ଗେଣ୍ଡୁଫୁଲ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପଞ୍ଚାୟତ ଅଞ୍ଚଳର ଗେଣ୍ଡୁଫୁଲ ଚାଷୀଙ୍କୁ ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୌଣସି ସରକାରୀ ସହାୟତା ମିଳୁନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଗେଣ୍ଡୁ ଚାରା, ସାର ଓ କୀଟନାଶକଠାରୁ ଆରମ୍ଭ କରି ଏବାବଦରେ ସବସିଡି ଅର୍ଥ ମଧ୍ୟ ଚାଷୀଙ୍କୁ ପ୍ରଦାନ କରାଯାଉନି। ଏହି ଅଞ୍ଚଳରେ ପାଖାପାଖି ୫ଏକର ଜମିରେ ଗେଣ୍ଡୁଫୁଲ ଚାଷ ହୋଇଛି। ହେଲେ ଉଦ୍ୟାନ କୃଷି ବିଭାଗରେ ଦାୟିତ୍ୱରେ ଥିବା ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନେ ଚାଷୀଙ୍କ ସହିତ ସଂପର୍କ କରି ଚାଷଭିତ୍ତିକ ପରାମର୍ଶ ଦେଉନାହାନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଗେଣ୍ଡୁଫୁଲ କିଆରିରେ ଏବେ ବର୍ଷାପାଣି ଦୀର୍ଘ ସମୟ ଧରି ଜମିରହିବା ଦ୍ୱାରା ଫୁଟୁଥିବା ଫୁଲଗଛ ମରିଯିବାର ଯଥେଷ୍ଟ ଆଶଙ୍କା ଥିବାରୁ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଜୟଦେବ ପଞ୍ଚାୟତର କାଳନ୍ଦୀ ଦାସ , ( ୮ ଗୁଣ୍ଠ) , ଭରତ ଚନ୍ଦ୍ର ସାହୁ , ଦୀପନ ନାୟକ , ଟିକିଆ ମଲ୍ଲିକ୍‌ , ସୁକାନ୍ତ ସ୍ୱାଇଁ , ନରେନ୍ଦ୍ର ବେହେରା , ଶରତ ମଲ୍ଲିକ୍‌ , ବାଉରୀବନ୍ଧୁ ମଲ୍ଲିକ୍‌ , ପଞ୍ଚାନନ ଭୋଇଙ୍କ ସମେତ ଅନ୍ୟମାନେ ସୂର୍ଯ୍ୟମୂଖୀ ମଞ୍ଜି ଓ ଗେଣ୍ଡୁଚାରା ଘରୋଇ ନର୍ସରିରୁ ଆଣି ଫୁଲଚାଷ କରିଥିଲେ ହେଁ ସେମାନଙ୍କୁ ବିଭାଗୀୟ ପ୍ରୋତ୍ସାହନ ଅର୍ଥ ମିଳୁ ନଥିବା ନେଇ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏ ସଂପର୍କରେ ଅଧିକାରୀ ଓ କର୍ମଚାରୀଙ୍କୁ ପଚାରିବାରେ ଫୁଲଚାଷ ପାଇଁ ଆଗ୍ରହୀ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଥିବା କହିଛନ୍ତି । ଏଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର