କୁଆଖାଇ ନଦୀପଠାରେ ଯୁବକଙ୍କ ଅର୍ଧ ଦଗ୍ଧ ମୃତଦେହ ଠାବ ଘଟଣା: ତଥାପି ଅବିଶ୍ୱସନୀୟ

ର୍ମାଚ ୨୧ ତାରିଖ। ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା ନଦୀପଠାରୁ ଜବତ ହେଲା ଉନ୍ମୟ ପାଢ଼ୀଙ୍କ ଅର୍ଧଦଗ୍ଧ ମୃତଦେହ। ପେଟରେ ଛୁରି ଭୁସା ଯାଇଥିଲା। ମୁଣ୍ଡରେ ଶକ୍ତ ଆଘାତ ଥିଲା। ପାଟି ଭିତରେ ଇଟା ଭର୍ତି କରାଯାଇଥିଲା। ପାଖରେ ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଅଧାପୋଡ଼ା ଅବସ୍ଥାରେ ପଡ଼ିଥିଲା। ନିକଟରେ ଉନ୍ମୟଙ୍କ ବାଇକ୍‌ ମଧ୍ୟ ଥିଲା। ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତିରୁ ଉନ୍ମୟଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ ପ୍ରକଟ କରିଥିଲା। ପୁଲିସ ପକ୍ଷରୁ ନିଜ ଆଡୁ ହତ୍ୟା ମାମଲା ରୁଜୁ କରାଯାଇଥିଲା। ପୁଲିସ ସେହି ଦିଗରେ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା। କିନ୍ତୁ ହଠାତ୍‌ ଘଟଣାର ସପ୍ତାହକ ପରେ ପୁଲିସ କହିବାକୁ ଲାଗିଥିଲା ଏହା ଏକ ଆତ୍ମହତ୍ୟା ମାମଲା। ଘଟଣାକୁ କିଛି ଦିନ ପରେ ଦୁଇ ମାସ ହୋଇ ଯିବ। ଆଜି ପୁଲିସ କମିସନର ଯୋଗେଶ ବାହାଦୂର ଖୁରାନିଆ ସାମ୍ବାଦିକ ସମ୍ମିଳନୀ ଡକାଇ ଗଣମାଧ୍ୟମକୁ ସୂଚନା ଦେଲେ କି, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି। ତେବେ ପୁଲିସ କମିସନର୍‌ଙ୍କ ଏଭଳି କଥାକୁ ରାଜଧାନୀର ଅନେକ ବୁଦ୍ଧିଜୀବୀ ବିଶ୍ୱାସ କରି ପାରୁ ନାହାନ୍ତି। କହୁଛନ୍ତି, କେଉଁଠି ନା କେଉଁଠି ପୁଲିସ ଫେଲ ମାରିଛି। ହତ୍ୟାକାରୀଙ୍କ ବିରୋଧରେ ପୁଲିସ ପ୍ରମାଣ ନ ପାଇ ବଲିଉଡ୍‌ ଫିଲ୍ମ ‘ଦୃଶ୍ୟମ’ ଚଳଚ୍ଚିତ୍ର ପୁଲିସ ଭଳି ନାଚାର ହୋଇ ଯାଇଛି। କିଛି ଅବସରପ୍ରାପ୍ତ ପୁଲିସ ଡିଜିମାନେ ମଧ୍ୟ ଏହାକୁ ବିଶ୍ୱାସକୁ ନେଇ ପାରିନାହାନ୍ତି। ‘ଯଦି ଜଣେ ଆତ୍ମହତ୍ୟା କରିବାକୁ ଚାହିଁବ, ବିଜେବିନଗରରୁ ନହରକଣ୍ଟା କାହିଁକି ଯିବ। ତାହା ପୁଣି ରାତିରେ। ସେ ତ ଚାହିଁଲେ ନିଜ ଘରେ ଆତ୍ମହତ୍ୟା କରି ପାରିବ। ଜଣେ ବ୍ୟକ୍ତି ନିଜ ପେଟରେ ଛୁରି ଭୁସିବ, ଏହା ପରେ ଦେହରେ ନିଆଁ ଲଗାଇବ ଏହା ବିଶ୍ୱାସଯୋଗ୍ୟ ହେଉନି’ ବୋଲି କହିଛନ୍ତି ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ। ସେହିପରି ଏସ୍‌ଏନ୍‌ ତିଓ୍ଵାରୀଙ୍କ ମତରେ ଏହା ଆତ୍ମହତ୍ୟା ଭଳି ଲାଗୁ ନାହିଁ। କାରଣ ଜଣେ ନିଜ ପେଟକୁ ଛୁରି ଭୁସିବ, ମୁଣ୍ଡକୁ ଶକ୍ତ ଆଘାତ ଦେବ। ଏହା ପରେ ଦେହରେ ପେଟ୍ରୋଲ ଢାଳି ଦିଆସିଲି ମାରିବ। ଏହା କେବେ ବି ସମ୍ଭବ ନୁହେଁ। କାରଣ ଜଣେ ନିଜ ପେଟକୁ ଛୁରା ମାରିବା ପରେ ପ୍ରଚୁର ରକ୍ତସ୍ରାବ ହେବ। ଏହି ସମୟରେ ସେ ନିଜ ମୁଣ୍ଡକୁ ପଥରରେ ଶକ୍ତ ଆଘାତ ଦେବ, ଏତିକି ବେଳେ ଦେହରେ ନିଆଁ ଲଗାଇବା ସଂପୂର୍ଣ ଅସମ୍ଭବ।

କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବ ପୁଲିସ

ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଯିବେ ପରିବାର

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା ନଦୀପଠାରୁ ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଉପରୁ ରହସ୍ୟ ଉଠିଛି। ଉନ୍ମୟଙ୍କୁ କେହି ହତ୍ୟା କରି ନାହାନ୍ତି ବରଂ ସେ ଆତ୍ମହତ୍ୟା କରିଛନ୍ତି। ଏପରିକି ତାଙ୍କ ଆତ୍ମହତ୍ୟା ପାଇଁ ଆଉ କେହି ଦାୟୀ ମଧ୍ୟ ନୁହନ୍ତି। ନିଜ ମୃତ୍ୟୁ ପାଇଁ ସେ ନିଜେ ହିଁ ଦାୟୀ। ପୁଲିସ ଯେଉଁ ହତ୍ୟାକାଣ୍ଡ ମାମଲା ରୁଜୁ କରିଥିଲା, ତାର ତଦନ୍ତ ରିପୋର୍ଟ ଖୁବ୍‌ ଶୀଘ୍ର ପୁଲିସ କୋର୍ଟରେ ଦାଖଲ କରିବ। ରିପୋର୍ଟରେ ପୁଲିସ ଲେଖିବ ‘ଉନ୍ମୟ ପାଢ଼ୀ- ହତ୍ୟା ଘଟଣା’ ଏକ ‘ମିସ୍‌ ଟେକ୍‌ ଅଫ୍‌ ଫ୍ୟାକ୍ଟ୍‌’। ପୁଲିସ ଭୁଲ ବଶତଃ ହତ୍ୟା ମାମଲା ରୁଜୁ କରିଥିଲା। କିନ୍ତୁ ତଦନ୍ତ କରି ପୁଲିସ ଜାଣିବାକୁ ପାଇଛି ଏହା ଏକ ଆତ୍ମହତ୍ୟା ଘଟଣା। ଅନ୍ୟପକ୍ଷରେ ଉନ୍ମୟଙ୍କୁ ହତ୍ୟା ନୁହେଁ, ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହୁଥିବା କଥାକୁ ଆଦୌ ବିଶ୍ୱାସ କରୁନାହାନ୍ତି ତାଙ୍କ ଭାଇ ଚିନ୍ମୟ। ଚିନ୍ମୟ କହିଛନ୍ତି, ପୁଲିସ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରିଲା ନାହିଁ। ଡିସିପି ବଦଳି ଯିବା ପରେ ପୁଲିସର ତଦନ୍ତ ଧିମା ହୋଇଗଲା। ତେଣୁ ଖୁବ୍‌ ଶୀଘ୍ର ସେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବେ। ଘଟଣାର ସିବିଆଇ ତଦନ୍ତ ଦାବି କରି ଏକ ରିଟ୍‌ ପିଟିସନ୍‌ ଦାଖଲ କରାଯିବ।
ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଏ ସମ୍ପର୍କର୍ରେ ସୂଚନା ଦେଇ କହିଛନ୍ତି, କି ପୁଲିସ ପ୍ରଥମେ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ ପରବର୍ତୀ ସମୟରେ ଜଣାପଡ଼ିଥିଲା କି ଏହା ଏକ ସୁଚିନ୍ତିତ ଆତ୍ମହତ୍ୟା ବୋଲି। ଚଣ୍ଡୀଗଡ଼ ଫୋରେନସିକ୍‌ ଲ୍ୟାବ ରିପୋର୍ଟ, ଏମ୍‌ସ ଡାକ୍ତରଙ୍କ ସୂଚନା, ଉନ୍ମୟଙ୍କ ହାତ ଲେଖା ଚିଠି, ଉନ୍ମୟ ଓ ସଂପୃକ୍ତ ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ ଲୋକେସନ୍‌ ଓ ଉନ୍ମୟଙ୍କ ପେଟରେ ଭୁସା ହୋଇଥିବା ଛୁରିର ଆଙ୍ଗେଲ୍‌, ନିଜ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ଘଟଣାରୁ ସ୍ପଷ୍ଟ କି ଏହା ଏକ ଆତ୍ମହତ୍ୟା। ତଣୁ ପୁଲିସ ପକ୍ଷରୁ ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରାଯିବ। କୋର୍ଟ ଏହାକୁ ଗ୍ରହଣ କରିବେ ନଚେତ ଆଗ୍ରାହ୍ୟ କରି ପୁନଃ ତଦନ୍ତ ନିର୍ଦେଶ ଦେଲେ, ଘଟଣାର ପୁଣି ଥରେ ତଦନ୍ତ ହେବ ବୋଲି ପୁଲିସ କମିସନର ଖୁରାନିଆ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ କମିସନର ହିମାଂଶୁ ଲାଲ, ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ୍ୱର ସିଂହ, ସ୍ପେସାଲ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀ, ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କେପି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପୁଲିସ ତଦନ୍ତ ସମ୍ପୂର୍ଣ୍ଣ ଫେଲ୍‌: ଆଇନଜୀବୀ

ବହୁ ଚର୍ଚିତ ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ପୁଲିସର ତଦନ୍ତ ସଂପୂର୍ଣ ଫେଲ୍‌ ମାରିଛି। ଅନଭିଜ୍ଞ ପୁଲିସ ଅଧିକାରୀଙ୍କୁ ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡ ଦାୟିତ୍ୱ ଦିଆଯିବା ଫଳରେ ଏଭଳି ଘଟଣା ଘଟିଛି। ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡକୁ ପୁଲିସ ଆତ୍ମହତ୍ୟାର ରୂପ ଦେଇଛି ବୋଲି ଉନ୍ମୟଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବନ ମହାନ୍ତି ସୂଚନା ଦେଇଛନ୍ତି।
ଶ୍ରୀ ମହାନ୍ତିଙ୍କ କହିବା ମୁତାବକ, ଅନ୍ୟାନ୍ୟ ହତ୍ୟାକାଣ୍ଡରେ ପୁଲିସ ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ୯୦ ଦିନରୁ ୧୨୦ ଦିନ ସମୟ ନେଉଥିବାବେଳେ ଏହି ଘଟଣାରେ ମାତ୍ର ୫୦ ଦିନରେ ପୁଲିସ ପୁଲିସ ରିପୋର୍ଟ ଦାଖଲ କରିବାକୁ ପ୍ରସ୍ତତି ଆରମ୍ଭ କରିବା ସନ୍ଦେହଜନକ। ପୁଲିସ ଏଯାଏ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ଜବତ କରିନାହିଁ, ଛୁରିରେ କାହାର ଫିଙ୍ଗର୍‌ ପ୍ରିଣ୍ଟ ଅଛି ପୁଲିସ ତାହା ମଧ୍ୟ ସ୍ପଷ୍ଟ କରିନାହିଁ। ପେଟ୍ରୋଲ୍‌ କେଉଁଠୁ ଆସିଲା ପୁଲିସ ପକ୍ଷରୁ ମଧ୍ୟ ତାହା କୁହାଯାଇ ନାହିଁ। ବଡ଼ କଥା ହେଉଛି, ଉନ୍ମୟଙ୍କ ହତ୍ୟା ପରେ ମଧ୍ୟ କିଏ ସୋସିଆଲ ମିଡିଆରେ ଉନ୍ମୟଙ୍କ ଭିଡିଓ ଭାଇରାଲ କଲା ତାହା ଏଯାଏ ପୁଲିସ ଠାବ କରି ପାରିଲା ନାହିଁ। ପୁଲିସ ଅତ୍ୟନ୍ତ ତରବରିଆ ଭାବେ ତଦନ୍ତ ସାରିଛି। ଏ ନେଇ ଖୁବ୍‌ ଶୀଘ୍ର ଉନ୍ମୟଙ୍କ ପରିବାର ପକ୍ଷରୁ କୋର୍ଟରେ ଦ୍ୱାରସ୍ଥ ହେବୁ ବୋଲି ଆଇନଜୀବୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର