ଭୁବନେଶ୍ୱର: ବିଏମ୍ସି ଅଧିକାରୀଙ୍କ ଅବହେଳାରୁ ପୁଣି ଏବେ ରାଜଧାନୀବାସୀ ହଇରାଣ ହେବାକୁ ଯାଉଛନ୍ତି। ଏପ୍ରିଲ ୧ରୁ ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବାକୁ ବିଏମ୍ସି ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ତାହାକୁ ଆରମ୍ଭ କରିବାରେ ବିଫଳ ହୋଇଛି। ବିଏମ୍ସି କର୍ତୃପକ୍ଷ ପ୍ରତିଶ୍ରୁତି ରଖିବାରେ ବିଳମ୍ବ ହୋଇଥିଲେ ହେଁ ରାଜସ୍ୱ ଆଦାୟର ନିଶା ଗ୍ରାସିଥିବାରୁ ପୁଣି ପୁରୁଣା ବ୍ୟବସ୍ଥାରେ ପାର୍କିଂସ୍ଥଳୀ ନିଲାମି ଡକା ଆରମ୍ଭ ହୋଇଛି। ଆଜିଠାରୁ ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ର ୩୩ଟି ପାର୍କିଂସ୍ଥଳୀ ପାଇଁ ନିଲାମ ଡକା ଆରମ୍ଭ ହୋଇଛି। ବିଏମ୍ସି ଅଧିକାରୀ ନିଜ ତ୍ରୁଟିକୁ ଲୁଚାଇବାକୁ ଏବେ ରାଜଧାନୀବାସୀଙ୍କ ଉପରେ ପାର୍କିଂ ଫି’ ବୋଝ ଲଦିବାକୁ ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀର ୬୪ଟି ପାର୍କିଂସ୍ଥଳୀକୁ ୫ଟି ପ୍ୟାକେଜ୍ରେ ବିଭକ୍ତ କରି ରାଜଧାନୀବାସୀଙ୍କ ଉପରୁ ପାର୍କିଂ ବୋଝ କମାଇବାକୁ ବିଏମ୍ସି ଯୋଜନା କରିଥିଲା। ପାର୍କିଂ ଫି’କୁ ନେଇ ରାଜଧାନୀରେ ନିଇତି ଗଣ୍ଡଗୋଳ ହେଉଥିବାରୁ ଲୋକଙ୍କ ଉପରୁ ପାର୍କିଂ ବୋଝ କମାଇବାକୁ ନୂଆ ପାର୍କିଂ ବ୍ୟବସ୍ଥା ଲାଗୁ କରିବାକୁ ୪ମାସ ତଳେ ନିଷ୍ପତ୍ତି ହେଲା। ଏପରିକି ଏହି ଯୋଜନାକୁ ବିଏମ୍ସି କାଉନସିଲ୍ ବୈଠକରେ ପାରିତ କରାଗଲା। କିନ୍ତୁ କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇପାରିଲାନି। ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇ ନପାରିବା ନେଇ ବିଏମ୍ସିର ଡେପୁଟି କମିସନର୍ ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ଆମେ ପୂରା ରାଜଧାନୀକୁ ୫ଟି ପାର୍କିଂ ପ୍ୟାକେଜ୍ରେ ବିଭକ୍ତ କରି ଟେଣ୍ଡର୍ ଡାକିଥିଲୁ। କିନ୍ତୁ ଏହାର ଅପସେଟ୍ ମୂଲ୍ୟ ଅଧିକ ହେଉଥିବା ଅଭିଯୋଗ କରି ବିଡର୍ମାନେ ଭାଗ ନେଲେନି। ବିଏମ୍ସିର ତିନିଟି ଜୋନ୍କୁ ୫ଟି ପ୍ୟାକେଜ୍ରେ ବଣ୍ଟା ଯାଇଥିଲେ ହେଁ ଏଥିରୁ କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳ ପାଇଁ ନିଲାମୀ ହୋଇପାରିଥିଲା। ଏହାକୁ ଏପ୍ରିଲ ୧ରୁ ଲାଗୁ ହୋଇଛି। କିନ୍ତୁ ବାକି ୪ଟି ପ୍ୟାକେଜ୍ ପାଇଁ କେହି ବିଡର୍ ଭାଗ ନ ନେବାରୁ ଏଠାରେ ନୂଆ ପାର୍କିଂ ବ୍ୟବସ୍ଥା ଲାଗୁ ହେବନି।
ପୁଣି ୩ମାସ ପାଇଁ ହେବ ପାର୍କିଂ ନିଲାମି
ତିନି ମାସରେ ୮୭ଲକ୍ଷ ଆଦାୟ ଟାର୍ଗେଟ୍
ଦକ୍ଷିଣ ପୂର୍ବ ଜୋନ୍ର ୩୩ଟି ପାର୍କିଂସ୍ଥଳୀ ପାଇଁ ନିଲାମି
ଜୁଲାଇରୁ ଆରମ୍ଭ ହେବ ନୂଆ ପାର୍କିଂ ବ୍ୟବସ୍ଥା: ବିଏମ୍ସି
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ବାକି ଚାରିଟି ପ୍ୟାକେଜ୍କୁ ୬ଟି ପ୍ୟାକେଜ୍ କରାଯାଇପାରେ। ଏଥିରେ ଜନପଥକୁ ପୂର୍ବରୁ ଯେପରି ଦୁଇଟି ପ୍ୟାକେଜ୍ କରାଯାଇଥିଲା ସେହିପରି ରଖାଯିବ। ଏହାବାଦ୍ ୟୁନିଟ-୨ ପାର୍ଶ୍ୱ ଅଞ୍ଚଳକୁ ନେଇ ଗୋଟିଏ ପ୍ୟାକେଜ୍, ୟୁନିଟ-୧ ପାର୍ଶ୍ୱ ଅଞ୍ଚଳକୁ ନେଇ ଆଉ ଏକ ପ୍ୟାକେଜ୍ କରାଯିବ। ଏହାପରେ ଦକ୍ଷିଣ ପଶ୍ଚିମ ଜୋନ୍ରେ ଏବେ ହୋଇଥିବା ଗୋଟିଏ ପ୍ୟାକେଜ୍କୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରାଯିବ। ଏହାଦ୍ୱାରା ପ୍ୟାକେଜ୍ଗୁଡ଼ିକର ଅପସେଟ୍ ମୂଲ୍ୟ କମିଯିବ। ବିଡର୍ମାନେ ଭାଗ ନେବେ ବୋଲି ଆଶା କରୁଛୁ। ବିଏମ୍ସିର ଯୋଜନା ଅନୁଯାୟୀ, ଏବେ ହୋଇଥିବା ପ୍ୟାକେଜ୍ ୩ରେ ଦକ୍ଷିଣ ପୂର୍ବ ଜୋନ୍ର ୟୁନିଟ-୧ ହାଟ, ପ୍ରଦର୍ଶନୀ ପଡ଼ିଆ, କର କ୍ଲିନିକ, ବିଗ୍ ବଜାରରୁ ଆରମ୍ଭ କରି ସଚିବାଳୟ ମାର୍ଗରେ ଥିବା ପାର୍କିଂ ସ୍ଥଳୀ, ଜନପଥରୁ ସଚିବାଳୟ ମାର୍ଗ ମଧ୍ୟରେ ଥିବା ପାର୍କିଂ ସ୍ଥଳୀ, ୟୁନିଟ-୪ ଅଞ୍ଚଳ ଭଳି ୧୮ଟି ପାର୍କିଂସ୍ଥଳୀ ରହିଛି। ଏହାର ଟେଣ୍ଡର ଅପସେଟ୍ ମୂଲ୍ୟ ୨କୋଟି ୪୭ଲକ୍ଷ ୮୪ହଜାର ୩୩୫ଟଙ୍କା ରହିଥିଲା। ତେଣୁ ଏହାକୁ ଦୁଇଟି ପ୍ୟାକେଜ୍ କରାଯିବ। ସେହିପରି ପ୍ୟାକେଜ୍ ୪ରେ ଦକ୍ଷିଣ ପଶ୍ଚିମ ଜୋନ୍ର ସମ୍ ହସପ୍ିଟାଲରୁ ଆରମ୍ଭ କରି ଖଣ୍ଡଗିରି-ଫାୟାରଷ୍ଟେସନ- ହୋଟେଲ କ୍ରାଉନ- ଜୟଦେବ ବିହାର ଛକରୁ ପାଓ୍ଵାର ହାଉସ୍ ଛକ, ଆମ୍ରି ହସ୍ପିଟାଲ, ମଧୁସୂଦନ ପାର୍କ ଭଳି ଅଞ୍ଚଳକୁ ଆଦି ୧୨ଟି ପାର୍କିଂ ସ୍ଥଳୀ ଅଛିି। ଏହାର ଟେଣ୍ଡର ଅପସେଟ୍ ମୂଲ୍ୟ ୫୮ଲକ୍ଷ ୩୯ହଜାର ୨୮ଟଙ୍କା ରହିଥିଲା। ଏହାକୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରିବାକୁ ଯୋଜନା ହୋଇଛି। ନୂଆ ପାର୍କିଂ ପ୍ୟାକେଜ୍ ଚିହ୍ନଟ, ଟେଣ୍ଡର ପ୍ରକି୍ରୟା, ଅର୍ଥ ଜମା, ବିଡର୍ଙ୍କୁ ପାର୍କିଂ ସ୍ଥଳୀ ହସ୍ତାନ୍ତର ପାଇଁ ପ୍ରାୟ ୩ମାସ ସମୟ ଲାଗିବ। ତେଣୁ ଆମେ ଏବେ ୩ମାସ ପାଇଁ ପୂର୍ବ ଭଳି ନିଲାମୀ ପ୍ରକ୍ରିୟା ଆରମ୍ଭ କରିଛୁ। ଏହାଦ୍ୱାରା ବିଏମ୍ସି ପ୍ରାୟ ୮୭ଲକ୍ଷ ଟଙ୍କା ରାଜସ୍ୱ ପାଇବ। ଏହାପରେ ଜୁଲାଇ ମାସରୁ ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛୁ।
ଅପରପକ୍ଷେ ଏହି ପାର୍କିଂସ୍ଥଳୀଗୁଡ଼ିକୁ ଖାଲି ଛାଡ଼ିଦେଲେ ଟ୍ରାଫିକ୍ ଉପରେ ପ୍ରଭାବ ପଡ଼ିବ। ବିଏମ୍ସି ପାଖରେ ପାର୍କିଂ ସ୍ଥଳୀ ପରିଚାଳନା ପାଇଁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଏହାକୁ ନିଲାମ କରାଯାଉଛି। ୪ଟି ପାର୍କିଂ ପ୍ୟାକେଜ୍କୁ ୬ଟି ପାର୍କିଂ ପ୍ୟାକେଜ୍ କଲେ ବି ଅପସେଟ୍ ମୂଲ୍ୟ ଅଧିକ ରହିବ। ଏହାକୁ କମାଇବାକୁ ବିଡର୍ମାନେ କହୁଥିଲେ ହେଁ ଏହାକୁ କମାଇବା ସମ୍ଭବ ନୁହେଁ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପସେଟ୍ ମୂଲ୍ୟ କମାଇଲେ ସିଏଜି ଅଡିଟ୍ ସମୟରେ ଆମେ ଅସୁବିଧାର ସମ୍ମୁଖୀନ ହେବୁ। ତେଣୁ ଯଦି ତିନି ଥର ଟେଣ୍ଡର୍ ପ୍ରକ୍ରିୟାରେ କେହି ବିଡର୍ ଭାଗ ନନେବେ ତେବେ ଅପସେଟ୍ ମୂଲ୍ୟ କମାଯାଇପାରେ।