୨୮୪ ଜଣଙ୍କୁ ରେଡ୍‌ ନୋଟିସ୍‌

୯ କୋଟିର ହୋଲଡିଂ ଟିକସ ବାକି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ମିଳୁନି ହୋଲଡିଂ ଟ୍ୟାକ୍ସ। ଚଳିତ ଆର୍ଥିକ ବର୍ଷରେ ହୋଲଡିଂ ଟ୍ୟାକ୍ସ ବାବଦରେ ବିଭିନ୍ନ ସଂସ୍ଥା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଉପରେ ୯ କୋଟି ଟଙ୍କା ବାକି ପଡ଼ିଛି। ବାରମ୍ବାର ତାଗିଦ ସତ୍ତ୍ୱେ ଟ୍ୟାକ୍ସ ଦେଉ ନ ଥିବାରୁ ୨୮୪ ଜଣଙ୍କୁ ଆଜି ଜାରି ହୋଇଛି ରେଡ୍‌ ନୋଟିସ୍‌। ୧୦ ହଜାରରୁ ଅଧିକ ଟଙ୍କାର ଟ୍ୟାକ୍ସ ଦେଇ ନ ଥିବା ଶିକ୍ଷାନୁଷ୍ଠାନ, ବ୍ୟକ୍ତିବିଶେଷ, କମ୍ପାନି, ମେଡିକାଲ, ଫାର୍ମ ପରି ଅନୁଷ୍ଠାନ ଏହି ତାଲିକାରେ ରହିଛନ୍ତି। ଏହାବ୍ୟତୀତ ୧୦ ହଜାର ଟଙ୍କାରୁ କମ୍‌ ଟ୍ୟାକ୍ସ ଦେବାକୁ ଥିବା ବ୍ୟକ୍ତି, ସଂସ୍ଥା ରହିଥିଲେ ମଧ୍ୟ ସେମାନଙ୍କ ଲାଗି ବିଏମ୍‌ସି ପକ୍ଷରୁ କୌଣସି ନୋଟିସ୍‌ ଜାରି କରାଯାଇ ନାହିଁ। ଯେଉଁମାନଙ୍କୁ ରେଡ୍‌ ନୋଟିସ୍‌ ଜାରି ହୋଇଛି ସେମାନଙ୍କୁ ଆଉ ଏକ ସୁଯୋଗ ମଧ୍ୟ ଦିଆଯାଇଛି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସେମାନେ ଟ୍ୟାକ୍ସ ଦାଖଲ କରିପାରିବେ। ଯଦି ଏହି ସମୟ ସୀମା ମଧ୍ୟରେ ଟ୍ୟାକ୍ସ ଦାଖଲ ନ କରନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ପବ୍ଲିକ ଡିମାଣ୍ଡସ୍‌ ରିକଭରି(ଓପିଡିଆର) ଆକ୍ଟ ୧୯୬୨ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଆଇନ ବଳରେ ସମ୍ପୃକ୍ତ ସଂସ୍ଥା, ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯିବ। ଯେଉଁମାନଙ୍କର ଅଧିକ ଟଙ୍କା ରହିଛି ସେମାନଙ୍କ ସମ୍ପତ୍ତି ଜବତ ହୋଇପାରେ ବୋଲି ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି। ରେଡ୍‌ ନୋଟିସ୍‌ ଜାରି ହୋଇଥିବା ୨୮୪ଟି ସଂସ୍ଥାଙ୍କ ଉପରେ ୯ କୋଟି ଏକ ଲକ୍ଷ ଟଙ୍କାର ଟ୍ୟାକ୍ସ ବକେୟା ରହିଛି। ଲକ୍ଷାଧିକ ଓ କୋଟିଏ ଟଙ୍କା ଟ୍ୟାକ୍ସ ଦେଇ ନ ଥିବା ଅନୁଷ୍ଠାନ ମଧ୍ୟ ତାଲିକାରେ ରହିଛନ୍ତି। ୮୭ ଜଣଙ୍କର ଲକ୍ଷାଧିକ ଟଙ୍କାର ହୋଲଡିଂ ଟିକସ ରହିଛି। ଏଥିସହ ୧୧ଟି ସଂସ୍ଥାର ୧୦ ଲକ୍ଷରୁ ଅଧିକ ଟଙ୍କାର ହୋଲଡିଂ ଟ୍ୟାକ୍ସ ବାକି ରହିଛି। ଏହାମଧ୍ୟରେ ଗୋଟିଏ ସଂସ୍ଥାର ଅଢ଼େଇ କୋଟିରୁ ଅଧିକ ଟଙ୍କାର ଟିକସ ରହିଥିବା ଜଣାପଡ଼ିଛି।

ହୋଲଡିଂ ଟ୍ୟାକ୍ସ ଠିକ୍‌ ଭାବେ ଆଦାୟ ହେଉ ନ ଥିବା ନେଇ ଗତ ସେପ୍ଟେମ୍ବର ମାସରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ବୈଠକ ନେଇଥିଲେ। ନିର୍ଧାରିତ ସମୟ ସୁଦ୍ଧା ଟ୍ୟାକ୍ସ ଆଦାୟ କରିବାକୁ ଏହି ବୈଠକରେ ନିର୍ଦେଶ ଦିଆଯିବା ପରେ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ଭଲ ଟ୍ୟାକ୍ସ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ହୋଇପାରିଲେ ସହରର ବିକାଶ କାର୍ଯ୍ୟ ଆଗକୁ ବଢ଼ିପାରିବ। ତେଣୁ ସହରବାସୀ ବିଏମ୍‌ସିକୁ ସହାୟତା କରିବା ସହ ନିର୍ଧାରିତ ସମୟ ପୂର୍ବରୁ ଟ୍ୟାକ୍ସ ଦାଖଲ କରନ୍ତୁ। ହାତରେ ଆଉ ଅଢ଼େଇ ମାସ ରହିଥିବାରୁ ମାର୍ଚ୍ଚ ୩୧ ସୁଦ୍ଧା ଟ୍ୟାକ୍ସ ଆଦାୟ ସମ୍ପୂର୍ଣ୍ଣ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

୧୧ଟି ସଂସ୍ଥା ଓ ବ୍ୟକ୍ତିଙ୍କ ୧୦ ଲକ୍ଷରୁ ଅଧିକ ବାକି
ରେଡ୍‌ ନୋଟିସ୍‌ ଜାରି ହୋଇଥିବା ତାଲିକାରେ ସବୁଠାରୁ ଆଗରେ ରହିଛି ପାହାଳଠାରେ ଥିବା ଆପେକ୍ସ ଇଞ୍ଜିନିୟରିଂ କଲେଜ। ଏହାର ୨ କୋଟି ୫୨ ଲକ୍ଷ ୮୫୬ ଟଙ୍କା ହୋଲଡିଂ ଟିକସ ବାକି ରହିଛି। ୧୦ ଲକ୍ଷ ଟଙ୍କାରୁ ଅଧିକ ବାକି ଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରୁଦ୍ରପୁରର ରଞ୍ଜିତ୍‌ ସିଂ ଜୈନଙ୍କର ୨୮,୫୩,୯୭୨ ଟଙ୍କା ରହିଛି। ଏହାବ୍ୟତୀତ ପାହାଳଠାରେ ଥିବା ଶ୍ରୀ ଭାରତ ମୋଟର୍ସର ୬୮,୮୬,୭୬୩, ନୟାପଲ୍ଲୀର କଳ୍ପନା ରାୟଙ୍କର ୧୦ ଲକ୍ଷ ୪ ହଜାର ୭୯ ଟଙ୍କା, ପୁରୁଣା ଭୁବନେଶ୍ୱରର ଦୂର୍ଯୋଧନ ପତିଙ୍କର ୧୯,୫୨,୨୨୦, ସତ୍ୟନଗରର ପିଏନ୍‌ଆର ଇନ୍‌ଫା କୋ ପ୍ରାଇଭେଟ୍‌ ଲିମିଟେଡ୍‌ର ୨୧,୨୦,୫୩୫, ଲକ୍ଷ୍ମୀସାଗରସ୍ଥିତ ସନ୍‌ସାଇନ୍‌ ହସ୍ପିଟାଲର ୧୫,୭୪,୬୯୬, ପାହାଳସ୍ଥିତ ଭାରତ ମୋଟର୍ସର ୪୩,୮୬,୦୯୪, ଗଜାନନ ଅଗ୍ରଓ୍ଵାଲଙ୍କର ୭୬,୮୧,୨୩୦, ବିରେନ୍ଦ୍ର କୁମାର ଭବନର ୨୦,୩୨,୭୩୩, ନାଗେଶ୍ୱର ଟାଙ୍ଗିସ୍ଥିତ ଅର୍ଣ୍ଣପୂର୍ଣ୍ଣା ମେମୋରିଆଲ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ଅଫ୍‌ ମେଡିକାଲ ସାଇନ୍ସ ଫର ସ୍ପିରିଚୁଆଲ୍‌ ଡେଭଲପ୍‌ମେଣ୍ଟ ୧୬,୪୩,୪୩୪ ଟଙ୍କା ଟ୍ୟାକ୍ସ ଦେଇ ନ ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଆଦାୟ ହୋଇଛି ସାଢ଼େ ୧୪ କୋଟି
ଗତବର୍ଷ ହୋଲଡିଂ ଟ୍ୟାକ୍ସ ବାବଦରେ ବିଏମ୍‌ସି ୩୫ କୋଟି ୭ ଲକ୍ଷ ୫୪ ହଜାର ଟଙ୍କା ଆଦାୟ କରିଥିଲା। ଏଥର ୬୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷର ଗତ ଡିସେମ୍ବର ସୁଦ୍ଧା ୧୪ କୋଟି ୫୧ ଲକ୍ଷ ଟଙ୍କା ଆଦାୟ ହୋଇଛି। ଗତ ଆର୍ଥିକ ବର୍ଷରେ ବିଏମ୍‌ସି ୧୦୦ କୋଟି ଟଙ୍କାର ଟ୍ୟାକ୍ସ ଆଦାୟ କରିଥିବା ବେଳେ ଏଥର ୧୨୫ କୋଟି ଟଙ୍କାର ଟ୍ୟାକ୍ସ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି ବିଏମ୍‌ସି।

ସମ୍ବନ୍ଧିତ ଖବର