ରାଜ୍ୟରେ ମାଳମାଳ ବେଆଇନ ବାଣ କାରଖାନା, ୨ ବର୍ଷରେ ୧୩ ବିସ୍ଫୋରଣ, ୩୪ ମୃତ, ଅଧିକାଂଶ ମହିଳା

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧୀନ ବନମାଳିପୁର ନୂଆସାହିରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟଣା ପୂର୍ବରୁ ରାଜ୍ୟରେ ଅନେକ ବଡ଼ବଡ଼ ବି‌ସ୍ଫୋରଣ ଘଟିଛି। ଘଟଣା ପରେ କିଛି ଦିନ ତମ୍ବିତୋଫାନ ହୁଏ। ପୁଲିସ ଓ ପ୍ରଶାସନ ତତ୍ପର ହୋଇଉଠନ୍ତି। ପୁଲିସ ବିଭିନ୍ନ ସ୍ଥାନରେ ଚାଲୁଥିବା ବେଆଇନ ବାଣ କାରଖାନା ଉପରେ ଚଢ଼ଉ କରେ। ବାଣ ବାନ୍ଧୁଥିବା କିଛି ଲୋକ ଗିରଫ ହୁଅନ୍ତି, ବାଣ ମଧ୍ୟ ଜବତ ହୁଏ। ଘଟଣା ଉପରୁ ନଜର ହଟିଯିବା ପରେ ପୁଣି ସେହି ବେଆଇନ ବାଣ କାରଖାନା ଚାଲିବା ଆରମ୍ଭ ହୋଇଯାଏ। ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ। ଓଲଟି ବେଆଇନ ବାଣ କାରଖାନା ତା’ ବାଟରେ ଚାଲେ, ଆଉ ଅପେକ୍ଷା ରହେ ପୁଣି କେବେ ଘଟିବ ଏପରି ଭୟଙ୍କର ବିସ୍ଫୋରଣ। ନଷ୍ଟ ହେବ ମୂଲ୍ୟବାନ ଧନ ଓ ଜୀବନ।

ଅଗ୍ନିଶମ ବିଭାଗ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨ ବର୍ଷ ମଧ୍ୟରେ ୧୩ଟି ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ/ ବିସ୍ଫୋରଣ ଘଟିଛି। ଏଥିରେ ପାଖାପାଖି ୩୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି, ଅନେକ ଦୃଷ୍ଟିଶକ୍ତି ହରାଇଛନ୍ତି, ଆଉ କିଛି ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଇଛନ୍ତି। ଅନେକଙ୍କ ପରବର୍ତୀ ସମୟରେ ହସ୍ପିଟାଲରେ ମୃତ୍ୟୁ ଘଟିଛି। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଓ ଯୁବତୀ। ପ୍ରତ୍ୟେକ ବର୍ଷ ଏଭଳି ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ପୁଲିସ କେହି ବି ଏଭଳି ବେଆଇନ ବାଣ କାରଖାନା ଉପରେ ରୋକ୍ ଲଗାଇ ପାରୁନାହାନ୍ତି। ଦୁଇ ବର୍ଷ ତଳେ ନୟାଗଡ଼ ଜିଲ୍ଲା ଇଟାମାଟି ତନ୍ତିସାହିରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ କରିବାକୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫକୁ ନିର୍ଦେଶ ଦେଇଥିଲେ। ସେହିପରି ଗତ ବର୍ଷ ଅଗଷ୍ଟ ମାସରେ ଖୋର୍ଧା ଜିଲ୍ଲା ସିକୋରେ ଏକ ବାଣ କାରଖାନାରେ ବିସ୍ଫୋରଣରେ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ହୋଇଥିଲା। ଦୁଇ ଦୁଇଟି ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। କ୍ରାଇମବ୍ରାଞ୍ଚର ତଦନ୍ତ ଏବେ ନାଲିଫିତା ତଳେ। ଏହି ଦୁଇଟି ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ କାହାକୁ ଗିରଫ କଲା ନା ଘଟଣାର ପର୍ଦାଫାସ କରି ପାରିଲା।

ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ନୟାଗଡ଼ ଇଟାମାଟି ତନ୍ତି ସାହି ବାଣ ବିସ୍ଫୋରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ୮/୧୬ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ଧନେଶ୍ବର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ଚାର୍ଜସିଟ୍‌ ମଧ୍ୟ ଦାଖଲ ହୋଇସାରିଛି। ତେବେ ଅନ୍ୟ ଘଟଣା ଉପରେ ଅନୁଧ୍ୟାନ କରିବି। କ୍ରାଇମବ୍ରାଞ୍ଚ ତଦନ୍ତ କେଉଁଠି ଅଟକିଛି, ସେନେଇ ରିପୋର୍ଟ ମଗାଇବି।ଅନ୍ୟପକ୍ଷରେ ଯାହା ଅଭିଯୋଗ ହେଉଛି, ବେଆଇନ ବାଣ କାରଖାନା ଚଳାଉଥିବା ମାଲିକମାନେ ପୁଲିସ ଓ ପ୍ରଶାସନକୁ କରାୟତ୍ତ କରି ଏଭଳି ବିପଦପୂର୍ଣ୍ଣ ବ୍ୟବସାୟ ଚଳାଉଛନ୍ତି।

୨ବର୍ଷରେ କେଉଁଠି କେଉଁଠି ଘଟିଥିଲା ବିସ୍ଫୋରଣ
୨୦୧୭ ଅକ୍ଟୋବର ୧୭: ବାଲେଶ୍ବର ବାହାବଳପୁରରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ
୨୦୧୭ ଅକ୍ଟୋବର ୧୮: ପୁରୀ ଜିଲ୍ଲା ପିପିଲି ବିଲିପଡ଼ାରେ ବିସ୍ଫୋରଣ, ନାବାଳିକାଙ୍କ ମୃତ୍ୟୁ
୨୦୧୭ ଅଗଷ୍ଟ ୧୯: ଖୋର୍ଧା ଜିଲ୍ଲା ସିକୋରେ ଥିବା ବାଣ କାରଖାନାରେ ବିସ୍ଫୋରଣ, ୫ ମହିଳାଙ୍କ ମୃତ୍ୟୁ
୨୦୧୭ ଏପ୍ରିଲ ୬: କଟକ ଜିଲ୍ଲା ସଦର ଥାନା ସାଇଁସୋ ଗାଁରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ, ଜଣେ ଯୁବତୀ ଓ ମହିଳାଙ୍କ ମୃତ୍ୟୁ
୨୦୧୭ ଅକ୍ଟୋବର ୨୧: ରାଉରକେଲା ବାଣ ବଜାରରେ ଅଗ୍ନିକାଣ୍ଡ, ଜଣେ ବ୍ୟବସାୟୀ ଜୀବନ୍ତ ଦଗ୍ଧ
୨୦୧୬ ସେପ୍ଟେମ୍ବର ୨୪: ନୟାଗଡ଼ ଜିଲ୍ଲା ଇଟାମାଟି ତନ୍ତିସାହିରେ ଥିବା ବାଣ କାରଖାନାରେ ବିସ୍ଫୋରଣ, ୯ ଜଣଙ୍କ ମୃତ୍ୟୁ।
୨୦୧୬ ଅଗଷ୍ଟ ୧: ବଲାଙ୍ଗୀର ପୁଇଁତଳା ବ୍ଲକ ଭେ‌ଲେର ଗାଁରେ ବି‌ସ୍ଫୋରଣ, ଜଣେ ମହିଳାଙ୍କ ମୃତ୍ୟୁ, ୪ ଗୁରୁତର
୨୦୧୬ ନଭେମ୍ବର ୫: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା କଣ୍ଟିଗାଁ ଓ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଘାଉଡ଼ିକେରା ଗାଁରେ ଥିବା ବାଣ କାରଖାନାରେ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ। ସେଥି ମଧ୍ୟରୁ ୩ ମହିଳା।

ସମ୍ବନ୍ଧିତ ଖବର