ପୁଣି ଆରମ୍ଭ ‌ହେଲା ରାସ୍ତା ଖୋଳା

ରାସ୍ତା ନିର୍ମାଣକୁ ମାସେ ପୂରିନି, ଓପିଟିସିଏଲ୍‌ ଖୋଳିଲାଣି

ଭୁବନେଶ୍ବର: ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂଆ ରାସ୍ତା ନିର୍ମାଣ ହେଲା। ମାସେ ପୂରିନି ପୁଣି ରାସ୍ତା ଖୋଳା ଆରମ୍ଭ ହୋଇଗଲାଣି। କଟକ ରୋଡ୍‌ରେ ବମିଖାଲ ଓଭରବ୍ରିଜ୍‌ ନିକଟରେ ଏବେ ପ୍ରାୟ ୧ କିମି ପର୍ଯ୍ୟନ୍ତ ରାସ୍ତା ଖୋଳା ଚାଲି ଥିବାରୁ ଲୋକ ପୁଣି ଦହଗଞ୍ଜ ହେଲେଣି। ବମିଖାଲ ଓଭରବ୍ରିଜ୍‌ ଉଦ୍‌ଘାଟନ ପରେ ରାଜଧାନୀବାସୀ ଟିକେ ଆଶ୍ବସ୍ତ ହୋଇଥିଲେ। ବ୍ରିଜ୍‌ ଉଦ୍‌ଘାଟନକୁ ମାସେ ପୂରିନି ବ୍ରିଜ୍‌ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଖୋଳା ହୋଇଛି। ପୂର୍ତ୍ତ ବିଭାଗ ବି ନାଚାର। ଓପିଟିସିଏଲ୍‌ ପକ୍ଷରୁ ଭୂତଳ କେବୁଲ୍ ବିଛା କାର୍ଯ୍ୟ ଚାଲିଥିବାରୁ ପୂର୍ତ୍ତ ବିଭାଗ ଇଞ୍ଜିନିୟର ବି ମୁହଁ ଖୋଲିବାକୁ ଡରୁଛନ୍ତି। ସରକାରଙ୍କ ଗୋଟିଏ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛି। କିଛି ଦିନ ପରେ ଆଉ ଏକ ବିଭାଗ ତା’ର ପ୍ରକଳ୍ପ କାର୍ଯ୍ୟ କରିବାକୁ ପୁଣି ରାସ୍ତାକୁ ଖୋଳି ଦେଉଛି। ପୂରା ରାଜଧାନୀରେ ଏପରି ଚାଲିଥିବା ବେଳେ କଟକ ରୋଡ୍‌ ଏହାର ସଦ୍ୟ ଉଦାହରଣ।

ମିଳିଥିବା ସୂଚନା ଅନୁଯାୟୀ, ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ଚାଲିଥିବା ବେଳେ ଓପିଟିସିଏଲ୍‌କୁ ଏହି ଅଞ୍ଚଳରେ ଭୂତଳ କେବୁଲ ବିଛା କାର୍ଯ୍ୟ ସାରିବାକୁ କୁହାଯାଇଥିଲା। ହେଲେ କର୍ତ୍ତୃପକ୍ଷ କଲେନି। ଦିନ ଗଡ଼ୁଥିବାରୁ ପୂର୍ତ୍ତ ବିଭାଗ ଆଉ ଅପବାଦ ନମୁଣ୍ଡାଇବାକୁ ବ୍ରିଜ୍‌ ଓ ରାସ୍ତା କାମ ଶେଷ କରିଦେଲା। ଏହାପରେ ଭୂତଳ କେବୁଲ୍‌ ବିଛାଉଥିବା ଏଲ୍‌ଆଣ୍ଡ୍‌ଟି ଆସି ରାସ୍ତା ଖୋଳି ଦେଲାଣି। ଏନେଇ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୪ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମ କାମ ଆମେ କଲୁ। ‌ଓପିଟିସିଏଲ୍‌କୁ ବ୍ରିଜ୍‌ କାମ ଚାଲିଥିବା ବେଳେ ଭୂତଳ କେବୁଲ୍‌ ବିଛାଇବାକୁ କୁହାଯାଇଥିଲା। ହେଲେ ସେମାନେ କଲେନି। ଏବେ ଆସି ରାସ୍ତା ଖୋଳୁଛନ୍ତି। ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇବୁ। ସେହିପରି କଟକ ରୋଡ୍‌ରେ ଏବେ କଳ୍ପନା ପାର୍ଶ୍ବରୁ ନୂଆ ପିଚୁ ପଡ଼ୁଛି। ଏହି ଅଞ୍ଚଳରେ ରାସ୍ତା ନଷ୍ଟ ହୋଇ ନଥିଲେ ବି ଇଞ୍ଜିନିୟର ଓ ଠିକାଦାର ପ୍ରୀତି ଯୋଗୁଁ ଭଲ ରାସ୍ତା ଉପରେ ନୂଆ ପିଚୁ ପକାଯାଉଛି। ଅଥଚ ଏହା ନିକଟରେ ଥିବା ଗଳିକନ୍ଦି ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଖାଲ ହୋଇଥିଲେ ବି ଏଥିରେ ମାଟି ମୁଠେ ପଡ଼ୁନି।

ସମ୍ବନ୍ଧିତ ଖବର