ଭୁବନେଶ୍ୱର: ସ୍ମାର୍ଟ ସିଟିର ସୁନେଲି ସ୍ୱପ୍ନ ଦେଖାଇ ଗୋଟିଏ ପରେ ଗୋଟିଏ ସମ୍ମାନ ହାସଲ କରୁଛି ବିଏମ୍ସି। ଖୁସି ମନାଉଛନ୍ତି କର୍ପୋରେଟର୍, ଅଧିକାରୀ। ନୂଆ ନୂଆ ସ୍ୱପ୍ନରେ ମସ୍ଗୁଲ୍ ହୋଇ ପୁରୁଣା ପ୍ରକଳ୍ପଗୁଡ଼ିକୁ ହତାଦାର କରୁଛନ୍ତି। ଦିନେ ଭେଣ୍ଡିଂ ଜୋନ୍ ପରି ଏକ ଅଭିନବ ଚିନ୍ତାଧାରା ପାଇଁ ସାରା ଦେଶରେ ବେଶ୍ ପ୍ରଶଂସା ସାଉଁଟିଥିଲା ବିଏମ୍ସି। କିନ୍ତୁ କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ, ବେପରୁଆ ମନୋଭାବ ଯୋଗୁଁ ଲକ୍ଷ୍ୟ ଠାରୁ ଦୂରେଇ ଗଲାଣି ଭେଣ୍ଡିଂ ଜୋନ୍। ସେଥି ପାଇଁ ରାଜଧାନୀର ମୁଖ୍ୟ ରାସ୍ତାଘାଟଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଏବେ ଉଠା ଦୋକାନ ମାଳ ମାଳ। ୨୦୦୭ ମସିହାରେ ଆରମ୍ଭ ହୋଇଥିଲା ଭେଣ୍ଡିଂ ଜୋନ୍। ଏହାକୁ କୁହାଯାଉଥିଲା ଉଠା ଦୋକାନୀଙ୍କ ଥଇଥାନ ପ୍ୟାକେଜ୍। ଉଦ୍ଦେଶ୍ୟ ଥିଲା, ସହର କ୍ୟାବିନ୍ ମୁକ୍ତ ହେବ। ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ବେପାର ପସରା ଖୋଲି ରାସ୍ତାକୁ ଜବରଦଖଲ କରିବାକୁ ଅନୁମତି ଦିଆଯିବନି। କିନ୍ତୁ ସେମାନଙ୍କ ପେଟରେ ବିଏମ୍ସି ନାତ ମାରିବନି। ଉଠା ଦୋକାନୀ ବେପାର କରିବେ, କିନ୍ତୁ ବ୍ୟବସ୍ଥିତ ଢଙ୍ଗରେ ଏକ ନିର୍ଦ୍ଦିଷ୍ଟ ଜାଗା ଭିତରେ। ଫଳରେ ସହର ଅସୁନ୍ଦର ଦେଖା ଯିବନି।
Sambad is now on WhatsApp
Join and get latest news updates delivered to you via WhatsApp
ଏମିତି ଲକ୍ଷ୍ୟ ନେଇ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ ଖୋଲିଲା। ଯେଉଁ ଅଞ୍ଚଳରେ ଭେଣ୍ଡିଂ ଜୋନ୍ ଖୋଲାଯାଉଥିଲା, ସେଠାରେ ସେହି ନିକଟବର୍ତୀ ସ୍ଥାନରେ ବେପାର କରୁଥିବା ଉଠା ଦୋକାନୀମାନଙ୍କୁ ଦୋକାନ ଘର ଦିଆଯାଉଥିଲା। ଫଳରେ ସହରର ବହୁ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଜବରଦଖଲମୁକ୍ତ ହୋଇପାରିଥିଲା। ବିଭିନ୍ନ ରାଜ୍ୟର ପୌରସଂସ୍ଥାର ପ୍ରତିନିଧିମାନେ ଭୁବନେଶ୍ୱର ଆସି ଭେଣ୍ଡିଂ ଜୋନ୍କୁ ଅନୁଧ୍ୟାନ କରିଥିଲେ। ଏହି ଅଭିନବ ଚିନ୍ତାଧାରା ପାଇଁ ବିଭିନ୍ନ ରାଜ୍ୟରେ ବିଏମ୍ସି ବେଶ୍ ନାଁ କମାଇଥିଲା। ତତ୍କାଳୀନ ବିଏମ୍ସି କମିସନର୍ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭେଣ୍ଡିଂ ଜୋନ୍ ଆରମ୍ଭ ହୋଇଥିଲା। ସେ ନିଜେ ବ୍ୟକ୍ତିଗତ ଭାବେ ତଦାରଖ କରି ଏହାକୁ ବ୍ୟବସ୍ଥିତ ଢଙ୍ଗରେ ଚଳାଇଥିଲେ। କିନ୍ତୁ ବିଏମ୍ସିରୁ ଅପରାଜିତାଙ୍କ ବଦଳି ପରେ ଭେଣ୍ଡିଂ ଜୋନ୍କୁ ଆହୁରି ଶୃଙ୍ଖଳିତ କରି କିପରି ଅଧିକ ଉଠାଦୋକାନୀଙ୍କୁ ସେଥିରେ ଥଇଥାନ କରାଯିବ, ସେ ଦିଗରେ କେହି ମନ ଦେଲେନି। ଭେଣ୍ଡିଂ ଜୋନ୍ ପାଇଁ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯାଉ ନ ଥିବାରୁ ଏହି ବ୍ୟବସ୍ଥା ଅଧପନ୍ତରିଆ ଭାବେ ରହିଯାଇଛି। ଫଳରେ ବେଧଡ଼କ ଭାବେ ଉଠା ଦୋକାନୀଙ୍କ ସଂଖ୍ୟା ବି ବଢ଼ିଚାଲିଛି। ମନ ହେଲେ ବିଏମ୍ସି ଦୋକାନ ଉଚ୍ଛେଦ କରୁଛି। ଯେଉଁଠି ଉଚ୍ଛେଦ ହେଉଛି, ସପ୍ତାହକ ପରେ ପୁଣି ଉଠା ଦୋକାନ ଗଢ଼ି ଉଠୁଛି। ଫଳରେ ଦୋକାନ ଭଙ୍ଗା, ଗଢ଼ା ଏକ ଫାର୍ସରେ ପରିଣତ ହୋଇଛି।
ଅବ୍ୟବସ୍ଥିତ ଭାବେ ବଢ଼ିଚାଲିଛି ଉଠା ଦୋକାନ
ଟାଉନ୍ ଭେଣ୍ଡିଂ କମିଟି ପ୍ରହସନ ପାଲଟିଛି
ଯୋଜନା ନାହିଁ, ଭଙ୍ଗା-ଗଢ଼ା ଫାର୍ସ ଚାଲିଛି
ଆରମ୍ଭରୁ କିଛି ମାସ ମଧ୍ୟରେ ସହରରେ ପ୍ରାୟ ୪୧ଟି ଭେଣ୍ଡିଂ ଖୋଲାଯାଇଥିଲା ଓ ବ୍ୟବସାୟୀମାନଙ୍କୁ ସେଠାରେ ଥଇଥାନ କରାଯାଇଥିଲା। ଆରମ୍ଭରୁ ଯେତିକି ଭେଣ୍ଡିଂ ଜୋନ୍ ଖୋଲାଯାଇଥିଲା, ଏବେ ତାହା ମଧ୍ୟରୁ ତିନିଟି ଭଙ୍ଗା ଯାଇଛି। ପରବର୍ତୀ ସମୟରେ ମାତ୍ର ଦୁଇଟି ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି। କିନ୍ତୁ ସେଠାରେ ଦୋକାନୀଙ୍କୁ ଏ ପର୍ଯ୍ୟନ୍ତ କାଗଜପତ୍ର ମିଳି ନାହିଁ। ବର୍ତମାନ ଭୁବନେଶ୍ୱରରେ ୨୫ ହଜାରରୁ ଅଧିକ ଉଠାଦେକାନୀ ଅଛନ୍ତି। କିନ୍ତୁ ଭେଣ୍ଡିଂ ଜୋନ୍ରେ ଥଇଥାନ ହୋଇଛନ୍ତି ମାତ୍ର ଦୁଇରୁ ଅଢ଼େଇ ହଜାର। ପରିଚୟପତ୍ର ଓ ଲାଇସେନ୍ସ ଦେବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର ନିୟମ କରିଥିଲେ ବି ବିଏମ୍ସି ତାହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ସେହିପରି ଭେଣ୍ଡିଂ ଜୋନ୍ ଉଠା ଦୋକାନୀଙ୍କୁ ୟୁନିଫର୍ମ ଦିଆଯିବ ବୋଲି ବାରମ୍ବାର ଘୋଷଣା ହେଉଥିଲେ ବି ତାହା କେବଳ ଘୋଷଣାରେ ଅଟକିଯାଇଛି। ଆଇନ୍ ଅନୁଯାୟୀ ଟାଉନ୍ ଭେଣ୍ଡିଂ କମିଟି ଗଢ଼ାଯାଇଥିଲେ ବି ତାହାର ବୈଠକ ବସୁ ନାହିଁ। କେବଳ ସେତିକି ନୁହେଁ, ଜଣେ ଜଣେ ଦୋକାନୀ ଭିନ୍ନ ଭିନ୍ନ ଭେଣ୍ଡିଂ ଜୋନ୍ରେ ଏକାଧିକ ଦୋକାନ ରଖିଥିବାର ଅଭିଯୋଗ ଆସୁଛି। ପୁଣି କିଛି ଭେଣ୍ଡିଂ ଜୋନ୍ ନିକଟରେ ମାଳ ମାଳ ଉଠା ଦୋକାନର ପସରା ଖୋଲୁଛି। ବିଏମ୍ସି ଅଧିକାରୀମାନେ ଜାଣି ଅଜଣା ରହୁଛନ୍ତି। ଫଳରେ ସେଠାରେ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ନିଖିଳ ଉତ୍କଳ ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ ସାହୁଙ୍କ କହିବା ଅନୁଯାୟୀ ବିଏମ୍ସି ଦ୍ୱାରା କରାଯାଇଥିବା ସର୍ଭେକୁ ଏବେ ତର୍ଜମା କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଲାଇସେନ୍ସ ଓ ଜାଗା ପ୍ରଦାନ କରାଯାଉ। ଯଦି ପ୍ରତି ଓ୍ଵାର୍ଡରେ ୪ଟି ଭେଣ୍ଡିଂ ଜୋନ୍ କରାଯିବ, ତେବେ ୬୭ଟି ଓ୍ଵାର୍ଡରେ ସମସ୍ତ ଉଠା ଦୋକାନୀଙ୍କୁ ଥଇଥାନ କରାଯାଇ ପାରିବ। ସହରର ସୁନ୍ଦର ଭବିଷ୍ୟତ ପାଇଁ ବିଏମ୍ସି ଏହାକୁ ଗୁରୁତର ସହ ନେବା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଛନ୍ତି।