‘ପାର୍କିଂ’ ନଥିଲେ ଭଙ୍ଗା ହେବ ସୋ’ରୁମ୍ : ବିଡିଏ ଟାର୍ଗେଟ୍‌ରେ ଜନପଥ ପ୍ରତ୍ୟେକ ବ୍ୟାବସାୟିକ ପ୍ରତିଷ୍ଠାନ ଯାଞ୍ଚ ହେବ

ଭୁବନେଶ୍ବର: ଜନପଥରେ ପ୍ରାୟ ୫୦୦ରୁ ଅଧିକ ବ୍ୟ‌ାବସାୟିକ ପ୍ରତିଷ୍ଠାନ କୋଠା ନିର୍ମାଣ ବେଳେ ପାର୍କିଂ ଯୋଗାଇବେ ବୋଲି ପ୍ଲାନ୍‌ରେ ଦର୍ଶାଇଥିଲେ ହେଁ ପାର୍କିଂ ଜାଗାରେ ଦୋକାନ ଖୋଲିଛନ୍ତି। ବିଡିଏର ପାର୍କିଂ ନିୟମ ଉଲ୍ଲଂଘନ କରିଥିବାରୁ ଖୁବ୍‌ ଶୀଘ୍ର ଏନେଇ ଯାଞ୍ଚ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ଯିଏ ପାର୍କିଂ ଅଞ୍ଚଳ ଛାଡ଼ି ନ ଥିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁ ହସ୍ପିଟାଲ, ଆପାର୍ଟମେଣ୍ଟ, ହୋଟେଲ, ଶିକ୍ଷାନୁଷ୍ଠାନ, ସପିଂ ମଲ୍‌ ଆଦି ବିଡିଏର ବିଲଡିଂ ଆଣ୍ଡ ପ୍ଲାନିଂ ନିୟମ ଅନୁଯାୟୀ ପାର୍କିଂ ଅଞ୍ଚଳ ଛାଡ଼ି ନ ଥିବେ ସେମାନଙ୍କ ପାଇଁ ଜରିମାନା ନେଇ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ସର୍ବକ୍ଷମା ଯୋଜନା ଆସିଛି। ଏଥିରେ ଯେଉଁମାନେ ପାର୍କିଂ ଅଞ୍ଚଳ ଛାଡ଼ିଛନ୍ତି, କିନ୍ତୁ ନିୟମ ଅନୁଯାୟୀ ଯେତିକି ଛାଡ଼ିବା କଥା ସେତିକି ଛାଡ଼ିନାହାନ୍ତି ସେମାନଙ୍କ ଠାରୁ ଜରିମାନା ନେଇ ଏହାକୁ ଆଇନସମ୍ମତ କରିବାକୁ ଏହି ଯୋଜନା ଆସିଛି। ହେଲେ ଯେଉଁମାନେ କିଛି ବି ପାର୍କିଂ ଅଞ୍ଚଳ ଛାଡ଼ିନାହାନ୍ତି ସେଗୁଡ଼ିକୁ ଉଚ୍ଛେଦ କରିବାକୁ ନିୟମ ଅଛି। ଏହି ନିୟମ ଅନୁଯାୟୀ ଆମେ ଜନପଥରେ ଖୁବ୍‌ ଶୀଘ୍ର ଚଢ଼ଉ କରିବୁ। କେଉଁ ବ୍ୟାବସାୟିକ ପ୍ରତିଷ୍ଠାନ କେତେ ପାର୍କିଂ ଅଞ୍ଚଳ ଛାଡ଼ିବାକୁ ପ୍ଲାନ୍‌ରେ ଦର୍ଶାଇଥିଲେ ଏବଂ କେତେ ଛାଡ଼ିଛନ୍ତି, କିଏ ପ୍ଲାନ୍ ଆବେଦନ ଆଦୌ ନ କରି ଘର ନିର୍ମାଣ କରିଛନ୍ତି, କିଏ ଆବାସିକ ଘର ପାଇଁ ପ୍ଲାନ୍ ନେଇ ବ୍ୟାବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି, କିଏ ପାର୍କିଂ ପାଇଁ ନିହାତି ଜାଗା ଛାଡ଼ିବା ଦରକାର, କିଏ ନଛାଡ଼ିଲେ ଚଳିବ ଆଦିର ସରଜମିନ ଯାଞ୍ଚ ହେବ। ଏନେଇ ବିଡିଏର ପ୍ଲାନିଂ ମେମ୍ବର ଓ ଏନଫୋର୍ସମେଣ୍ଟ ମେ‌ମ୍ବର ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ଏଥିପାଇଁ ତିନିଟି ଟିମ୍ ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ‌ଯେଉଁମାନେ ବିଡିଏରୁ ପ୍ଲାନ୍ ନେଇ ବେଆଇନ୍ ଭାବେ ପାର୍କିଂ ଫି’ ଆଦାୟ କରୁଛନ୍ତି ସେମାନଙ୍କ ଉପରେ ଏହି ଟିମ୍‌ ଚଢ଼ଉ କରିବ।

ଟ୍ରାଭେଲ୍‌ ଏଜେନ୍ସି କବ୍‌ଜାରେ ରାସ୍ତା, ୪ ବ୍ୟାବସାୟିକ ସଂସ୍ଥାକୁ ନୋଟିସ୍‌ କଲା ବିଏମ୍‌ସି
ଭୁବନେଶ୍ବର: ରାସ୍ତାରେ ପାର୍କିଂ ପାଇଁ ଅନୁମତି ନନେଇ ନିଜ ଗାଡ଼ି ପାର୍କିଂ କରୁଥିବା ୪ଟି ବ୍ୟାବସାୟିକ ସଂସ୍ଥାକୁ ବିଏମ୍‌ସି ନୋଟିସ୍‌ କରିଛି। ସେଗୁଡ଼ିକ ହେଲା ପୁଷ୍ପକ ହୋଟେଲ, ସ୍ବସ୍ତି ଗ୍ରାଣ୍ଡ ହୋଟେଲ, ‌ପଣ୍ଡା ଲାଇଫ୍ ଷ୍ଟାଇଲ୍‌ ଏବଂ ଲୁଇସ୍‌ ରୋଡ୍‌ରେ ଥିବା କାର୍‌ ସୋ’ରୁମ୍‌। ସେମାନେ ରାସ୍ତାରେ ବେଆଇନ୍ ପାର୍କିଂ କରୁଥିବାରୁ ବିଏମ୍‌ସିକୁ କାହିଁକି ଜରିମାନା ଦେବେନି ବୋଲି ନୋଟିସ୍‌ ହୋଇଛି।

ଏପଟେ ପୁଷ୍ପକ ହୋଟେଲ କର୍ତ୍ତୃପକ୍ଷ ବିଏମ୍‌ସିକୁ କହିଛନ୍ତି ଯେ ସେମାନେ ସାଧାରଣ ପ୍ରଶାସନ ବିଭାଗଠାରୁ ଜମି ଲିଜ୍‌ରେ ଆଣିଥିବାରୁ ଏହା ବାବଦକୁ ବିଭାଗକୁ ଭଡ଼ା ଦେଉଛନ୍ତି। ତେଣୁ ବିଏମ୍‌ସିକୁ ଟଙ୍କା ଦେବେନି। କିନ୍ତୁ ବିଏମ୍‌ସି କହିଛି ଯେ ଗାଡ଼ି ପାର୍କିଂ ହେଉଥିବାରୁ ବିଏମ୍‌ସିଠାରୁ ଲାଇସେନ୍ସ ପାଇଁ ଅନୁମତି ନେବା ଦରକାର। ସେହିପରି କ୍ରାଉନ୍ ହୋଟେଲ କର୍ତ୍ତୃପକ୍ଷ ହୋଟେଲ ସମ୍ମୁଖରେ ଥିବା ଜାଗାରେ ପାର୍କିଂ ଲାଗି ବିଏମ୍‌ସିଠାରୁ ଆନୁଷ୍ଠାନିକ ପାର୍କିଂ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି। ବିଏମ୍‌ସି ହୋଟେଲ ଓ ଗାଡ଼ି ସୋ’ ରୁମ୍‌କୁ ନୋଟିସ୍‌ କରୁଥିବା ବେଳେ ଏବେ ରାଜଧାନୀର ବହୁ ଅଞ୍ଚଳରେ ଟ୍ରାଭେଲ୍‌ ଏଜେନ୍ସିଗୁଡ଼ିକ ରାସ୍ତାରେ ବେଆଇନ ପାର୍କିଂ କରିବାରେ ଲାଗିଛନ୍ତି। ଯେଉଁଥିପାଇଁ ରାସ୍ତାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ରାଜମହଲରୁ କଳ୍ପନା ମଧ୍ୟରେ ରାସ୍ତା ଉପରେ ପାତ୍ର ଟ୍ରାଭେଲ୍‌ସ ଲେଖା ହୋଇଥିବା ବହୁ କାର୍‌, ଟ୍ରାଭେଲର୍, ୱିଙ୍ଗର୍ ଓ ମିନି ବସ୍ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ଛକ ମଧ୍ୟରେ ସ୍ୟାଣ୍ଡ ପିବେଲ୍‌ସ ଟ୍ରାଭେଲ୍‌ ଏଜେନ୍ସି ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛି। ଏହାବାଦ୍ ରାଜଧାନୀର ବହୁ ସ୍ଥାନରେ ଟ୍ରାଭେଲ୍‌ ଏଜେନ୍ସିଗୁଡ଼ିକ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବା ବେଳେ ବିଏମ୍‌ସି କେବେ ଏହି ସଂସ୍ଥାଗୁଡ଼ିକୁ ନୋଟିସ୍‌ କରୁଛି ଦେଖିବାକୁ ଲୋକ ଅପେକ୍ଷା କରିଛନ୍ତି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ରାସ୍ତାରେ ଗାଡ଼ି ପାର୍କିଂ କରିବେ, ସେମାନେ ବିଏମ୍‌ସିକୁ ଟଙ୍କା ଗଣିବେ। ଏଥିପାଇଁ ପାର୍କିଂ ସ୍ଲଟ୍‌ କିଣିବାକୁ ପଡ଼ିବ। କେହି ବେଆଇନ ଭାବେ ରାସ୍ତା ଉପରେ ପାର୍କିଂ କରିପାରିବେନି। ଖୁବ୍‌ଶୀଘ୍ର ବିଏମ୍‌ସିର ଜେଡ୍‌ଡିସିମାନେ ସେମାନଙ୍କ ଅଞ୍ଚଳରେ ଏହିପରି ବେଆଇନ ପାର୍କିଂ କରୁଥିବା ସଂସ୍ଥାଙ୍କୁ ନୋଟିସ୍ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର