ହାଇକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ହୋଇ ପାରୁ ନାହାନ୍ତି ଥଇଥାନ

ମାଷ୍ଟରକ୍ୟାଣ୍ଟିନ୍‌ରେ ଚାପା ଉତ୍ତେଜନା, ବ୍ୟବସାୟୀଙ୍କ ମହଲରେ ଅସନ୍ତୋଷ

ଭୁବନେଶ୍ୱର,: ସ୍ମାର୍ଟସିଟି ଯୋଜନାରେ ଭୁବନେଶ୍ୱର ରେଳ ଷ୍ଟେସନ୍‌କୁ ଲାଗି କରିଥିବା ୧୦ରୁ ଅଧିକ ଦୋକାନକୁ ନିକଟସ୍ଥ କେଶରୀ ହୋଟେଲ ପଛପଟେ ଥିବା ସରକାରୀ ଜାଗାରେ ଥଇଥାନ କରିବାକୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ସ୍ଥିର କରାଯାଇଥିଲା। କିନ୍ତୁ ସେଠାରେ ସରକାରୀ ଜମିକୁ ଜବରଦଖଲ କରିଥିବା କେତେକ ବ୍ୟବସାୟୀ ସେହି ଜାଗା ଛାଡ଼ୁ ନାହାନ୍ତି। ବିଏମ୍‌ସି ଦୁଇଦୁଇ ଥର ପୁଲିସ ସହଯୋଗରେ ସେହି ଜାଗାରୁ ଜବରଦଖଲ ଉଚ୍ଛେଦ କରିଥିଲେ ମଧ୍ୟ ବିଳମ୍ବିତ ରାତିରେ କେହି ପାଚେରି ଭାଙ୍ଗି ଦେଉଛି। ଏ ନେଇ ସ୍ଥାନୀୟ ବ୍ୟବସାୟୀ ମିଶି କରି ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। ମାନ୍ୟବର କୋର୍ଟ ପକ୍ଷରୁ ବିଏମ୍‌ସି, ବିଡିଏ ଓ କମିସନରେଟ ପୁଲିସକୁ ଚିଠି କରାଯାଇଛି ତୁରନ୍ତ ସଂପୃକ୍ତ ସ୍ଥାନରେ ବ୍ୟବସାୟୀମାନଙ୍କୁ ଥଇଥାନ କରିବାକୁ। ମିଳିଥିବା ସୂଚନା ମୁତାବକ, ସ୍ମାର୍ଟସିଟି ଯୋଜନା କାର୍ଯର୍୍ୟ ଆରମ୍ଭ ପରେ ଭୁବନେଶ୍ୱର ଷ୍ଟେସନ୍‌କୁ ଲାଗି କରିଥିବା ଦୁଇଟି ହୋଟେଲ, ଦୁଇଟି ଏସ୍‌ଟିଡି ବୁଥ, ଓମଫେଡ୍‌ ବୁଥ, ଓପେଲଫେଡ୍‌, ଜଳଖିଆ ଦୋକାନ ଆଦିକୁ ଉଠାଯିବ। ଏହା ପରେ କାମ ଆରମ୍ଭ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ କେଶରୀ ହୋଟେଲ ପଛପଟେ ଥିବା ସରକାରୀ ଜାଗା ଚିହ୍ନଟ ହୋଇଥିଲା। ବ୍ୟବସାୟୀମାନେ ସେଠାକୁ ବିଏମ୍‌ସି ସହଯୋଗରେ ଦୋକାନ ଘର ନିର୍ମାଣ ଆରମ୍ଭ କରିବା ବେଳେ ସ୍ଥାନୀୟ କିଛି ବ୍ୟବସାୟୀ ଏହାର ବିରୋଧ କରିଥିଲେ। ଏପରିକି ବ୍ୟବସାୟୀମାନେ ନିର୍ମାଣ କରୁଥିବା ଘରକୁ କେହି ଦୁର୍ବୃତ୍ତ ବାରମ୍ବାର ଭାଙ୍ଗି ମଧ୍ୟ ଦେଉଛି। ଏ ନେଇ ଆଜି କିଛି ବ୍ୟବସାୟୀ ରାଜ ମୋହନ ପାତ୍ର, ସୁଶାନ୍ତ ବେହେରା ପ୍ରମୁଖ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମଧ୍ୟ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ଖାରବେଳନଗର ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁ କହିଛନ୍ତି, ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ପାଚେରି ଭାଙ୍ଗୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଏମ୍‌ସି ପକ୍ଷରୁ ଯେଉଁ ପ୍ଲଟ ବ୍ୟବସାୟୀମାନଙ୍କୁ ଯୋଗାଇ ଦିଆଯାଇଛି, ସେହି ପ୍ଲଟରେ ହିଁ ସେମାନେ ଦୋକାନ ଘର ତିଆରି କରିବେ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। କୋଟିକୋଟି ଟଙ୍କା ଖର୍ଚ କରି ରାଜ୍ୟ ସରକାର ଭୁବନେଶ୍ୱରକୁ ସ୍ମାର୍ଟସିଟିରେ ପରିଣତ କରିବାକୁ ବସିଛନ୍ତି। କିନ୍ତୁ କେତେକ ଅସାଧୁ ବ୍ୟକ୍ତି ସରକାରଙ୍କ ଏଭଳି ଯୋଜନାରେ ଅନ୍ତରାୟ ସୃଷ୍ଟି କରୁଛନ୍ତି।

ସମ୍ବନ୍ଧିତ ଖବର