବର